ବିଶ୍ବରେ କରୋନା ବଢ଼ାଇବ ଦାରିଦ୍ର୍ୟ : ବିଶ୍ବବ୍ୟାଙ୍କ

ଆର୍ଥିକ ମାନ୍ଦାବସ୍ଥାରୁ ବର୍ତ୍ତିଯିବ ଭାରତ: ଜାତିସଂଘ

ୱାଶିଂଟନ : କରୋନା ଏକ ବୈଶ୍ବିକ ମହାମାରୀ ଭାବରେ ଉଭା ହୋଇଛି ଏବଂ ଏହା ବିଶ୍ବ ଅର୍ଥନୀତିକୁ କବଳିତ କରିଛି । କରୋନା ଭୂତାଣୁ ପ୍ରଭାବହୀନ ହେବା ପରେ ସାରା ବିଶ୍ବ ଅର୍ଥନୀତି ଘୋର ସଙ୍କଟଜନକ ସ୍ଥିତିରେ ପହଞ୍ଚିପାରେ ଓ ଗରିବଙ୍କ ସଂଖ୍ୟା ବୃଦ୍ଧି ଘଟିପାରେ ବୋଲି ଆକଳନ କରିଛି ବିଶ୍ବବ୍ୟାଙ୍କ । ଏପରିକି କେବଳ ପୂର୍ବ ଏସୀୟ ଓ ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ରଗୁଡ଼ିକରେ ଗରିବଙ୍କ ସଂଖ୍ୟା ୧୦ ନିୟୁତରୁ ଅଧିକ ହୋଇ ପାରନ୍ତି ବୋଲି ଏହି ଆକଳନରେ ଦର୍ଶାଯାଇଛି । ତେବେ ସବୁ ନକରାତ୍ମକ ଆକଳନ ମଧ୍ୟରେ ଶୁଭ ଖବରଟି ହେଉଛି ଭାରତ ଏହି ଏହି ମାନ୍ଦାବସ୍ଥାରୁ ବର୍ତିଯାଇ ପାରେ ବୋଲି ବିଶ୍ବବ୍ୟାଙ୍କ ଆଶାପ୍ରକାଶ କରିଛି । ମାର୍ଚ୍ଚ ୩୦ ତାରିଖରେ ପ୍ରକାଶିତ ‘ ଏପ୍ରିଲ ୨୦୨୦ ଇକୋନୋମିକ୍ ଅପ୍ ଡ଼େଟ୍ ଇଷ୍ଟ ଏସିଆ ଏଣ୍ଡ ଦ ପାସିଫିକ୍’ ରିପୋର୍ଟରେ ଏହା ପ୍ରକାଶିତ ହୋଇଛି । ଅନ୍ୟପକ୍ଷରେ ଭାରତ କରୋନା ବିପତ୍ତି ପରବର୍ତ୍ତୀ ଆର୍ଥିକ ମାନ୍ଦାବସ୍ଥାରୁ ମୁକୁଳିଯିବ ବୋଲି ଜାତିସଂଘ ମଧ୍ୟ ଆକଳନ କରିଛି ।
ବିଶ୍ବବ୍ୟାଙ୍କ ରିପୋର୍ଟ ଅନୁସାରେ କୋଭିଦ-୧୯ ଦାରିଦ୍ର୍ୟକୁ ଅଧିକ ତୀବ୍ର କରିବ । ବର୍ତ୍ତମାନର ଦୃତ ପରିବର୍ତ୍ତନଶୀଳ ଆର୍ଥନୀତିକ ପରିବେଶରେ ଆର୍ଥିକ ବିକାଶ ଶୀଥିଳ ହେବ । ଚୀନର ଆର୍ଥିକ ବିକାଶ ୨୦୧୯ରେ ୫.୮% ଥିବାବେଳେ ୨୦୨୦ରେ ଏହା ୨.୩%କୁ ହ୍ରାସ ପାଇପାରେ । ମାତ୍ର ଜାତିସଂଘ ରିପୋର୍ଟ (ୟୁଏନସିଟିଏଡ଼ି) ଅନୁସାରେ କରୋନା ପରବର୍ତି ସ୍ଥିତିରୁ ଭାରତ ପରି ଚୀନ ମଧ୍ୟ ମୁକୁଳି ଯାଇପାରେ । ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ସାରା ବିଶ୍ବର ଦୁଇ ତୃତୀୟାଂଶ ଲୋକ ବସବାସ କରୁଛନ୍ତି । କରୋନା ଯୋଗୁଁ ଯେଉଁ ଆର୍ଥିକ ବିପର୍ଯ୍ୟୟ ସୃଷ୍ଟି ହେବ ତାହାକୁ ଭରଣା ପାଇଁ ୨.୫ ଟ୍ରିଲିୟନ ଡ଼ଲାର ଆବଶ୍ୟକ । ଚୀନ ନିକଟରେ ନିଜର ଆର୍ଥିକ ସ୍ଥିତି ସୁଧାରିବାର କ୍ଷମତା ରହିଛି ।
ୟୁଏନସିଟିଏଡ଼ି ରିପୋର୍ଟ ଅନୁସାରେ କରୋନା ପରବର୍ତ୍ତୀ ସ୍ଥିତିର ଆକଳନ ଅତ୍ୟନ୍ତ କଷ୍ଟକର । ସାରା ବିଶ୍ବର ଅର୍ଥନୀତି ମାନ୍ଦାବସ୍ଥା ଦିଗକୁ ଗତି କରୁଛି । ଟ୍ରିଲିୟନ ଟ୍ରିଲିୟନ ଡ଼ଲାର କ୍ଷତି ସହିଲାଣି ବିଶ୍ବ । ବିକାଶଶୀଳ ଦେଶଗୁଡ଼ିକ ପାଇଁ ଏହା ଅତ୍ୟନ୍ତ ସଙ୍କଟଜନକ ସମୟ। ତେବେ ଚୀନ ଓ ଭାରତ ଏଥିରୁ ବର୍ତିଯିବାର ଆଶା ରହିଛି । ତେବେ ଭାରତ ଓ ଚୀନ କିପରି ଓ କାହିଁକି ଏଥିରୁ ବର୍ତ୍ତିଯିବେ ତାହାର ବିସ୍ତୃତ ବିବରଣୀ ବର୍ତ୍ତମାନ ଦେବା ସମ୍ଭବପର ନୁହେଁ।
ଜି-୨୦ ଦେଶସମୂହ ନିଜ ଅର୍ଥ ବ୍ୟବସ୍ଥା ନିମନ୍ତେ ପ୍ରାୟ ୫ ଲକ୍ଷ କୋଟି ଡ଼ଲାର ପ୍ୟାକେଜ ଘୋଷଣା କରିଛନ୍ତି । ଅବଶ୍ୟ ଏହା ଏକ ବଡ଼ ପଦକ୍ଷେପ, ଏହାଦ୍ବାରା ଆର୍ଥିକ ଓ ମାନସିକ ଭାବରେ କିଛି ପରିମାଣରେ ଆଶ୍ବସ୍ତି ମିଳିବ ବୋଲି ୟୁଏନସିଟିଏଡ଼୍ ମହାସଚିବ ମୁଖିସା କିଟୁୟି କହିଛନ୍ତି ।

Comments are closed.