ଗୋଆ ଓ ମଣିପୁର କରୋନାମୁକ୍ତ ; ୨୪ଘଣ୍ଟାରେ ୧୫୫୩ ସଂକ୍ରମିତ, ୩୬ ମୃତ

-ସଂକ୍ରମଣର ଦ୍ବିଗୁଣିତ ହାରରେ ଉନ୍ନତି, ଓଡ଼ିଶା, -କେରଳକୁ କେନ୍ଦ୍ରର ପ୍ରଶଂସା

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୭,୬୫୬ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୫୫୯ରେ ପହଞ୍ଚିଛି । ସୋମବାର ଅପରାହ୍ଣ ସୁଦ୍ଧା ୨୪ଘଣ୍ଟା ମଧ୍ୟରେ ଦେଶରେ ୧୫୫୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୬ଜଣଙ୍କର ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ‌କହିଛି। ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ଯେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୨୫୪୬ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ପ୍ରତି ୧୦୦ ସଂକ୍ରମିତଙ୍କ ମଧ୍ୟରୁ ୧୪.୭୫ଜଣ ସୁସ୍ଥ ହୋଇଛନ୍ତି। ଅବଶିଷ୍ଟ ଚିକିତ୍ସାଧୀନ ଅଛନ୍ତି କିମ୍ବା ପ୍ରାଣ ହରାଇଛନ୍ତି। ୫୯ଟି ଜିଲାରେ ଗତ ୧୪ ଦିନ ମଧ୍ୟରେ କୌଣସି ନୂଆ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ପୁଡୁଚେରୀର ମାହେ, କର୍ଣ୍ଣାଟକର କୋଡାଗୁ ଓ ଉତ୍ତରାଖଣ୍ଡର ପୌରି ଘରୱାଲ ଜିଲାରେ ଗତ ୨୮ ଦିନ ମଧ୍ୟରେ ନୂଆ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି। ଗୋଆ ଓ ମଣିପୁର ଏବେ କୋଭିଡ୍‌ମୁକ୍ତ ରାଜ୍ୟ ହୋଇଛନ୍ତି। ରାଜ୍ୟରେ ୭ମ ସଂକ୍ରମିତ ବ୍ୟକ୍ତି ରବିବାର ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଏହାକୁ କରୋନା ମୁକ୍ତ ରାଜ୍ୟ ଘୋଷଣା କରାଯାଇଛି। ସେହିପରି ମଣିପୁରରେ ସଂକ୍ରମିତ ୨ଜଣ ସୋମବାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନାଗାଲାଣ୍ଡରେ ଏପର୍ଯ୍ୟନ୍ତ କୌଣସି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ଅନ୍ୟପକ୍ଷରେ ମହାରାଷ୍ଟ୍ରର ପୁଣେ ମେଟ୍ରୋପଲିଟାନ ଅଞ୍ଚଳ ସହିତ ଛିଣ୍ଡୱାଡ଼ାକୁ ଏପ୍ରିଲ ୨୭ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଛି।

  କରୋନା ସାରଣୀ
ଦେଶ         ସଂକ୍ରମିତ             ମୃତ୍ୟୁସଂଖ୍ୟା              ସୁସ୍ଥ ହେଲେ
ବିଶ୍ୱ       ୨୪,୪୩,୯୫୪    ୧,୬୭,୯୮୬          ୬,୪୦,୨୫୨
ଭାରତ          ୧୭,୬୧୫              ୫୫୯              ୨,୮୫୪
ଆମେରିକା  ୭,୭୦,୮୧୯       ୪୧,୩୪୯            ୭୧,୪୮୯
ସ୍ପେନ        ୨,୦୦,୨୧୦       ୨୦,୮୫୨            ୮୦,୫୮୭
ଇଟାଲୀ     ୧,୮୧,୨୨୮      ୨୪,୧୧୪             ୪୮,୮୭୭
ଫ୍ରାନ୍ସ      ୧,୫୨,୮୯୪       ୧୯,୭୧୮              ୩୬,୫୭୮
ଜର୍ମାନୀ   ୧,୪୬,୨୦୦         ୪,୬୮୩               ୯୧,୫୦୦
ବ୍ରିଟେନ   ୧,୨୪,୭୪୩       ୧୬,୫୦୯               ……………
ଇରାନ       ୮୩,୫୦୫          ୫,୨୦୨              ୫୯,୨୭୩
ବେଲ୍‌ଜିୟମ୍‌  ୩୯,୯୮୩         ୫,୮୨୮                 ୮,୮୯୫
ପାକିସ୍ତାନ       ୮,୪୧୮           ୧୭୬                   ୧୯୭୦
  (ସୋମବାର ରାତି ୧୦ଟା ସୁଦ୍ଧା ୱାର୍ଲଡୋମିଟର ଆଧାରିତ ତଥ୍ୟ)

ଭାରତୀୟ ଭେଷଜ ଗବେଷଣା ପରିଷଦର ନିର୍ଦେଶକ ରମଣ ଗଙ୍ଗାଖେଦକର କହିଛନ୍ତି, ୮୦% କରୋନା ସଂକ୍ରମିତଙ୍କ ଠାରେ ଲକ୍ଷଣ ବହୁତ କମ୍।
ଅନ୍ୟପଟେ ଦେଶରେ ସଂକ୍ରମଣର ଦ୍ବିଗୁଣିତ ହାରରେ ଉନ୍ନତି ହୋଇଛି। ଜାତୀୟସ୍ତରରେ ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣ ହେବାକୁ ୭.୫ଦିନ ଲାଗୁଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଲକ୍‌ଡାଉନ ପୂର୍ବରୁ ୩.୪ ଦିନ​‌େ​‌ର ସଂକ୍ରମଣ ସଂଖ୍ୟା ଦୁଇଗୁଣ ହେଉଥିବାବେଳେ ଲକ୍‌ଡାଉନ ଯୋଗୁଁ ୭.୫ଦିନ ଲାଗୁଛି। ଅଗ୍ରୱାଲ କହିଛନ୍ତି ଯେ ଦିଲ୍ଲୀ, କର୍ଣ୍ଣାଟକ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ଜାମ୍ମୁ-କାଶ୍ମୀର, ପଞ୍ଜାବ, ଛତିଶଗଡ, ତାମିଲନାଡୁ ଓ ବିହାର ଭଳି ରାଜ୍ୟରେ ସଂକ୍ରମଣ ସଂଖ୍ୟା ଦୁଇଗୁଣ ହେବାକୁ ୨୦ଦିନରୁ କମ୍ ସମୟ ଲାଗିଛି।। ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ, ହରିୟାଣା, ହିମାଚଳ ପ୍ରଦେଶ, ଚଣ୍ଡିଗଡ଼, ଆସାମ, ଉତ୍ତରାଖଣ୍ଡ ଓ ଲଦାଖରେ ସଂକ୍ରମଣ ସଂଖ୍ୟା ଦୁଇଗୁଣ ହେବାକୁ ୨୦ରୁ ୩୦ଦିନ ଲାଗୁଛି। ତେବେ ଏହି କ୍ଷେତ୍ରରେ କେରଳ ଓ ଓଡ଼ିଶା ଉନ୍ନତ ପ୍ରଦର୍ଶନ କରିଛନ୍ତି। ଓଡିଶାରେ ସଂକ୍ରମଣ ହାର ଦୁଇଗୁଣ ହେବାକୁ ୩୯.୮ଦିନ (ପ୍ରାୟ ୪୦ଦିନ) ଲାଗୁଥିବାବେଳେ କେରଳରେ ୭୨.୨ ଦିନ ଲାଗୁଛି।

Comments are closed.