କରୋନା ପ୍ରଭାବ : ୪ ମେଟ୍ରୋରେ ଦେଶର ଅଧା କରୋନା ଆକ୍ରାନ୍ତ

୭ ସହରରେ ମୋଟ ସଂକ୍ରମିତ ଏବଂ ମୃତକଙ୍କ ୮୦ %

-ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨.୫ଲକ୍ଷ ଟପିଲା
– ୪ ମେଟ୍ରୋରେ ସମୁଦାୟ ସଂକ୍ରମିତଙ୍କ ମଧ୍ୟରୁ ୪୫%
-ମୁମ୍ବଇ,ଦିଲ୍ଲୀ,କୋଲକାତା ଓ ଚେନ୍ନାଇରେ କରୋନା ମାମଲା ଅଧିକ

ନୂଆଦିଲ୍ଲୀ : ଦେଶରେ ପର୍ୟ୍ୟାୟକ୍ରମେ ୪ଥର ଲକଡାଉନ୍ ପରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ମୋଟ କରୋନା ସଂକ୍ରମତିଙ୍କ ମଧ୍ୟରୁ ଅଧା ମାମଲା ୪ଟି ମେଟ୍ରୋ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରୁ ଆସିଛି। ଅନ୍ୟପକ୍ଷରେ ଦେଶରେ କରୋନା ମାମଲା ୨.୫ ଲକ୍ଷରୁ ଅଧିକ ହୋଇଛି ଏବଂ ମୃତକଙ୍କ ସଂଖ୍ୟା ସାତ ହଜାର ଅତିକ୍ରମ କରିଛି। ଏଥି ସହିତ, ମୋଟ ମୃତ୍ୟୁ ମାମଲାର ପ୍ରାୟ ୪୫ ପ୍ରତିଶତ ଏହି ୪ଟି ମେଟ୍ରୋରୁ ମଧ୍ୟ ଆସିଛି।
ଏହି ଚାରୋଟି ମେଟ୍ରୋରେ ସହିତ ଅହମ୍ମଦାବାଦ, ଇନ୍ଦୋର ଏବଂ ପୁଣେ ସାମିଲ କଲେ, ମୋଟ ସଂକ୍ରମିତ ଏବଂ ମୃତକଙ୍କ ୮୦ ପ୍ରତିଶତ ଏହି ସହର ଗୁଡିକରୁ ଆସିଛି । ବର୍ତ୍ତମାନ ବିଶ୍ବରେ କରୋନା ଭୂତାଣୁ ପ୍ରଭାବିତ ଦେଶ ମଧ୍ୟରେ ଭାରତ ପଞ୍ଚମ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ, ଋଷ ଏବଂ ବ୍ରିଟେନ ଭାରତଠାରୁ ଆଗରେ ଅଛନ୍ତି।

ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୋଟ ସଂକ୍ରମଣ ତଥ୍ୟର ଏକ ଅଧ୍ୟୟନରୁ ଜଣାପଡିଛି ଯେ ଦିଲ୍ଲୀ, ମୁମ୍ବଇ, କୋଲକାତା ଏବଂ ଚେନ୍ନାଇରୁ ୧.୧୯ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସିଛି। ଏହି ସଂଖ୍ୟା ଦେଶବ୍ୟାପୀ ସଂକ୍ରମଣ ସଂଖ୍ୟାର ପ୍ରାୟ ୪୯ ପ୍ରତିଶତ। ଯଦି ଏହି ମେଟ୍ରୋଗୁଡିକ ସହିତ ଲାଗିଥିବା ଜିଲ୍ଲାଗୁଡିକର ସଂଖ୍ୟାକୁ ମଧ୍ୟ ଏଥିରେ ସାମିଲ କରାଯାଏ, ତେବେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ଅଧିକ ହେବ।
ମହାରାଷ୍ଟ୍ରରେ କରୋନା ଭୂତାଣୁ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୮୫,୯୭୫କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ସଂଖ୍ୟା ୩,୦୬୦ରେ ପହଞ୍ଚିଛି। ଏପର୍ଯ୍ୟନ୍ତ ରାଜ୍ୟରେ ୩୯,୩୧୪ କରୋନା ସଂକ୍ରମିତ ରୋଗୀ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ଏହି ୪ଟି ଅଧିକ ପ୍ରଭାବିତ ମେଟ୍ରୋରେ ପ୍ରାୟ ୩,୨୫୬ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ସଂଖ୍ୟା ମୋଟ ମୃତ୍ୟୁସଂଖ୍ୟାର ପ୍ରାୟ ୪୭ ପ୍ରତିଶତ।

Comments are closed.