କରୋନା ମୁକାବିଲା ପାଇଁ ଜନ ସହାୟତା କେନ୍ଦ୍ର ଆରମ୍ଭ
ଫୋନରେ ମିଳିବ ସୁବିଧା ଓ ସୁଯୋଗ ତଥ୍ୟ, ସ୍ୱାସ୍ଥ୍ୟ ଓ ମାନସିକ ସମସ୍ୟା ପରାମର୍ଶ

ଭୁବନେଶ୍ୱର : କରୋନା ମହାମାରୀର ମୁକାବିଲାରେ ସରକାରଙ୍କ ସହ କାନ୍ଧ ମିଳାଇଛନ୍ତି ରାଜ୍ୟର ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ। ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସେଣ୍ଟର ଫର୍ ୟୁଥ୍ ଆଣ୍ଡ୍ ସୋସିଆଲ୍ ଡେଭ୍ଲପ୍ମେଣ୍ଟ(ସିୱାଇଏସ୍ଡି) ଏବଂ ଏହାର ସହଯୋଗୀ ସଂଗଠନମାନେ ମିଳିତ ଭାବେ ଏକ ଜନ ସହାୟତା କେନ୍ଦ୍ର ଆରମ୍ଭ କରି ଏକ ନିଶୁଳ୍କ ନମ୍ବର ୮୮୮୦୫୯୨୫୯୨ ଜାରି କରିଛନ୍ତି। ଜନସାଧାରଣ ଲାଗି କେନ୍ଦ୍ରର ନିଶୁଳ୍କ ନମ୍ବର ସପ୍ତାହକୁ ସାତଦିନ ଖୋଲା ରହିବ ଏବଂ ପୂର୍ବାହ୍ନ ୧୦ରୁ ସନ୍ଧ୍ୟା ୫ ଟା ମଧ୍ୟରେ ଫୋନ୍ କରି ସେମାନେ କରୋନା ସମ୍ପର୍କିତ ବିଭିନ୍ନ ତଥ୍ୟ ଓ ପରାମର୍ଶ ପାଇପାରିବେ ବୋଲି ସୂଚନା ଦିଆଯାଇଛି।
ଉକ୍ତ ନମ୍ବରକୁ ଫୋନ କରି ରାଜ୍ୟର ଜନସାଧାରଣ କରୋନା ଭୂତାଣୁ ସମ୍ପର୍କିତ ସଠିକ୍ ସୂଚନା ସହ ଏହି ସମୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଲୋକମାନଙ୍କ ପାଇଁ ଘୋଷଣା କରାଯାଇଥିବା ବିଭିନ୍ନ କାର୍ୟ୍ୟକ୍ରମ, ଯୋଜନା, ସୁବିଧା ଓ ସୁଯୋଗ ସମ୍ପର୍କରେ ତଥ୍ୟ ମଧ୍ୟ ପାଇପାରିବେ। ଏହା ସହ ମାନସିକ ଚାପ ହ୍ରାସ ପାଇଁ ପରାମର୍ଶ ଓ ସ୍ୱାସ୍ଥ୍ୟ ସମସ୍ୟା ସମାଧାନ ପାଇଁ ଏହି ଫୋନ୍ ଯୋଗେ ବିଶେଷଜ୍ଞମାନଙ୍କ ସହିତ ଆଲୋଚନା କରିପାରିବେ।
ରାଜ୍ୟରେ ଜାରି ରହିଥିବା ଲକ୍ଡାଉନ୍ ପରିସ୍ଥିତିରେ ଅନେକ ଲୋକ ମାନସିକ ଚାପର ଶୀକାର ହେଉଛନ୍ତି ଓ ସେମାନଙ୍କୁ ପରାମର୍ଶ ବା କାଉନ୍ସେଲିଂର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ ପେଷାଦାର ମାନସିକ ସମସ୍ୟା ପରାମର୍ଶଦାତା ସେମାନଙ୍କୁ ପରାମର୍ଶ ଦେବାର ବ୍ୟବସ୍ଥା କରାଯାଇଛି ବୋଲି ସିୱାଇଏସ୍ଡିର ମାର୍ଗଦର୍ଶକ ଜଗଦାନନ୍ଦ କହିଛନ୍ତି। ଆମ ସମାଜରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ। ସେମାନଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ଶୁଣି ଆବଶ୍ୟକୀୟ ପରାମର୍ଶ ଦେବା ପାଇଁ ଏହି ଜନ ସହାୟତା କେନ୍ଦ୍ରରେ ବ୍ୟବସ୍ଥା ରହିଛି। ସିୱାଇଏସ୍ଡି ନିଜ ସହଯୋଗୀ ଅନୁଷ୍ଠାନ ହ୍ୟୁମାନ୍ କନ୍ଟେକ୍ଷ୍ଟ, ହେଲ୍ଥ ବୁଟ୍ ଓ ଆଇନାଙ୍କ ଦ୍ୱାରା ଏହି ସହାୟତା କେନ୍ଦ୍ରଟିକୁ ପରିଚାଳନା କରାଯାଉଛି ବୋଲି ଶ୍ରୀ ଜଗଦାନନ୍ଦ ସୂଚନ ଦେଇଛନ୍ତି।