ଶୁଭ ସକାଳ

ପ୍ରିୟ ପାଠକ,
ଆପଣ ନିଜ ଘରେ ସୁସ୍ଥ ଓ ସୁରକ୍ଷିତ ଥିବେ ବୋଲି ଆଶା। କରୋନା (କୋଭିଡ଼ ୧୯)ର ପ୍ରଭାବରୁ ବର୍ତ୍ତିବା ପାଇଁ ଘରେ ରହିବା ଓ ଅନ୍ତତଃ ଏକ ମିଟର ସାମାଜିକ ଦୂରତ୍ବ (ସୋସିଆଲ ଡିସ୍‌ଟାନ୍‌ସିଂ) ରଖିବା ସର୍ବୋତ୍ତମ ଉପାୟ। କରୋନା ଭୂତାଣୁ ସଂକ୍ରମଣକୁ ନେଇ କେତେକ ଲୋକ ନିଜର ସ୍ବାର୍ଥ ପୂରଣ ପାଇଁ ଭ୍ରାନ୍ତ କଥାକୁ ବ୍ୟାପକ କରୁଛନ୍ତି। ଏହା ଆପଣଙ୍କୁ ଆପଣଙ୍କ ଖବରକାଗଜ ‘ସମାଜ’କୁ ଆପଣଙ୍କଠାରୁ ଦୂରେଇ ନେବାର କୁତ୍ସିତ ପ୍ରୟାସ ଅଟେ, ଯାହାକୁ ‘ସମାଜ’ ପରିବାର ଓ ବିତରକଗଣ ସ୍ବାସ୍ଥ୍ୟକର୍ମୀଙ୍କ ସହାୟତାରେ ପୂରାହେବାକୁ ଦେବେ ନାହିଁ। ଆପଣଙ୍କ ନିକଟକୁ ନିରପେକ୍ଷ ଓ ନିର୍ଭୀକ ଖବର ପହଞ୍ଚାଇବା ଆମର ଧର୍ମ। ଆପଣଙ୍କୁ ଟିକିନିଖି ଖବର ଦେବାର ଦାୟିତ୍ବ ସବୁବେଳେ ଆମେ ସୁଚାରୁରୂପେ ସଂପନ୍ନ କରିଆସିଛୁ। ପୂର୍ବରୁ ମଧ୍ୟ ଅନେକ ସଂକ୍ରାମକ ରୋଗ, ବନ୍ୟା, ବାତ୍ୟା ଆମେ ଓ ଆପଣଙ୍କ ମଧ୍ୟରେ ବାଧା ସୃଷ୍ଟି କରିଛି, କିନ୍ତୁ ‘ସମାଜ’କୁ ଆପଣଙ୍କ ହାତରେ ପହଞ୍ଚାଇବା ପରେ ହିଁ ଆମେ ଆଶ୍ବସ୍ତ ହୋଇଛୁ।
ପାଠକ ଓ ‘ସମାଜ’ ମଧ୍ୟରେ ସର୍ବଦା ଅତୁଟ ସଂପର୍କ ରହିଆସିଛି। ଆପଣ ଏହାକୁ ସବୁବେଳେ ସଶକ୍ତ ମାଧ୍ୟମ ଶ୍ରେଣୀରେ ରଖିଛନ୍ତି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମର ସଂପାଦକଙ୍କ ସହ ଖବରକାଗଜର ଭୂମିକା ସଂପର୍କରେ ଆଲୋଚନା କରିଥିଲେ। ଏବେ କେତେକ ବ୍ୟକ୍ତି ଆପଣଙ୍କ ଖବରକାଗଜକୁ ଭୂତାଣୁ ସଂକ୍ରମଣର ବାହକ ବୋଲି ଗୁଜବ ରଟନା କରି ଆପଣଙ୍କ ନିକଟରେ ‘ସମାଜ’ ପହଞ୍ଚାଇବା ଦିଗରେ ପ୍ରତିବନ୍ଧକ ସୃଷ୍ଟିପାଇଁ ଅପଚେଷ୍ଟା କରୁଛନ୍ତି। ଆପଣଙ୍କ ନିଜର ଖବରକାଗଜ ‘ସମାଜ’ ଯଥାସମ୍ଭବ ସ୍ବାସ୍ଥ୍ୟ ସଂପର୍କିତ ନିର୍ଦ୍ଧାରିତ ଉଚ୍ଚ ମାନଦଣ୍ଡ ଦୃଢ଼ଭାବେ ପାଳନ କରି ସୁରକ୍ଷିତ ପ୍ରକାଶନ ଓ ବିତରଣ ପ୍ରକ୍ରିୟା ଜରିଆରେ ଆପଣଙ୍କ ହାତରେ କିଭଳି ପହଞ୍ଚିବ ଏବଂ ଆପଣମାନେ ଦେଶଦୁନିଆର ଖବର ପାଇବେ, ସେଥିପାଇଁ ‘ସମାଜ’ ପରିଚାଳନା ମଣ୍ଡଳୀ ସମ୍ପୂର୍ଣ୍ଣ ଯତ୍ନବାନ ରହିଛି।
ଏହା ସତ୍ୟ ଯେ କରୋନା ପ୍ରଭାବକୁ ରୋକିବା ଓ ଏହାର ଭୂତାଣୁକୁ ସମୂଳେ ବିନାଶ କରିବା ଏକ ବିଶ୍ବଯୁଦ୍ଧ ଭଳି। ଏହି ଦୁଃସମୟରେ ଆପଣଙ୍କୁ ‘ସମାଜ’ ଯଦି ସୂଚିତ, ଶିକ୍ଷିତ ଓ ସଚେତନ କରିବ ନାହିଁ, ତେବେ ଆପଣ ମଧ୍ୟ ବିଭିନ୍ନ ଭ୍ରାନ୍ତିର ଶିକାର ହୋଇପାରନ୍ତି। ଆପଣଙ୍କ ନିକଟରେ ଖବର ପହଞ୍ଚାଉଥିବା ଖବରକାଗଜ ବିତରକ, ସମ୍ବାଦଦାତା, ସ୍ବାସ୍ଥ୍ୟକର୍ମୀ କୌଣସି ଯୋଦ୍ଧାଙ୍କଠାରୁ କମ୍‌ ନୁହନ୍ତି। କରୋନା ଭୂତାଣୁର ଭୟକୁ ଖାତିର ନକରି ସେମାନେ ଆପଣଙ୍କ ପର୍ଯ୍ୟନ୍ତ ଆପଣଙ୍କ ବିଶ୍ବସ୍ତ ଖବରକାଗଜ ‘ସମାଜ’କୁ ପହଞ୍ଚାଇବା ପାଇଁ ପ୍ରୟାସରତ। ଆମପାଇଁ ଏମାନେ କୌଣସି ସୈନିକଠୁ କମ୍ ନୁହନ୍ତି ଓ ଅତ୍ୟନ୍ତ ସମ୍ମାନର ପାତ୍ର। ଆପଣଙ୍କ ନିକଟକୁ ଯାଉଥିବା ଖବରକାଗଜ ବିତରକ, ସ୍ବାସ୍ଥ୍ୟକର୍ମୀ, ସମ୍ବାଦଦାତାଙ୍କୁ ଦୁଇପଦ ମିଠାକଥା କହିଲେ ତାହା ସେମାନଙ୍କ ପାଇଁ ସାରା ଜୀବନର ଏକ ପ୍ରମାଣପତ୍ର ଭଳି ହେବ। ଏହି କର୍ମୀମାନଙ୍କ ଉତ୍ସାହ ବଢ଼ାଇବା ଆବଶ୍ୟକ। ଏହା ଆପଣଙ୍କ ହାତରେ ‘ସମାଜ’ ପହଞ୍ଚାଇବାର କାର୍ଯ୍ୟ ପାଇଁ ସେମାନଙ୍କୁ କେବେ ବିମୁଖ କରିବ ନାହିଁ। ବିଶ୍ବାସ କରନ୍ତୁ, ଆପଣଙ୍କ ଖବରକାଗଜ ‘ସମାଜ’ ମଧ୍ୟ ଆପଣ ଘରକୁ ଆଣୁଥିବା ନିତ୍ୟବ୍ୟବହାର୍ଯ୍ୟ ଜିନିଷ ପରି ସଂପୂର୍ଣ୍ଣ ସୁରକ୍ଷିତ।
ପ୍ରିୟ ପାଠକ, ଆପଣଙ୍କୁ ସାମାନ୍ୟତମ ଡରିବାର ଆବଶ୍ୟକତା ନାହିଁ। ଆପଣ ସାମାଜିକ ବ୍ୟବଧାନ ବଜାୟ ରଖନ୍ତୁ ଓ ଘରୁ ପଦାକୁ ବାହାରନ୍ତୁ ନାହିଁ। ଗୁଜବ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ। ଆପଣଙ୍କ ପରି ‘ସମାଜ’ ମଧ୍ୟ ଆପଣଙ୍କ ସ୍ବାସ୍ଥ୍ୟ ପ୍ରତି ସଚେତନ ରହିଛି। ସୁରକ୍ଷିତ ‘ସମାଜ’ ପହଞ୍ଚାଇବା ଆମର ନୈତିକ ଦାୟିତ୍ବ। ହଁ, ଆଉ ଗୋଟିଏ କଥା କହିବାକୁ ଚାହୁଁଛି। ‘ଭାରତୀୟ ଭେଷଜ ବିଜ୍ଞାନ ଗବେଷଣା ପରିଷଦ’ ଅନୁସାରେ ଦେଶରେ କରୋନା ଭୂତାଣୁ ସଂକ୍ରମଣ ଦ୍ବିତୀୟ ପର୍ଯ୍ୟାୟରେ ରହିଛି। ବର୍ତ୍ତମାନ ପାଇଁ କେବଳ ଏହି ଭୂତାଣୁ ଦ୍ବାରା ସଂକ୍ରମିତ ବ୍ୟକ୍ତି କିମ୍ବା ତାଙ୍କ ସହ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଲାଗି ହିଁ ବିପଦ ରହିଛି। ସୋସିଆଲ୍‌ ମିଡିଆରେ ବ୍ୟାପୁଥିବା ଗୁଜବ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ। ‘ସମାଜ’ ଯେଉଁ ଖବର ଓ ଲେଖା ଆପଣଙ୍କ ନିକଟରେ ପହଞ୍ଚାଏ, ତାହା ସତ୍ୟ ଓ ବିଶ୍ବସନୀୟତାର କଷଟିରେ ପ୍ରଥମେ ପରୀକ୍ଷିତ ହୁଏ। ସୂଚନାର ଆଦାନପ୍ରଦାନ, ଶିକ୍ଷା ଓ ସଚେତନତା ଦ୍ବାରା ହିଁ ଏହି ଯୁଦ୍ଧ ଜିତାଯାଇପାରେ। ଏଥିରେ ଆପଣମାନଙ୍କର ଓ ଆମର ପାରସ୍ପରିକ ସହଯୋଗ ଅତ୍ୟାବଶ୍ୟକ। ‘ସମାଜ’ କେବଳ ଆପଣଙ୍କ ଖବରକାଗଜ ନୁହେଁ; ବନ୍ଧୁ ମଧ୍ୟ।
ଜୟ ହିନ୍ଦ୍‌। ବନ୍ଦେ ଉତ୍କଳ ଜନନୀ।
ଦୀପକ ମାଲବ୍ୟ
ଅଧ୍ୟକ୍ଷ, ‘ସମାଜ’ ପରିଚାଳନା ମଣ୍ଡଳୀ

Comments are closed.