କରୋନା ଯୋଦ୍ଧାଙ୍କୁ ପ୍ରଥମେ ଦିଆଯିବ କରୋନା ଟୀକା : ଅଶ୍ୱିନୀ ଚୌବେ

ନୂଆଦିଲ୍ଲୀ : ଦେଶରେ କରୋନା ଟୀକାର ବ୍ୟବହାର ଆରମ୍ଭ ହେବାମାତ୍ରେ ପ୍ରଥମେ ତାହା କରୋନା ଯୋଦ୍ଧାଙ୍କୁ ଦିଆଯିବ। ଦେଶରେ ତିନୋଟି କରୋନା ଟୀକା ପ୍ରସ୍ତୁତି ନେଇ ଗବେଷଣା ଭିନ୍ନ ଭିନ୍ନ ସ୍ତରରେ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ କହିଛନ୍ତି । ଏଥିପାଇଁ ବୈଜ୍ଞାନିକମାନେ କାର୍ଯ୍ୟ ଜାରି ରଖିଛନ୍ତି।

ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା ଦିବସ ଉଦବୋଧନରେ ଦେଶରେ କୋଭିଡ୍‍ -୧୯ ପ୍ରତିଷେଧକ ଟୀକା ବିପୁଳ
ପରିମାଣରେ ଉତ୍ପାଦନ କରିବା ପାଇଁ ସବୁଜ ସଂକେତ ଦେଇଛନ୍ତି। କୋଭିଡ-୧୯ ଟୀକା କମ୍‍ ସମୟ ମଧ୍ୟରେ ଯେପରି ସମସ୍ତଙ୍କ ପାଖରେ
ପହଞ୍ଚି ପାରିବ, ସେଥିପାଇଁ ସରକାର ରୋଡ୍‍ମ୍ୟାପ୍‍ ସୁନିଶ୍ଚିତ କରିଥିବା ଶ୍ରୀ ଚୌବେ କହିଛନ୍ତି।

ଅନ୍ୟପକ୍ଷରେ ସ୍ୱାଧୀନତା ଦିବସ ଉଦବୋଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଡିଜିଟାଲ୍‍ ସ୍ୱାସ୍ଥ୍ୟମିଶନର ଶୁଭାରମ୍ଭ କରିଥିବାରୁ ସେ ଏହାକୁ ସ୍ୱାଗତ କରିଛନ୍ତି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଏକ ଐତିହାସିକ ନିଷ୍ପତ୍ତି ଏବଂ ଏହା ଫଳରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆସିପାରିବ। ପ୍ରତ୍ୟେକ ଭାରତୀୟ ଏହି ମିଶନ ଦ୍ୱାରା ସ୍ୱାସ୍ଥ୍ୟକାର୍ଡ ପାଇବେ ଏବଂ ଏହି ସ୍ୱାସ୍ଥ୍ୟକାର୍ଡ ଦ୍ୱାରା ସେମାନେ ଚିକିତ୍ସା ସୁବିଧା ପାଇ ପାରିବେ ବୋଲି ଶ୍ରୀ ଚୌବେ କହିଛନ୍ତି । ଏହି କାର୍ଡରେ ପ୍ରତ୍ୟେକ ରୋଗୀର ସ୍ୱାସ୍ଥ୍ୟଗତ ବିବରଣୀ ରହିବ। ଏହି ବିବରଣୀ ଆଧାରରେ ଡାକ୍ତରମାନେ ସୂଚନା ହାସଲ କରି ଚିକିତ୍ସା କରିବେ।

Comments are closed.