ସରିସରି ଆସୁଛି କରୋନା କାଳ: ସେପ୍ଟେମ୍ବର ଦ୍ବିତୀୟ ସପ୍ତାହ ବେଳକୁ କମିବ ପ୍ରଭାବ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ମଧ୍ୟରେ ସ୍ବାସ୍ଥ୍ୟ ଓ କରୋନା ବିଶେଷଜ୍ଞମାନେ ଦେଇଛନ୍ତି ଆଶ୍ବସ୍ତିର ଖବର । ସେପ୍ଟେମ୍ବର ମାସ ମଧ୍ୟ ବେଳକୁ ଦେଶରେ କରୋନା ପ୍ରଭାବହୀନ ହୋଇଯିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । ଜୁନ୍-ଜୁଲାଇ ମାସରେ କରୋନା ସଂକ୍ରମଣ ସଂଖ୍ୟା ଅଧିକ ହେବ ବୋଲି ଏହି ବିଶେଷଜ୍ଞମାନେ ପୂର୍ବରୁ ମତ ଦେଇଥିଲେ । ଏବେ ସେହି ବିଶେଷଜ୍ଞମାନେ ସେପ୍ଟେମ୍ବର ଶେଷ ସୁଦ୍ଧା କରୋନା ଦୁର୍ବଳ ହୋଇଯିବ ବୋଲି ଆକଳନ ଦେଶବାସୀଙ୍କୁ କିଛିଟା ଆଶ୍ବସ୍ତ କରିଛି । ସଂକ୍ରମିତମାନେ ସୁସ୍ଥ ହେବା ଓ ମୃତ୍ୟୁ ସଂଖ୍ୟା ହ୍ରାସ ସହ ସଂକ୍ରମଣ ହ୍ରାସ ପାଇବବୋଲି ସ୍ବାସ୍ଥ୍ୟ ମହାନିର୍ଦେଶାଳୟର ଉପ ମହାନିର୍ଦେଶକ ଡ଼ା. ଅନୀଲ କୁମାର ଓ ଡ଼ା. ରୂପାଲି ରାୟ କହିଛନ୍ତି । ଦୁଇ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅଧ୍ୟୟନ ସଂକ୍ରାନ୍ତ ରିପୋର୍ଟ ଏପିଡ଼େମିଲୋଜି ଇଣ୍ଟରନେସନାଲ ଜର୍ଣ୍ଣାଲରେ ପ୍ରକାଶ ପାଇଛି ।
ଏହି ଅଧ୍ୟୟନକୁ ଗାଣିତିକ ସୂତ୍ର ଆଧାରରେ ପ୍ରସ୍ତୁତ କରାଯାଇଛି । ଏହି ଆଧାରର ଭିତ୍ତି ହେଉଛି ଯେତେବେଳେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଓ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ଯେତେବେଳେ ସମାନ ସ୍ଥିତିକୁ ଆସିଯାଏ ସେତେବେଳେ ରୋଗ ଶେଷ ହେବା ପର୍ଯ୍ୟାୟରେ ପହଞ୍ଚିଛି ବୋଲି କୁହାଯାଇପାରିବ । ଗଣିତକୁ ଏହି ଅଧ୍ୟୟନର ଆଧାର ବୋଲି କୁହାଯାଉଛି । ମହାମାରୀର ଆକଳନ ନିମନ୍ତେ ବେଲି ମଡ଼େଲ ରିଲେଟିଭ୍ ରିମୁଭାଲ ରେଟ୍ ଅର୍ଥାତ୍ ବିଏମ୍ଆରଆରଆର୍ ବାହାର କରାଯାଇଥାଏ । ଏହା ରୋଗରୁ ମୁକ୍ତି ପାଇଥିବା ଓ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ଆଧାରରେ ସ୍ଥିର ହୋଇଥାଏ ।

ଭାରତରେ ବିଏମ୍ଆରଆରଆର୍ ୫୦%ରେ ପହଞ୍ଚିଛି 

ସମ୍ପ୍ରତି ଭାରତରେ ବିଏମ୍ଆରଆରଆର୍ ୫୦%ରେ ପହଞ୍ଚିଛି । ୧୯ ମେ ପର୍ଯ୍ୟନ୍ତ ଦେଶରେ ସଂକ୍ରମଣ, ସୁସ୍ଥ ଓ ମୃତ ଲୋକଙ୍କ ସଂଖ୍ୟାକୁ ନେଇ ଏହି ଅଧ୍ୟୟନ ପ୍ରସ୍ତୁତ କରାଯାଇଛି  । ୧୯ ମେରେ ଦେଶରେ ମୋଟ ୧୦୬୪୭୫ ସଂକ୍ରମିତ ହୋଇଥିବାବେଳେ ଏହାମଧ୍ୟରୁ ୪୨୩୦୬ ସୁସ୍ଥ ହୋଇ ସାରିଥିଲେ ଓ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୩୩୦୨ ରହିଥିଲା । ଏହି ଆଧାର ଅନୁସାରେ ବିଏମ୍ଆରଆରଆର୍ ଅନୁପାତ ୪୨% ରହିଥିଲା । ଡ଼ା ଅନୀଲ କହିଛନ୍ତି ଯେ ମହାମାରୀ ସେତେବେଳେ ଶେଷ ହୋଇଯାଏ ଯେତେବେଳେ ବିଏମଆରଆରଆର୍ ୧୦୦% ହୋଇଯାଏ । ଆଜି ତାରିଖରେ ଏହା ୫୦%ରେ ପହଞ୍ଚିଛି । ଆକଳନ ଅନୁସାରେ ସେପ୍ଟେମ୍ବର ମଧ୍ୟଭାଗ ମଧ୍ୟରେ ଏହା ୧୦୦%ରେ ପହଞ୍ଚି ଯିବା ଆଶା କରାଯାଉଛି । ତେବେ ଯାଇ ମହାମାରୀ ଶେଷ ହେବ ।

ୟୁରୋପର ବିଭିନ୍ନ ଦେଶରୁ ନିଆଯାଇଛି ଉଦାହରଣ

ଡ଼ା. ଅନୀଲଙ୍କ ଆକଳନ ଅନୁସାରେ ୟୁରୋପର ଅନେକ ଦେଶରେ ଏହି ବେଲି ମଡ଼େଲରୁ ପରିସଂଖ୍ୟାନ ବାହାର କରାଯାଇଛି । ଏହା ଅତ୍ୟନ୍ତ ସଠିକ ହୋଇଛି । ଅବଶ୍ୟ ଆକଳନ ସଠିକ ପ୍ରମାଣିତ ହେବା ନିମନ୍ତେ ଅନ୍ୟ କିଛି କାରଣ ରହିଛି । ତେଣୁ ଏହି ଫଳାଫଳ ୧୦୦% ସତ୍ୟ ହେବା ନେଇ କୌଣସି ଗ୍ୟାରେଣ୍ଟି ଦିଆଯାଇ ପାରିବ ନାହିଁ ।

ଜୁନ୍-ଜୁଲାଇରେ ଶୀର୍ଷସ୍ତରରେ ପହଞ୍ଚିବ ସଂକ୍ରମଣ

ଚଳିତ ମାସ ଓ ଆସନ୍ତା ମାସ (ଜୁନ୍-ଜୁଲାଇ)ରେ ଦେଶରେ କରୋନା ସଂକ୍ରମଣ ଶୀର୍ଷସ୍ତରରେ ପହଞ୍ଚିବ । ଦିଲ୍ଲୀ ଏମ୍ସର ନିର୍ଦେଶକ ଡ଼ା. ରଣଦୀପ ଗୁଲେରିଆ ଏପରି ଆକଳନ କରିଛନ୍ତି । ଡ଼ା. ଗୁଲେରିଆ କହିଛନ୍ତି ଯେ ଏହା ପରେ ଯାଇ କରୋନା ସଂକ୍ରମଣ ହ୍ରାସ ପାଇବ । ବର୍ତମାନ ସ୍ଥିତିରେ ଡ଼ା. ରଣଦୀପ ଗୁଲେରିଆଙ୍କ ଆକଳନ ସଠିକ ହେଉଥିବା ସୂଚନା ମିଳିଛି । ଜୁନ୍ ମାସ ଆରମ୍ଭ ହେଉହେଉ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃତଗତିରେ ବୃଦ୍ଧି ପାଇବାରେ ଲାଗିଛି ।

Comments are closed.