କରୋନା ଯୋଦ୍ଧାଙ୍କୁ ସଲାମ

ସମଗ୍ର ମାନବ ସମାଜ ଏବେ ଏକ ଅଦୃଶ୍ୟ ଅଥଚ ଭୟଙ୍କର ଶତ୍ରୁ ସହିତ ଯୁଦ୍ଧ କରୁଛି। ସଭ୍ୟତାର ସନ୍ଧିକ୍ଷଣରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ଆମକୁ, ଆମ ପରିବାରକୁ ଓ ସର୍ବୋପରି ମାନବ ସମାଜକୁ ସୁରକ୍ଷା ଦେବା ପାଇଁ ନିଜ ଜୀବନକୁ ବାଜି ଲଗାଇ ପୁରୋଭାଗରେ ଥିବା ଅଗ୍ରଣୀ ଯୋଦ୍ଧାମାନଙ୍କୁ ମୁଁ ସଲାମ କରୁଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଡାକ୍ତର, ନର୍ସ, ପରିଚାରିକା, ସଫେଇ କର୍ମଚାରୀ, ଆଶା ଦିଦି, ସ୍ୱେଚ୍ଛାସେବୀ, ପୁଲିସ୍‍ ବାହିନୀ ଓ ସାମ୍ବାଦିକ ଭାଇ ଓ ଭଉଣୀମାନେ। ଆଗଧାଡ଼ିର ଏହି ଯୋଦ୍ଧାମାନଙ୍କ ମଧ୍ୟରୁ ଯେଉଁମାନେ ପ୍ରାଣବଳି ଦେଇଛନ୍ତି ସେମାନଙ୍କ ଅମର ଆତ୍ମାର ସଦ୍‍ଗତି କାମନା କରିବା ସହିତ ସେମାନଙ୍କୁ ଜନ୍ମଦେଇ ମାନବ ସମାଜକୁ ଗର୍ବିତ କରିଥିବା ସେହି ବୀରପ୍ରସବିନୀ ଓ ପରିବାରବର୍ଗକୁ କୋଟିକୋଟି ପ୍ରଣାମ କରୁଛି।
ବିଗତ ୫ମାସରୁ ଊର୍ଦ୍ଧ୍ବ ସମୟ ଧରି ଚାଲି ଆସିଥିବା ଏହି ଯୁଦ୍ଧର ପରିସମାପ୍ତି କେବେ ଘଟିବ ତାହା ଅନୁମାନ କରିବା ଅସମ୍ଭବ। ଏହି ଯୁଦ୍ଧରେ ଏ ପର୍ଯ୍ୟନ୍ତ ବିଶ୍ୱର ୭ ଲକ୍ଷରୁ ଅଧିକ ଲୋକ ପ୍ରାଣ ହାରିଛନ୍ତି। ଭାରତ ଓ ଓଡ଼ିଶାରେ ମଧ୍ୟ ସ୍ଥିତି କ୍ରମଶଃ ଗମ୍ଭୀର ହୋଇ ଆସୁଛି। ଏଣୁ ଆମର ଆହ୍ୱାନ ଓ ଦାୟିତ୍ୱବୋଧ ପୂର୍ବାପେକ୍ଷା ଆହୁରି ବଢ଼ିଛି। ଏବେ ଅଦୃଶ୍ୟ ଶତ୍ରୁ ଆମର ନିକଟତର ହେଉଥିବାରୁ ଆମକୁ ଆହୁରି ସତର୍କ ରହିବାକୁ ହେବ। ଏହି ଯୁଦ୍ଧରେ ଜିତିବାକୁ ହେଲେ ଆମେ ନିଜେ ଯୋଦ୍ଧା ସାଜି ଅଗ୍ରଣୀ ଯୋଦ୍ଧାଙ୍କ ହାତମୁଠାକୁ ସଶକ୍ତ କରିବାକୁ ପଡ଼ିବ। ଏହା ସମ୍ଭବ ହେବ ଯେତେବେଳେ ଆମେ ନିଜେ ସତର୍କ ରହିବା ସହିତ ଅନ୍ୟମାନଙ୍କୁ ସଚେତନ କରାଇବା। ଏହା ହିଁ ହେବ ବଳିଦାନ ଦେଇଥିବା କରୋନା ଯୋଦ୍ଧାଙ୍କ ତ୍ୟାଗ ଓ ସେବା ପ୍ରତି ଆମର ଶ୍ରେଷ୍ଠ ସମ୍ମାନ।
ଆମର ଯେ କୌଣସି ସାମନ୍ୟତମ ଅବହେଳା ଅଗ୍ରଣୀ ଯୋଦ୍ଧାମାନଙ୍କର ବଳିଦାନକୁ ବ୍ୟର୍ଥ କରିଦେବ। ତେଣୁ ଆମେ ଗୁଜବକୁ ପ୍ରଶ୍ରୟ ନ ଦେଇ ବିଶ୍ୱସ୍ତରୀୟ ଗଣମାଧ୍ୟମ ସଂସ୍ଥାର ପ୍ରକାଶିତ ଖବରକୁ କେବଳ ବିଶ୍ୱାସକୁ ନେବା। ସରକାରଙ୍କ ନିର୍ଦେଶିତ କଟକଣା ଓ ବିଶେଷଜ୍ଞଙ୍କ ପରାମର୍ଶକୁ ଅବହେଳା କରିବା ନାହିଁ କି କଟକଣା ଉଲ୍ଲଙ୍ଘନ ବେଳେ ନିରବଦ୍ରଷ୍ଟା ସାଜିବା ନାହିଁ। ଆମେ ଅଗଣିତ ଯୋଦ୍ଧାଙ୍କ ବଳିଦାନକୁ ସାର୍ଥକ କରି ଏହି ଯୁଦ୍ଧରେ ବିଜୟ ଲାଭ କରିବାକୁ ଆସନ୍ତୁ ଆଜି ହିଁ ସଂକଳ୍ପ ନେବା।
ବନ୍ଦେ ଉତ୍କଳ ଜନନୀ।
ଦୀପକ ମାଲବ୍ୟ
ସଭାପତି, ଲୋକସେବକ ମଣ୍ଡଳ ଓ ଅଧ୍ୟକ୍ଷ ‘ସମାଜ’ ପରିଚାଳନା ମଣ୍ଡଳୀ

Comments are closed.