କରୋନା ଲଢ଼େଇ : ଘରୋଇ ଉପଚାର

ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖନ୍ତୁ

କରୋନା ସଂକ୍ରମିତ ଅଧିକାଂଶ ଲୋକଙ୍କଠାରେ ପ୍ରାରମ୍ଭିକ ଲକ୍ଷଣ ଭାବେ କେବଳ ଥଣ୍ଡା ଓ ଜ୍ୱର ଭଳି ସାଧାରଣ ଲକ୍ଷଣ ପ୍ରକାଶ ପାଇଥାଏ ଯାହାର ଉପଚାର ଉପଯୁକ୍ତ ସମୟରେ ଘରେ ରହି କରାଯାଇପାରିବ। ଘରେ ଏଭଳି ରୋଗୀଙ୍କ ଯତ୍ନ ଠିକ ଭାବେ ନିଆଗଲେ କରୋନା ସଂକ୍ରମଣକୁ ରୋକାଯାଇପାରିବ ଓ ସାଙ୍ଘାତିକ ଅସୁସ୍ଥ ହୋଇ କୋଭିଡ-୧୯ରେ ପୀଡ଼ିତ ହେବା ଭଳି ପରିସ୍ଥିତିରୁ ଲୋକଙ୍କୁ ସୁରକ୍ଷା ଦେଇ ହେବ ବୋଲି ରୋଗ ନିୟନ୍ତ୍ରଣ ଓ ପ୍ରତିଷେଧକ କେନ୍ଦ୍ର ବା ସିଡିସି ଏହାର ୱେବସାଇଟରେ ପ୍ରକାଶ କରିଛି। ସାଙ୍ଘାତିକ ପରିସ୍ଥିତିକୁ ଏଡାଇବା ଲାଗି ଏହି ସମୟରେ ଜରୁରୀ ପରିସ୍ଥିତି ଉପୁଜିବା ଭଳି ପ୍ରାକ ସଙ୍କେତଗୁଡିକ ଉପରେ ସର୍ବଦା ଦୃଷ୍ଟି ରଖିବାକୁ ହେବ। ଯେଭଳି ଭୂତାଣୁ ସଂକ୍ରମଣ ନ ବ୍ୟାପିବା ନେଇ ସତର୍କ ରହିବାକୁ ହେବ। ରୋଗର ଲକ୍ଷଣଗୁଡିକୁ ଚିହ୍ନି ତାହାର ଉପଚାର କରିବା ଏବଂ ଘରେ ରୋଗୀଙ୍କୁ ଏକାନ୍ତରେ ରଖିବା ଭଳି ବିଶେଷ ସତର୍କତା ଅବଲମ୍ବନ କରିବାକୁ ହେବ ବୋଲି ସିଡିସିି ଦର୍ଶାଇଛି। ସମ୍ପୃକ୍ତ ରୋଗୀଙ୍କୁ କେତେବେଳେ ଏକାନ୍ତତାରୁ ବାହାର କରି ଅଣାଯିବ ସେଥିପ୍ରତି ମଧ୍ୟ ସତର୍କ ରହିବ ଉଚିତ। ବିଦେଶରୁ ଫେରୁଥିବା ବହୁ ଲୋକ କ୍ୱାରେନ୍‍ଟାଇନରେ ରହୁଥିବା ବେଳେ ଯଦିି ଏମିତି କିଛି ସାଧାରଣ ପ୍ରାରମ୍ଭିକ ଲକ୍ଷଣ ପ୍ରକାଶ ପାଏ ତା’ହେଲେ ଘରେ ଉପଚାର ପାଇଁ ଏହିସବୁ ସତର୍କତା ଅବଲମ୍ବନ କରିବା ଉଚିତ।

– ରୋଗୀଙ୍କୁ ଗୋଟିଏ ଘରେ ଆଇସୋଲେସନରେ ରଖନ୍ତୁ।
– ଜଣାଶୁଣା ଓ ଅଭିଜ୍ଞ ଡାକ୍ତରଙ୍କ ଟେଲିଫୋନ ନମ୍ବର ସଂଗ୍ରହ କରି ପାଖରେ ରଖନ୍ତୁ।
– ରୋଗୀଙ୍କ ଲକ୍ଷଣ କ’ଣ ତାହା ସମ୍ପୃକ୍ତ ଡାକ୍ତରଙ୍କୁ ଜଣାଇ ତାଙ୍କ ପରାମର୍ଶ ଅନୁସାରେ ଉଚିତ ଔଷଧ ରୋଗୀଙ୍କୁ ଦିଅନ୍ତୁ।
– ଔଷଧ ସେବନ ପରେ ଲକ୍ଷଣର ମାତ୍ରା ହ୍ରାସ ପାଉଛି କି ନାହିଁ ତାହା ନିୟମିତ ଯାଞ୍ଚ କରନ୍ତୁ।
– ରୋଗୀ ଯେଭଳି ଉପଯୁକ୍ତ ପରିମାଣର ପାଣି ପିଇବେ ଓ ବିଶ୍ରାମ ନେବେ ସେଥିପ୍ରତି ଯତ୍ନବାନ ହୁଅନ୍ତୁ।
– କିଛି ଲୋକଙ୍କ ଠାରେ ଏହି ଲକ୍ଷଣ ସ୍ୱଳ୍ପ ଦିନ ମଧ୍ୟରେ ଦେଖାଦେଇଥାଏ ଏବଂ ଏକ ସପ୍ତାହ ପରେ ସେ ସୁସ୍ଥ ହୋଇଯାଇଥାଆନ୍ତି।
ସେବା କରିବା ବେଳେ…
– ରୋଗୀର ସେବା କରିବା ବେଳେ ଯେଭଳି ସଂକ୍ରମଣ ନ ବ୍ୟାପିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ।
– ସମ୍ଭବ ହେଲେ ପୃଥକ ଶୌଚାଳୟ ବ୍ୟବହାର କରନ୍ତୁ।
– ପାଖରେ ମାସ୍କ ଥିଲେ ତାହା ରୋଗୀଙ୍କୁ ପିନ୍ଧାନ୍ତୁ। ଯଦି ରୋଗୀ ମାସ୍କ ପିନ୍ଧିବାରେ ଅସହଜ ବୋଧ କରୁଛନ୍ତି ତା’ହେଲେ ତାଙ୍କ ସହିତ ଗୋଟିଏ ପ୍ରକୋଷ୍ଠରେ ଥିବା ବେଳେ ଅନ୍ୟ ଲୋକମାନେ ତାହା ବ୍ୟବହାର କରନ୍ତୁ।
– ରୋଗୀ ବ୍ୟବହାର କରୁଥିବା ଟାୱେଲ, ଗାମୁଛା, ବାସନ ଏବଂ ଶଯ୍ୟାକୁ ଅନ୍ୟ କେହି ବ୍ୟବହାର କରନ୍ତୁ ନାହିଁ।
– ରୋଗୀଙ୍କୁ ଡାକ୍ତରଙ୍କ ପାଖକୁ ନେଇ ଯିବା ବେଳେ ଅଥବା ଘରେ ବୁଲାଇବା ସମୟରେ ଅଥବା ସଭିଙ୍କ ଭିତରେ ବସିଥିବା ବେଳେ ତାଙ୍କୁ ମାସ୍କ ପିନ୍ଧାନ୍ତୁ। ଅନ୍ୟମାନେ ମାସ୍କ ପିନ୍ଧନ୍ତୁ।
– ନିଜର ହାତକୁ ବାରମ୍ବାର ସାବୁନ ଓ ପାଣିରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଭଲ ଭାବେ ଧୁଅନ୍ତୁ। ବିଶେଷକରି ଅସୁସ୍ଥ ବ୍ୟକ୍ତିଙ୍କ ସହିତ କଥା ହେବା ପରେ ହାତ ଧୋଇବାକୁ ଭୁଲନ୍ତୁ ନାହିଁ। ୬୦% ଆଲକହଲ ଯୁକ୍ତ ସାନିଟାଇଜର ବ୍ୟବହାର କରୁଥିଲେ ତାହାକୁ ଭଲଭାବେ ହାତରେ ବୋଲିି ଶୁଖିବା ପର୍ଯ୍ୟନ୍ତ ଘଷନ୍ତୁ।
– ନିଜର ଆଖି, ନାକ ଓ ପାଟିକୁ ଛୁଅନ୍ତୁ ନାହିଁ।
– କବାଟ ହ୍ୟାଣ୍ଡେଲ, ଟ୍ୟାପ୍‌ ପରି ବାରମ୍ବାର ସ୍ପର୍ଶ କରୁଥିବା ସ୍ଥାନଗୁଡିକୁ ପ୍ରତିଦିନ ଜୀବାଣୁନାଶକ ଦ୍ୱାରା ସଫା କରନ୍ତୁ।
– ପୋଷାକପତ୍ର ଭଲ ଭାବେ ସଫା କରନ୍ତୁ। ସଫା କରିବା ବେଳେ ହାତରେ ଗ୍ଲୋଭସ ପିନ୍ଧନ୍ତୁ। ଲୁଗା ସଫା କରିବା ପରେ ଉକ୍ତ ଗ୍ଲୋଭସକୁ ଢାଙ୍କୁଣିଥିବା ଡଷ୍ଟବିନରେ ଫିଙ୍ଗି ଦିଅନ୍ତୁ।
– ଅନାବଶ୍ୟକ ଭାବେ ଘରକୁ କୌଣସି ଅତିଥିଙ୍କୁ ଆମନ୍ତ୍ରଣ କରନ୍ତୁ ନାହିଁ।
– ଅତିରିକ୍ତ ସନ୍ଦେହ ଦୂର କରିବା ଲାଗି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
ଜରୁରୀ ସ୍ଥିତି ଉପୁଜିଲେ…
– ରୋଗର ଲକ୍ଷଣ କମୁ ନ ଥିଲେ ଅଥବା ଶ୍ୱାସକ୍ରିୟା ସମ୍ପାଦନ କରିବାରେ କଷ୍ଟ ଅନୁଭବ କଲେ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଅଥବା ହେଲପଲାଇନ ନମ୍ବରରେ ଟେଲିଫୋନ କରି ଜଣାନ୍ତୁ।
– ସମ୍ପୃକ୍ତ ବ୍ୟକ୍ତି କୋଭିଡ-୧୯ ସନ୍ଦିଗ୍ଧ ବୋଲି ସମ୍ପୃକ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଜଣାନ୍ତୁ।
– ସଂକ୍ରମଣ ପରୀକ୍ଷା କରିବାକୁ ଯାଉ ନ ଥିବା ରୋଗୀ ୩ଟି କ୍ଷେତ୍ରରେ ଆଇସୋଲେସନ ଶେଷ କରିପାରିବେ।
– ପ୍ରଥମତଃ ଯଦି ଜ୍ୱର କମାଇବା ଲାଗି ଉଦ୍ଦିଷ୍ଟ ଔଷଧ ନ ଖାଇ ରୋଗୀକୁ ୭୨ ଘଣ୍ଟା ଅର୍ଥାତ ସମ୍ପୂର୍ଣ୍ଣ ୩ ଦିନ ଯାଏଁ ଜ୍ୱର ନ ଆସିବ,
– ଦ୍ୱିତୀୟରେ ଥଣ୍ଡା ଓ କାଶ ଭଳି ଅନ୍ୟାନ୍ୟ ଲକ୍ଷଣ କମିଯାଇଥିବ ଓ ଶ୍ୱାସକ୍ରିୟାରେ କଷ୍ଟ ହେଉ ନ ଥିବ ଏବଂ
– ଶେଷରେ ପ୍ରାରମ୍ଭିକ ଲକ୍ଷଣ ପ୍ରକାଶ ପାଇବାର ୭ ଦିନ ଅତିକ୍ରମ କରିଯାଇଥିବ।
– ସେହିଭଳି ସଂକ୍ରମଣ ପରୀକ୍ଷା କରାଇ ଥିବା ରୋଗୀ ୩ଟି କ୍ଷେତ୍ରରେ ଆଇସୋଲେସନ ଶେଷ କରିପାରିବେ। ସେଗୁଡିକ ହେଲା ଔଷଧ ନ ଖାଇ ତାଙ୍କୁ ଆଉ ଜ୍ୱର ଆସୁ ନ ଥିବ, ରୋଗର ଲକ୍ଷଣ ସମାପ୍ତ ହୋଇଯାଇଥିବ ଏବଂ ୨୪ ଘଣ୍ଟା ବ୍ୟବଧାନରେ ଦୁଇଥର ସଂକ୍ରମଣ ପରୀକ୍ଷାରେ ନେଗେଟିଭ ରିପୋର୍ଟ ଆସିଥିବ।

Comments are closed.