କରୋନା ଲଢ଼େଇରେ ସାରଥୀ ସମ୍ବଲପୁରର ଅଙ୍କନ: ନିଜ ଦେହରେ ନେଲେ କୋବିଦ ପରୀକ୍ଷା ଟୀକା

ସମ୍ବଲପୁର : ଇଂଲଣ୍ଡର ଅକ୍ସଫୋର୍ଡ ୟୁନିଭରସିଟି ଓ ଏକ ଔଷଧ କମ୍ପାନୀ ମିଳିତ ଭାବରେ କରୋନା ଟୀକାକୁ ନେଇ ଗବେଷଣା କରୁଛନ୍ତି। ସଂପ୍ରତି ଫେଜ୍‌-୨ ଓ ଫେଜ୍‌-୩ ଏକାସାଙ୍ଗରେ ଚାଲୁଥିବାବେଳେ ଆସନ୍ତା ଅକ୍ଟୋବର ପର୍ଯ୍ୟନ୍ତ କରୋନା ଟୀକା ପ୍ରସ୍ତୁତ ହୋଇପାରିବ ବୋଲି ଆଶା ପ୍ରକାଶ କରାଯାଇଛି। ସମ୍ବଲପୁର ମାଝିପାଲି ଅଞ୍ଚଳର ଅବସରପ୍ରାପ୍ତ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ଡା. ବିନୋଦ ନାଏକଙ୍କ ପୁଅ ଅଙ୍କନ ନାଏକ ଏହି ଟୀକା ପରୀକ୍ଷା ପାଇଁ ସ୍ବେଚ୍ଛାସେବୀ ସାଜିଛନ୍ତି । କରୋନା ନିମନ୍ତେ ଗବେଷଣାଧୀନ ଟୀକା ନିଜ ଦେହରେ ନେଇଛନ୍ତି ।

ଅଙ୍କନଙ୍କ କହିବା ଅନୁସାରେ  ଅକ୍ସଫୋର୍ଡ ପକ୍ଷରୁ ୧୦ ହଜାର ଟୀକା ପରୀକ୍ଷା ନିମନ୍ତେ ୧୦ ହଜାର ସ୍ବେଚ୍ଛାସେବୀ ଆବଶ୍ୟକ। ଏଥିପାଇଁ ସେ ଜାଣିବା ପରେ ନିଜ ପକ୍ଷରୁ  ଆଗ୍ରହ ପ୍ରକାଶ କରିଥିଲେ। ଏବେ ସେମାନେ ଦେଇଥିବା ଫର୍ମାଟରେ ନିଜ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ଅନ୍‌ଲାଇନରେ ପ୍ରତିଦିନ ରିପୋର୍ଟ ପଠାଉଥିବା କହିଛନ୍ତି। ସୂଚନାଯୋଗ୍ୟ ଯେ, ଅଙ୍କନ ଗତ ଚାରିବର୍ଷ ହେବ ଅକ୍ସଫୋର୍ଡରେ ରହୁଛନ୍ତି ଏବଂ ଏକ ଆଇଟି କମ୍ପାନୀରେ କାର୍ଯ୍ୟ କରୁଛନ୍ତି ।

Comments are closed.