କରୋନା କାଳର ବିବାହ!

ମହାମାରୀର ପ୍ରକୋପକୁ ଲକ୍ଷ୍ୟ କରି ବିଶ୍ବର ପ୍ରମୁଖ ରାଷ୍ଟ୍ରମୁଖ୍ୟମାନେ ଭିନ୍ନଭିନ୍ନ ନିୟମମାନ ପ୍ରଣୟନ କରିଛନ୍ତି। ଯେପରି ବିବାହ, ବ୍ରତ ଆଦି ଉତ୍ସବରେ ୨୦ଜଣରୁ ଅଧିକ ଏକତ୍ର ହୋଇପାରିବେନାହିଁ। ସମାନ କଡ଼ାକଡ଼ି ନିୟମ ବ୍ରିଟେନ୍‌ରେ ମଧ୍ୟ କାର୍ଯ୍ୟକାରୀ ହୋଇଛି। ବର୍ତ୍ତମାନ ସମୟରେ ସେଠାରେ ବିବାହ କାର୍ଯ୍ୟରେ ଅତିବେଶୀରେ ୧୫ଜଣ ଅତିଥିଙ୍କୁ ଉପସ୍ଥିତ ରହିବାର ଅନୁମତି ମିଳୁଛି। ବ୍ରିଟେନ୍ ନିବାସୀ ରୋମା ପୋପଟ୍ ଓ ଭିନଲ୍ ପଟେଲ। ୨୦୧୮ ଡିସେମ୍ବରରେ ସେମାନଙ୍କ ବର୍ଣ୍ଣାଢ୍ୟ ନିର୍ବନ୍ଧ ଉତ୍ସବ ହୋଇଥିବାବେଳେ ୨୦୨୦ ମେ’ରେ ଦୁହେଁ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ହେଲେ ଲକ୍-ଡାଉନ୍‌ କାରଣରୁ ସେମାନେ ବିବାହକୁ ଅକ୍ଟୋବର ପର୍ଯ୍ୟନ୍ତ ଘୁଞ୍ଚାଇଥିଲେ। ବନ୍ଧୁବାନ୍ଧବ ସମ​‌େ​‌ସ୍ତ ସେମାନଙ୍କ ବିବାହରେ ସାମିଲ ହେବାକୁ ଚାହୁଁଥିଲେ କିନ୍ତୁ ପ୍ରଶାସନ ମାତ୍ର ୧୫ଜଣଙ୍କୁ ବିବାହରେ ଉପସ୍ଥିତ ରହିବାକୁ ଅନୁମତି ଦେଇଥିଲା। ବ୍ରିଟେନ୍‌ର ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ ସହ ଯୋଗାଯୋଗ କରି ସେମାନେ ଏହାର ସମାଧାନ ପାଇଥିଲେ। ଅତିଥିଙ୍କୁ ନିମନ୍ତ୍ରଣ କରି ପାର୍କିଂ ସ୍ଥାନରେ କାର୍‌ଗୁଡ଼ିକ ସାମଜିକ ଦୂରତା ରକ୍ଷା କରି ରହିଲେ। ପାର୍କିଂ ସ୍ଥାନରେ ଦୁଇଟି ବଡ଼ ସ୍କ୍ରିନ୍‌‌ ଲଗାଯାଇ ସେଥିରେ ସେମାନଙ୍କ ବିବାହର ଲାଇଭ୍ ପ୍ରଦର୍ଶନ କରାଗଲା। ନିମନ୍ତ୍ରିତ ଅତିଥିଙ୍କୁ ସାନିଟାଇଜର୍ ସହ ମେନୁ କାର୍ଡ ମଧ୍ୟ ଦିଆଯାଇଥିଲା ଓ ସେମାନେ ସେଥିରୁ ଖାଦ୍ୟ ବରାଦ୍ କରିବାର ବନ୍ଦୋବସ୍ତ ଥିଲା। ରୋମାଙ୍କ ମତରେ କରୋନା ପରବର୍ତ୍ତୀ ସମୟରେ ମଧ୍ୟ ବିବାହ ଏହିଭଳି ଆୟୋଜିତ ହେବ। ଜୀବନଶୈଳୀ ପ୍ରଭାବିତ ଓ ପରିବର୍ତ୍ତିତ ହୋଇଯାଇଛି, ଏଥିରେ ସମସ୍ତେ ଏକମତ। କରୋନାକାଳର ଏଇ ବିବାହର ନାମ ‘ଡ୍ରାଇଭ୍-ଇନ୍ ୱେଡିଙ୍ଗ’ ରଖାଯାଇଛି।

Comments are closed.