୭୮ହଜାର ଓଡ଼ିଶା ଫେରନ୍ତାଙ୍କୁ ନେଇ ଚିନ୍ତା : ଘରେ ନ ରହିଲେ ବଢ଼ିବ ସଂକ୍ରମଣ

ଭୁବନେଶ୍ବର : ଅନ୍ୟ ରାଜ୍ୟ ହେଉ ଅବା ବିଦେଶରୁ ଫେରିଥିବା ଲୋକେ ୧୪ ଦିନ ପର୍ଯ୍ୟନ୍ତ ନିଜ ଘରେ ସଙ୍ଗରୋଧରେ ରହିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ନିବେଦନ କରୁଛନ୍ତି; କିନ୍ତୁ ସଙ୍ଗରୋଧରେ ରହିବା ଦୂରର କଥା କରୋନା ପଜିଟିଭ୍ ବାହାରି ଥିବା ଲୋକେ ବାହାରେ ବୁଲୁଥିବା ଦେଖିବାକୁ ମିଳିଛି। ଏବେ ସରକାରଙ୍କୁ ରାଜ୍ୟକୁ ଫେରିଥିବା ୭୮ ହଜାରରୁ ଅଧିକ ଲୋକଙ୍କୁ ନେଇ ଗୋଷ୍ଠୀ ସଂକ୍ରମଣ ଚିନ୍ତା ଘାରିଛି। ଯଦିଓ ଏହି ଲୋକମାନଙ୍କୁ ଚିହ୍ନଟ କରି ୧୪ ଦିନ ପର୍ଯ୍ୟନ୍ତ କାହା ସହିତ ମିଳାମିଶା ନକରି ଘରେ ରହିବା ପାଇଁ ସରପଞ୍ଚ, ସମିତି ସଭ୍ୟ ବୁଝାଇବାକୁ ସରକାର ନିର୍ଦେଶ ଦେଇଛନ୍ତି, ତଥାପି ସେମାନଙ୍କ ମଧ୍ୟରୁ କେତେଜଣ ଏହାର ଅନୁପାଳନ କରୁଛନ୍ତି ତାହା ଦେଖିବା କଥା। ଭାରତରେ କରୋନା କାୟାବିସ୍ତାର କରିବା ପରେ ଗତ କିଛିଦିନ ଭିତରେ ଅନ୍ୟ ରାଜ୍ୟରେ କାମ କରୁଥିବା ହଜାର ହଜାର ସଂଖ୍ୟାରେ ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିଛନ୍ତି। ଏମାନଙ୍କ ମଧ୍ୟରୁ ୭୮୨୩୩ ଜଣଙ୍କୁ ସରକାର ଚିହ୍ନଟ କରିସାରିଛନ୍ତି; କିନ୍ତୁ ବେସରକାରୀ ଭାବେ ଏହି ସଂଖ୍ୟା ଅଧିକ ହେବ। ଗଞ୍ଜାମ ଜିଲାକୁ ସର୍ବାଧିକ ୧୧୦୫୪, ବାଲେଶ୍ବରକୁ ୬୪୪୨, କଳାହାଣ୍ଡିକୁ ୪୪୪୮, କେନ୍ଦ୍ରାପଡ଼ାକୁ ୪୩୧୮, ଫୁଲବାଣୀକୁ ୪୩୦୬, ପୁରୀ ଜିଲାକୁ ୩୬୮୮, କଟକକୁ ୩୬୦୪, ମାଲକାନଗିରିକୁ ୩୮୫୨, ମୟୂରଭଞ୍ଜକୁ ୩୩୨୬, ଗଜପତିକୁ ୨୮୪୯, ବଲାଙ୍ଗୀରକୁ ୨୦୭୪, ଯାଜପୁରକୁ ୨୦୮, ଅନୁଗୋଳକୁ ୧୦୬୭, ବରଗଡ଼କୁ ୧୫୭୬, ଖୋର୍ଦ୍ଧା ୨୪୧୨, ଭଦ୍ରକକୁ ୧୯୭୨, କେନ୍ଦୁଝରକୁ ୧୯୪୫, ଜଗତସିଂହପୁରକୁ ୧୭୩୮, ଢ଼େଙ୍କାନାଳକୁ ୧୦୨୧, କୋରାପୁଟକୁ ୨୨୩୮, ନୂଆପଡ଼ାକୁ ୧୯୧୦, ନୟାଗଡ଼କୁ ୨୧୧୫, ରାୟଗଡ଼ାକୁ ୨୩୬୯, ସମ୍ବଲପୁର ଜିଲାକୁ ୧୦୨୦, ସୋନପୁରକୁ ୧୧୦୨, ସୁନ୍ଦରଗଡ଼କୁ ୧୨୦୧, ବୌଦ୍ଧକୁ ୧୦୧୩, ଦେବଗଡ଼କୁ ୫୭୦ ଓ ଝାରସୁଗୁଡ଼ା ୫୬୮ ଓ ନବରଙ୍ଗପୁର ଜିଲାକୁ ୪୦୭ ଜଣ ଫେରିଛନ୍ତି। ଅପରପକ୍ଷେ ସଂକ୍ରମିତ ଦେଶ ଓ ରାଜ୍ୟରୁ ଫେରିଥିବା ୪୦୧୫ ଲୋକ ସରକାରଙ୍କ ନିକଟରେ ପଞ୍ଜିକୃତ ହୋଇଛନ୍ତି। ଏହି ଲୋକମାନଙ୍କ ମଧ୍ୟରେ କରୋନା ସଂକ୍ରମିତ ଥିବା ନେଇ ସରକାର ଆଶଙ୍କା ବ୍ୟକ୍ତ କରିଛନ୍ତି। ବିଶେଷକରି ଟ୍ରେନ୍‌ କିମ୍ବା ବସ୍ ଯୋଗେ ଫେରିଥିବା ଲୋକଙ୍କୁ ଆଦୌ ଯାଞ୍ଚ କରାଯାଇ ନାହିଁ। ପ୍ରବାସୀ ଓଡ଼ିଆଙ୍କ ପାଇଁ ପଞ୍ଚାୟତ ଓ ବ୍ଳକ୍ ସ୍ତରରେ ଆଇସୋଲେସନ୍ ୱାର୍ଡ ସହିତ ଅନ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି।

Comments are closed.