ମହାବଳୀ କରୋନା

ପ୍ରତିଷେଧକ ବ୍ୟବସ୍ଥା ହିଁ ବଞ୍ଚିବାର ବିକଳ୍ପ

ଏକବିଂଶ ଶତାବ୍ଦୀରେ ସବୁଠାରୁ ବଳଶାଳୀ କିଏ ? ଆମେ ଜାଣୁ ଯେ ପ୍ରକୃତି ହିଁ ସର୍ବାଧିକ ବଳଶାଳୀ । ତା’ପରେ ଆସେ ମଣିଷର ନାଁ । ଈଶ୍ୱରଙ୍କ ରୂପଧାରୀ ମଣିଷ ଏବେ ବିଜ୍ଞାନବଳରେ ଅସାଧ୍ୟକୁ ସାଧନ କରିବାରେ ସକ୍ଷମ । ପୃଥିବୀକୁ ସରସ, ସୁନ୍ଦର, ପ୍ରାଚୁର୍ଯ୍ୟମୟ କରିବାରେ ମଣିଷର ଯୋଗଦାନ ଯେତିକି ରହିଛି ତା’ ପୃଷ୍ଠର ଜୀବ ସଂପଦକୁ ଧ୍ୱଂସ କରିବାରେ ମଣିଷର ଅପରିଣାମଦର୍ଶୀ କାର୍ଯ୍ୟର ଅବଦାନ ମଧ୍ୟ ସେତିକି ରହିଛି । ନିଜ ଜ୍ଞାନର ଉପଯୋଗ ମାଧ୍ୟମରେ ଏବେ ବିପଦପୂର୍ଣ୍ଣ ଜଳମଣ୍ଡଳ, ଆକାଶମଣ୍ଡଳକୁ ବିଜ୍ଞାନୀ ମାନବ ଜୟ କରିସାରିଲାଣି । ପୃଥିବୀ ବ୍ୟତୀତ ଅଜଣା ମହାକାଶ ପିଣ୍ଡରେ ପାଦପକାଇ ଇତିହାସ ରଚିବା ସହ ଅନନ୍ତ ମହାସାଗରର ଅତି ଗଭୀରସ୍ଥାନକୁ ମଧ୍ୟ ସ୍ପର୍ଶ କରିବାରେ କୃତିତ୍ୱ ହାସଲ କଲାଣି । ପୃଥିବୀପୃଷ୍ଠର ସର୍ବୋଚ୍ଚ ହିମମଣ୍ଡଳରେ ନିଜର ଉପସ୍ଥିତିର ଧ୍ୱଜା ଉଡ଼ାଇବା ସହ କୃତ୍ରିମ ମାନବ ସୃଷ୍ଟିକରି ତାକୁ ବିପଦପୂର୍ଣ୍ଣ ସ୍ଥାନରେ ନିୟୋଜିତ କରି ଅନେକ ଅସାଧ୍ୟ କାର୍ଯ୍ୟକୁ ସାଧନ କରିବାରେ ମଣିଷ ଉଲ୍ଲେଖନୀୟ ସଫଳତା ହାସଲ କରିବା ଆମ ଭଳି ମଣିଷମାନଙ୍କୁ ଗୌରବାନ୍ୱିତ କରିଛି ।
ମଣିଷ କାର୍ଯ୍ୟ ମାଧ୍ୟମରେ ସବୁଆଡ଼େ ଏବେ ପ୍ରଶଂସାର ପାତ୍ର ହେଉଥିବାବେଳେ ସାମାନ୍ୟ କେତେକ କ୍ଷୁଦ୍ରାତିକ୍ଷୁଦ୍ର, ମୃତପ୍ରାୟ, ଚାରିଆଡ଼େ ବିସ୍ତାରିତ ହୋଇ ରହିଥିବା ଅଦୃଶ୍ୟ ଜୀବ ନିକଟରୁ ଅସହାୟ ଭାବେ ପରାଜୟ ବରଣ କରି ମର୍ମାହତ ହୋଇପଡ଼ିଛି । ଏ ଜୀବମାନେ କିଏ ? ସେମାନଙ୍କ ସଂଖ୍ୟା ପୃଥିବୀର ସବୁ ଜୀବଜନ୍ତୁଙ୍କ ସଂଖ୍ୟାଠାରୁ ହିଁ ଅଧିକ । ଆମ ଭଳି ଏମାନଙ୍କର ଅଙ୍ଗ ପ୍ରତ୍ୟଙ୍ଗ ନାହିଁ, ବିକଶିତ ଶରୀର ନାହିଁ, ସ୍ଥାୟୀ ବାସସ୍ଥାନ ନାହିଁ, ଏପରିକି ସଂପୂର୍ଣ୍ଣ ବୟସ ଭିତରେ ଏକ ଜୀବନ୍ତ ଜୀବ ରୂପେ ଏମାନେ ଆବିର୍ଭୂତ ନହୋଇ ଅନେକ ସମୟରେ ମୃତବତ୍‌ ରହିଥାଆନ୍ତି । ଏହି କ୍ଷୁଦ୍ର, ଅଦୃଶ୍ୟ ଜୀବ ପୁଣି ପୃଥିବୀପୃଷ୍ଠର ସର୍ବ ପୁରାତନ ସଜୀବ । ମଣିଷ ପ୍ରଜାତିର ଆବିର୍ଭାବ ପ୍ରାୟ ୨୦ଲକ୍ଷ ବର୍ଷ ତଳେ ପୃଥିବୀପୃଷ୍ଠରେ ହୋଇଥିବା ବେଳେ ଏହି ଜାତିର ଜୀବଙ୍କ ଆବିର୍ଭାବ ଆଜିଠାରୁ ୪୦୦ କୋଟି ବର୍ଷ ତଳେ ପୃଥିବୀପୃଷ୍ଠରେ ହୋଇଥିବାର ଜଣାଯାଏ । ଏମାନଙ୍କୁ ଜୀବାଣୁ, ବ୍ୟାକ୍ଟେରିଆ ବା ବୀଜାଣୁ, ଭାଇରସ୍‌ ବା ଭୂତାଣୁ କୁହାଯାଏ । ଏମାନଙ୍କୁ ଜଳ, ସ୍ଥଳ, ଆକାଶ, ସମୁଦ୍ରର ଗଭୀରତମ ସ୍ଥାନଠାରୁ ଆରମ୍ଭ କରି ମାଟି ଭିତରେ, ଅମ୍ଳଜାନ ନଥିବା ତୁଷାରାବୃତ୍ତ ପର୍ବତମାଳାରେ ଦେଖିବାକୁ ମିଳେ। ଏହି ଶ୍ରେଣୀର ଅଦୃଶ୍ୟ ଜୀବଗୋଷ୍ଠୀ ଯେ ଅତ୍ୟନ୍ତ କ୍ଷୁଦ୍ର ଓ ଆମ ଆଖିରେ ଅଦୃଶ୍ୟ, ତାହା ନୁହେଁ, ପରନ୍ତୁ କେତେକଙ୍କ ଶରୀରର ଓଜନ ୧ରୁ ୬ ମାଇକ୍ରୋମିଟର ଭିତରେ ହୋଇଥିବାରୁ ଅତ୍ୟନ୍ତ ହାଲକା ଓ ସହଜରେ ବାୟୁମଣ୍ଡଳରେ ଭାସମାନ ଅବସ୍ଥାରେ ରହିପାରନ୍ତି । ତେବେ ଯେତେବେଳେ ଏମାନେ ମଣିଷ ବା ଏକଜୀବନ୍ତ କୋଷ ସଂସ୍ପର୍ଶରେ ଆସନ୍ତି ସେମାନଙ୍କର ଅବିଶ୍ୱସନୀୟ ବିଭୀଷିକାମୟ କାର୍ଯ୍ୟକ୍ରମ ଆରମ୍ଭ ହୁଏ । ମାତ୍ର କେତେଦିନ ମଧ୍ୟରେ ଏମାନେ ଗୋଟିଏ କୋଷରୁ କୋଟିଏ କୋଷରେ ପରିଣତ ହୋଇ ଆଶ୍ରୟ ନେଇଥିବା ଜୀବଟିର ଜୀବନ ନେବାରେ ସକ୍ଷମ ହୋଇଥାଆନ୍ତି । ଏମାନଙ୍କ ଦ୍ୱାରା ସଂକ୍ରମିତ ବ୍ୟକ୍ତିଠାରୁ ଏମାନେ ସ୍ପର୍ଶ, ବାୟୁ, ଜଳ କିମ୍ବା ଅନ୍ୟ କେତେକ ଜୀବଜନ୍ତୁ, ଯଥା- ବିରାଡି, କୁକୁର, ବାଦୁଡ଼ି, ସାପ, ମୂଷା, ଓଟ, ବଜ୍ରକାପ୍ତା, ଅନ୍ୟ କୀଟପତଙ୍ଗ, ଅସରପା, ଛେଳି, ଘୁଷୁରି, ଗଧ, ସମୁଦ୍ର ମାଛ ଭଳି ୧୧ଟି ଜୀବ ଦ୍ୱାରା ସଂକ୍ରମିତ ହୋଇ ଅନ୍ୟ ସୁସ୍ଥ ମଣିଷଙ୍କ ନିକଟରେ ପହଞ୍ଚିଯାଆନ୍ତି (ନୂତନ କରୋନା ଭୂତାଣୁ) ।
ତେବେ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖାଯାଉନଥିବା କ୍ଷୁଦ୍ରାତିକ୍ଷୁଦ୍ର ଭୂତାଣୁର ବର୍ତ୍ତମାନର ଆବିର୍ଭାବ ହୋଇଛି ଏନସିଓଭି ବା ନୂତନ କରୋନା ଭୂତାଣୁ ନାମରେ । ଏହା ବର୍ତ୍ତମାନ ସୁଦ୍ଧା ଚୀନରେ ଅଢ଼େଇହଜାରରୁ ଅଧିକ ଲୋକଙ୍କ ଜୀବନ ନେବା ସହିତ ୮୦ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ଆକ୍ରାନ୍ତ କରିବା ସହ ସାରା ପୃଥିବୀର ୩୫ରୁ ଅଧିକ ଦେଶରେ ନିଜର ଉପସ୍ଥିତି ଜାହିର କରି ସମଗ୍ର ପୃଥିବୀରେ ଏକ ଆତଙ୍କିତ ଅବସ୍ଥା ସୃଷ୍ଟି କଲାଣି । ଚଳିତ ଶତାବ୍ଦୀରେ ବିଗତ ୨୦ ବର୍ଷ ମଧ୍ୟରେ ପୃଥିବୀରେ ଦେଖାଦେଇଥିବା ମଣିଷ ମାରକ ଭୂତାଣୁଗୁଡ଼ିକ ହେଲେ ଚୀନରେ ଦେଖାଦେଇଥିବା ସାର୍ସ ଭୂତାଣୁ, ସାଉଦି ଆରବର ମାର୍ସ ଭୂତାଣୁ, ଏଚ୧ ଏନ୧ ଭୂତାଣୁ, ଇବୋଲା ଭୂତାଣୁ, ଜିକା ଭୂତାଣୁ, ସ୍ୱାଇନ ଫ୍ଲୁ ଭୂତାଣୁ, ଓଭିଡି କରୋନା ଭୂତାଣୁ ଓ ଶେଷରେ କରୋନା ବା ନୂତନ କରୋନା ଭୂତାଣୁ । ସବୁଠାରୁ ଉଦ୍‌ବେଗଜନକ ବିଷୟ ହେଉଛି ଏହି ଭୂତାଣୁ ଆକ୍ରମଣରୁ ରକ୍ଷା ପାଇବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ ।
କୌତୂହଳପ୍ରଦ ବିଷୟ ହେଉଛି ମଣିଷ ଶରୀର କୋଟିକୋଟି ସଂଖ୍ୟକ କୋଷକୁ ନେଇ ଗଠିତ ହୋଇଥିବା ବେଳେ କରୋନା ଭୂତାଣୁର କୋଷସଂଖ୍ୟା ମାତ୍ର ଗୋଟିଏ । ଏହି କୋଷରେ ଜନନ ପଦାର୍ଥ ରୂପେ ଆରଏନଏ ବା ଡିଏନଏ ରହିଥାଏ । ଏହାକୁ ଘେରି ଯେଉଁ କୋଷପ୍ରାଚୀର ଥାଏ ତାହା ପୁଷ୍ଟିସାରରେ ନିର୍ମିତ । ତେବେ ଏହି ସାଦାସିଧା କୋଷଟି ମୃତପ୍ରାୟ ସବୁବେଳେ ରହିଥିବାବେଳେ ନିଜର ଅଭିବୃଦ୍ଧି ତଥା ବଂଶବୃଦ୍ଧି ପାଇଁ ଜୀବନ୍ତ କୋଷଟିଏ ଆବଶ୍ୟକ କରିଥାଏ । ଏହି କୋଷର ଏଞ୍ଜାଇମକୁ ବ୍ୟବହାର କରି ସେ ନିଜର ବିକାଶ ଓ ବଂଶବୃଦ୍ଧି ସଂପାଦନ କରିଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହାର ପ୍ରୋଟିନ୍‌ ଦ୍ୱାରା ଗଠିତ ବାହ୍ୟ କୋଷପ୍ରାଚୀରରେ ହିଁ ରୋଗ ସୃଷ୍ଟିକାରୀ ବିଷାକ୍ତ ପଦାର୍ଥ ରହିଥାଏ  ଯାହା ଅଧିକାଂଶ ସମୟରେ ନିଜର ପ୍ରକୃତିକୁ ପରିବର୍ତ୍ତିତ କରି ଚାଲିଥାଏ । ତେଣୁ ଗବେଷକମାନେ କରୋନା ଭୂତାଣୁର ବାହ୍ୟ ପ୍ରାଚୀରରେ ଥିବା ବିଷାକ୍ତ ପଦାର୍ଥକୁ ନଷ୍ଟ କରିବାକୁ ଉଦ୍ୟମ କରି ନିର୍ଦିଷ୍ଟ ପ୍ରତିଷେଧକ ତିଆରି କଲେ ମଧ୍ୟ ଏହାକୁ ପ୍ରୟୋଗ କରିବା ବେଳକୁ ହୁଏତ ସେହି ବିଷାକ୍ତ ପଦାର୍ଥର ଚରିତ୍ର ପରିବର୍ତ୍ତିତ ହୋଇଯାଇ ପ୍ରତିଷେଧକ କିଛି କାମ କରେ ନାହିଁ ଓ ଭୂତାଣୁଟି ପୂର୍ବବତ୍‌ ତା’ର ବିନାଶକାରୀ ଚରିତ୍ରରେ କାର୍ଯ୍ୟ କରିବାରେ ସଫଳ ହୋଇଥାଏ ।
ଉପରୋକ୍ତ ତଥ୍ୟରୁ କରୋନା ଭୂତାଣୁ ଭଳି ଏକ ଦୁର୍ବଳ ମନେ ହେଉଥିବା ପରାଙ୍ଗଜୀବୀର ବିଚିତ୍ର ଓ ବିସ୍ମୟଜନକ କାର୍ଯ୍ୟକଳାପ ଆମ ସମ୍ମୁଖକୁ ଆସିଥାଏ । କଥାରେ ଅଛି “ଛୋଟ ସାପର ବିଷ ବେଶୀ” । ପ୍ରକୃତରେ ବୈଚିତ୍ର୍ୟମୟ ପୃଥିବୀରେ କ୍ଷୁଦ୍ରାତିକ୍ଷୁଦ୍ର ଅଦୃଶ୍ୟ ଭୂତାଣୁ, ବୀଜାଣୁ ଯେ କେତେ ମାରାତ୍ମକ ଓ ବିଭୀଷିକାମୟ, ପୁଣି ଏମାନେ ଯେ ମଣିଷ ଭଳି ବୁଦ୍ଧିମାନ ଜୀବଙ୍କୁ ଅନାୟାସରେ, ଅସମୟରେ, ଅବିଶ୍ୱସନୀୟ ଭାବେ ମାରିବାରେ ସଫଳ, ତାହା ବହୁବାର ପ୍ରମାଣିତ । ଏମାନଙ୍କ ଦାଉରୁ ରକ୍ଷାପାଇବାର ଉପାୟ ହୁଏତ ଏମାନଙ୍କୁ ସମୂଳେ ବିନାଶ ନୁହେଁ, କାରଣ ଏହା ସମ୍ଭବ ନୁହେଁ। ପରନ୍ତୁ ଏମାନେ ମଣିଷ ଶରୀର ମଧ୍ୟକୁ ପ୍ରବେଶ କରିବାର ବାଟକୁ ବନ୍ଦ କରିବା ହିଁ ପ୍ରକୃତ ପ୍ରତିଷେଧକ । ଖାଇବା ପୂର୍ବରୁ ହାତଧୋଇବା ସହ କଞ୍ଚାମାଂସ ବା ଅଧାସିଝା ମାଂସ ଭକ୍ଷଣ ତ୍ୟାଗ କରିବା ସହ ପାଟି, ନାକ, ହାତକୁ ପରିଷ୍କାର ଓ ଆବୃତ୍ତ ରଖିବା ସହ ଗଳା, ନାସିକା ଓ ଶ୍ୱାସନଳୀର ସୁସ୍ଥତା ପ୍ରତି ଧ୍ୟାନ ଦେବା ହିଁ ଜରୁରୀ ମନେହୁଏ । କରୋନା ଚରିତ୍ରରୁ ସ୍ପଷ୍ଟ ହୁଏ ଯେ ପ୍ରକୃତରେ ମଣିଷ ନୁହେଁ, ପରନ୍ତୁ ଅଦୃଶ୍ୟ କ୍ଷୁଦ୍ରାତିକ୍ଷୁଦ୍ର ଏହି ଭୂତାଣୁ ହିଁ ମହାବଳୀ । ସୁଯୋଗ ପାଇଲେ ନିଜକୁ ଶ୍ରେଷ୍ଠ ସର୍ବାଧିକ ବଳଶାଳୀ ଭାବୁଥିବା ମାନବସମାଜକୁ ମଧ୍ୟ ଅସହାୟ ଅବସ୍ଥାରେ ନିଃଶେଷ କରିବାରେ ଏହା ସକ୍ଷମ ।

ପ୍ରମୋଦ କୁମାର ମହାପାତ୍ର
ବରିଷ୍ଠ ସାମ୍ବାଦିକ, ସାମ୍ବାଦିକ କଲୋନୀ,
କଟକ-୮

Comments are closed.