ସ୍ୱାୟତ୍ତଶାସନ ଦିବସରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା 

ଆଠଗଡ଼ : ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସୋମବାର ସ୍ୱାୟତ୍ତଶାସନ ଦିବସ ପାଳନ ଅବସରରେ କାର୍ଯ୍ୟରତ କର୍ମଚାରୀଙ୍କୁ କରୋନା ଯୋଦ୍ଧା ରୂପେ ସମ୍ବର୍ଦ୍ଧିତ କରାଯାଇଛି। ସ୍ୱାୟତ୍ତଶାସନ ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶାଲତା ରଚ୍ଚମାଳା ଯୋଗଦେଇ ସକାଳ ୮ଟାରେ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରି ଉଦବୋଧନ ଦେଇଥିଲେ। ଆଠଗଡ଼କୁ ଏକ ସ୍ୱଚ୍ଛ ପ୍ରଦୂଷଣମୁକ୍ତ ସରସ ସୁନ୍ଦର ସହର ଭାବେ ଗଢ଼ି ତୋଳିବା ଲାଗି ସମସ୍ତଙ୍କର ସମ୍ମିଳିତ ଉଦ୍ୟମ ଲୋଡ଼ା ବୋଲି ନିର୍ବାହୀ ଅଧିକାରୀ ସୁଶ୍ରୀ ରଚମାଳା ପ୍ରକାଶ କରିଥିଲେ। ପ୍ରତ୍ୟେଷରେ ସହର ତମାମ ରାମଧୂନ ପ୍ରସାର ପରେ ସକାଳ ୭ଟାରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। କୋଭିଡ଼ ୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ନିରାଡ଼ମ୍ବର ଭାବେ ସ୍ୱାୟତ୍ତଶାସନ ଦିବସ ପାଳନ କରାଯାଇଥିଲା। ଗତ ମାର୍ଚ୍ଚ ମାସରୁ କରୋନା ସଂକ୍ରମଣ ଆରମ୍ଭ ହେବା ଦିନଠାରୁ ଏନଏସିରେ କାର୍ଯ୍ୟରତ ସମସ୍ତ କର୍ମଚାରୀଦୁଇଟି ସଙ୍ଗରୋଧ କେନ୍ଦ୍ର ପରିଚାଳନା , ସହର ତମାମ ବିଶୋଧନ, ସେ‘ଇ, ସଂକ୍ରମିତଙ୍କୁ ଚିକିତ୍ସାଳୟ ପଠାଇବା, କଣ୍ଟାକ୍ଟ ଟ୍ରେସିଂ କରିବା, ପ୍ରବାସୀଙ୍କ ଆଗମନ ପରିଚାଳନା, କଣ୍ଟେନମେଣ୍ଟ ଜୋନ, ଲକଡାଉନ ଓ ସଟଡାଉନ ସ୍ଥିତିପରିଚାଳନା କରିବା ଆଦି କାର୍ଯ୍ୟକୁ ଅତି ନିଷ୍ଠାର ସହ କରିଥିବାରୁ ସେମାନଙ୍କୁ ନିର୍ବାହୀ ଅଧିକାରୀ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଥିଲେ। ଏଥି ସହିତ ସେହି କର୍ମଚାରୀ, ସେ‘ଇ କର୍ମଚାରୀ ଓ ସ୍ୱଚ୍ଛସାଥୀମାନଙ୍କୁ ସେମାନଙ୍କର ନିଷ୍ଠାପର ସେବା ଭାବେ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ନିର୍ବାହୀ ଅଧିକାରୀ ସମ୍ବର୍ଦ୍ଧିତ କରିଥିଲେ।

Comments are closed.