କରୋନା ପ୍ରଭାବ – ସମ୍ବଲପୁରୀ ଷ୍ଟାଇଲିସ ମାସ୍କର ବଢୁଛି ଚାହିଦା

ସମ୍ବଲପୁର : ସାରା ବିଶ୍ୱରେ ହାହାକାର ସୃଷ୍ଟି କରି ଚାଲିଥିବା କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ବାରମ୍ବାର ସାବୁନରେ ହାତ ଧୋଇବା, ସାନିଟାଇଜରର ବ୍ୟବହାର, ସାମାଜିକ ଦୂରତ୍ୱ ସହିତ ମାସ୍କ ଲଗାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଯାହା ଫଳରେ ଏବେ ସାନିଟାଇଜର ଓ ମାସ୍କର ବହୁଳ ଅଭାବ ପରିଲକ୍ଷିତ ହେଉଛି। ଏଭଳି ପରିସ୍ଥିତିରେ ସମ୍ବଲପୁରୀ ଫେସନକୁ ଏକ ନୂତନ ଦିଗ ପ୍ରଦାନ କରିଥିବା ‘ସମ୍ବଳିକା’ ତରଫରୁ କରୋନା ସଚେନତା ସହିତ ସମ୍ବଲପୁରୀ ମାସ୍କ ନିର୍ମାଣ କରାଯାଇ ଜନତାଙ୍କୁ ଦିଆଯାଉଛି। ଏ ସର୍ମ୍ପକରେ ସମ୍ବଳିକାର ପ୍ରତିଷ୍ଠାତା ସମୀତ କର କହିଛନ୍ତି ଯେ, ପ୍ରାୟ ୨ ସପ୍ତାହ ପୂର୍ବରୁ କରୋନା ଆରମ୍ଭ ହେଲା ସମୟରେ ବହୁ ବ୍ୟକ୍ତି ଯେଉଁ ମାନେ କି ହିନ୍ଦି କିମ୍ବା ଇଂରାଜୀ ବୁଝି ପାରୁ ନାହାନ୍ତି, ସେମାନଙ୍କୁ ସଚେତନ କରିବା ପାଇଁ ପ୍ରଥମେ ଓଡିଆ ଭାଷାରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ପରେ ମାସ୍କର ଅଭାବ ଯୋଗୁଁ ବଣ୍ଟନ ଉଦ୍ଦେଶ୍ୟ ନେଇ ଯୁଗ ଉପଯୋଗୀ ଓ ବାରମ୍ବାର ବ୍ୟବହାର ଯୁକ୍ତ ସମ୍ବଲପୁରୀ ମାସ୍କ ନିର୍ମାଣ ପାଇଁ ଯୋଜନା କରାଯାଇଥିଲା।

ପ୍ରଥମେ ୩ ଶହ ମାସ୍କ ନିର୍ମାଣ କରାଯାଇ ମାସ୍କ କିଣି ପାରୁ ନ ଥିବା ଜନତାଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ତେବେ ଏହାର ଚାହିଦା ବଢ଼ିବା ପରେ ପୁଣି ଆମର ଅନୁଷ୍ଠାନର କାରିଗର ମାନେ ଏବେ ମାସ୍କ ନିର୍ମାଣରେ ଲାଗିଛନ୍ତି। କୌଣସି ପ୍ରକାରର ଲାଭ ରଖା ନ ଯାଇ ଏହି ମାସ୍କ ଜନତାଙ୍କୁ ବିକ୍ରି କରାଯାଉଛି। ଏବେ ଲକ ଡାଉନ ହେବା ପରେ ବହୁ ମାସ୍କ ନିର୍ମାଣ ହୋଇ ଡେଲିଭରି ପାଇଁ ବାକି ରହିଛି। ସମ୍ବଲପୁରୀ କପଡାରେ ନିର୍ମିତ ଏହି ମାସ୍କ ମଧ୍ୟରେ ଏକ ପକେଟ ରଖାଯାଇଛି। ଜଣେ ଯଦି ଚାହିଁବ ତାହା ହେଲେ ଅତିରିକ୍ତ ସୁରକ୍ଷା ପାଇଁ ସେହି ପକେଟ ମଧ୍ୟରେ ଏକ ଟିସୁ ପେପର ମଧ୍ୟ ରଖି ବ୍ୟବହାର କରିପାରିବ। ବ୍ୟବହାର ପରେ ସେହି ଟିସୁ ପେପରକୁ ବାହାର କରାଯାଇ ଗରମ ପାଣିରେ ମାସ୍କକୁ ଭଲ ଭାବରେ ଧୋଇ ପୁର୍ନବାର ବ୍ୟବହାର କରିହେବ। ମାସ୍କ ନିର୍ମାଣ ପରେ ତାକୁ ସାନିଟାଇଜ କରାଯାଇ ବ୍ୟବହାର ପାଇଁ ଦିଆଯାଉଛି। ଏହି ମାସ୍କକୁ କରୋନା ବିପଦ ଟଳିଲା ପରେ ମଧ୍ୟ ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ଏହାକୁ ବ୍ୟବହାର କରାଯାଇ ପାରିବ ବୋଲି ସମୀତ କହିଛନ୍ତି। ସୂଚନାଯୋଗ୍ୟ ଯେ, ସମୀତ ବହୁ ଆର୍ନ୍ତଜାତୀୟ କମ୍ପାନୀ ଗୁଡିକରେ ଚାକିରୀ କରିବା ପରେ ଚାକିରୀ ଛାଡିବା ପରେ ଗ୍ରାଫିକ୍ସ ସୂତ୍ର ନାମକ କମ୍ପାନୀ ଆରମ୍ଭ କରିଥିଲେ। ଏହା ପରେ ସମ୍ବଲପୁରୀ କଳା ଓ ସଂସ୍କୃତି ଏବଂ ଯୁଗ ଉପଯୋଗୀ ଫେସନକୁ ସମ୍ମିଶ୍ରଣ କରି ଜ୍ୟାକେଟ, ଫୋନ କଭର, ସାର୍ଟ, କୁର୍ତ୍ତା, ଆଦି ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଗୁଡିକୁ ନିର୍ମାଣ କରି ତାକୁ ସେ ‘ସମ୍ବଳିକା’ ନାମରେ ବଜାରକୁ ଛାଡିଥିଲେ। ସମ୍ବଳିକା ପକ୍ଷରୁ ନିର୍ମାଣ କରାଯାଉଥିବା ଏହି ମାସ୍କ ଷ୍ଟାଇଲିସ ଦିଶୁଛି। ଏହି ମାସ୍କ ଏବେ ସବୁ ପିଢ଼ିଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ର ପାଲଟିଛି। ଆଗାମୀ ଦିନରେ ଏଭଳି ସମ୍ବଲପୁରୀ ଷ୍ଟାଇଲିସ ମାସ୍କର ଚାହିଦା ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି।

Comments are closed.