ତାଲା ବନ୍ଦ କଟକଣା ଉଲ୍ଲଙ୍ଘନ : ୪୮ ଘଣ୍ଟାରେ ୪୦୪ ମାମଲା

ଭୁବନେଶ୍ବର : ବାହାରୁ ଓଡ଼ିଶାକୁ ଆସିଥିବା ପ୍ରବାସୀ ଓଡ଼ିଆଙ୍କ ଉପରେ ଏବେ ଅନେକ ଦାୟିତ୍ବ। ତା’ ସହିତ ଅନ୍ୟ ଜନସାଧାରଣ ମଧ୍ୟ ଲକ୍ ଡାଉନ୍ ନିୟମକୁ ମାନିବା ଅତ୍ୟନ୍ତ ଜରୁରୀ। ଅନେକ ଲୋକ ଏହି ନିୟମକୁ ମାନି ନିଜର ଏବଂ ସମାଜର ସୁରକ୍ଷା ପାଇଁ ଘରେ ରହୁଛନ୍ତି ଏବଂ ଅତି ଆବଶ୍ୟକ ହେଲେ ଘରୁ ବାହାରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ‘ମୋ ଜୀବନ’ କାର୍ଯ୍ୟକ୍ରମରେ ରାଜ୍ୟର ୧୦ ଲକ୍ଷ ଲୋକ ଘରେ ରହିବା ପାଇଁ ଶପଥ ନେଇଛନ୍ତି। କିନ୍ତୁ ଆମରି ଭିତରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ କୌଣସି ଅତି ଜରୁରୀ କାମ ନ ଥିବା ସତ୍ତ୍ବେ ବାହାରେ ଆସି ବୁଲୁଛନ୍ତି। ଗତ ୪୮ ଘଣ୍ଟା ମଧ୍ୟରେ ଏପରି ବେପରୁଆ ଲୋକଙ୍କ ବିରୋଧରେ ୪୦୪ଟି ମାମଲା ରୁଜୁ ହୋଇଛି। ଏମାନଙ୍କ ମଧ୍ୟରେ ବିଦେଶରୁ ଫେରି ଘରେ ଏକାନ୍ତବାସ(କ୍ବାରେଣ୍ଟାଇନ୍‌)ରେ ଥିବା ଲୋକ ବି ସାମିଲ ଅଛନ୍ତି। ଏହା ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ବୋଲି ସରକାର କହିଛନ୍ତି। ଗୁରୁବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ମୋଟ ୧୬୪ଟି ନମୁନା ପରୀକ୍ଷା ପାଇଁ ଯାଇଥିବା ବେଳେ କରୋନା ପଜିଟିଭ୍ ସଂଖ୍ୟା ସେହି ୨ରେ ସୀମିତ ଥିଲା। ତେବେ ସନ୍ଧ୍ୟାରେ ଆଉ ଜଣଙ୍କର ରକ୍ତ ନମୁନା ରିପୋର୍ଟ ପଜିଟିଭ୍‌ ଆସିବା ପରେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ପ୍ରଥମ ଦୁଇ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଭଲ ଅଛି। ତେବେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୫୫ ଜଣଙ୍କୁ ଚିହ୍ନଟ କରାଯାଇଛି ଏବଂ ଆଉ ୩୪ ଜଣଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି। ଲକ୍‌ ଡାଉନ୍ ପରିପ୍ରେକ୍ଷୀରେ ଆଜି ଠାରୁ ଗୃହ ବିଭାଗରେ ଏକ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ଆଇଜି ଅପରେସନ୍‌ ଅମିତାଭ ଠାକୁର ଏହି ନିୟନ୍ତ୍ରଣ କକ୍ଷ ଦାୟିତ୍ବରେ ଅଛନ୍ତି। ଆଜି ସୁଦ୍ଧା ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଫେରିଥିବା ୮୦ ହଜାର ଲୋକଙ୍କ ମଧ୍ୟରେ ସଂକ୍ରମିତ ଥିବା ଆଶଙ୍କା କରାଯାଉଛି। ସେଥିପାଇଁ ପଞ୍ଚାୟତ ସ୍ତରରେ ୭୨୭୬ଟି ଆଇସୋଲୋସନ୍ ଶଯ୍ୟା କରାଯାଇଛି। ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ କୋଭିଡ୍-୧୯ ଅଭିଯାନର ମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଛନ୍ତି, ମହାମାରୀ କରୋନାକୁ ରୋକିବାର ଏକମାତ୍ର ବାଟ ହେଉଛି ଆମେ ସମସ୍ତେ ସରକାରଙ୍କ ମାର୍ଗଦର୍ଶିକା ପାଳନ କରି ଘରେ ରହିବା। କିନ୍ତୁ ଲକ୍ ଡାଉନ୍‌କୁ କିଛି ଲୋକ ମାନୁନାହାନ୍ତି। ପୁଲିସ ସହ ଅଯଥାରେ ଯୁକ୍ତିତର୍କ କରୁଛନ୍ତି ଆଉ ଧରାପଡ଼ିବାରୁ ବର୍ତ୍ତିବା ପାଇଁ ଗଳାବାଟ ଖୋଜୁଛନ୍ତି। ଗତ ଦୁଇଦିନ ଭିତରେ ୪୦୪ଟି ମାମଲା ରୁଜୁ ହୋଇଛି। ତେବେ ଖୁସିର କଥା ଯେ ’ମୋ ଜୀବନ’ ଶପଥ ଗ୍ରହଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଏପର୍ଯ୍ୟନ୍ତ ୧୦ ଲକ୍ଷ ଲୋକ ନିଜ ପରିବାର ସଦସ୍ୟଙ୍କ ନାମରେ ଘରୁ ନ ବାହାରିବା ପାଇଁ ଶପଥ ଗ୍ରହଣ କରିଛନ୍ତି। ସନ୍ଦିଗ୍ଧ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ, ନିୟମ ଖିଲାପକାରୀଙ୍କୁ ଧରିବା ପାଇଁ ଏବେ ସାରା ରାଜ୍ୟରେ ୧୦୦ଟି ମନିଟରିଂ ଟିମ୍ କାମ କରୁଛି। ଏଥିରୁ ଭୁବନେଶ୍ବରରେ ୧୦ଟି ଟିମ୍ କାମ କରୁଛି। ଆମ ରାଜ୍ୟ ଏବେ କରୋନା ସଂକ୍ରମଣର ଦ୍ବିତୀୟ ପର୍ଯ୍ୟାୟରେ ଥିବା ବେଳେ ଆସନ୍ତା ତିନି ସପ୍ତାହ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଆମ ରାଜ୍ୟରେ ଏବେ କମ୍‌ ରୋଗୀ ଥାଇ ପାରନ୍ତି; କିନ୍ତୁ ଏହା ମହାମାରୀ ରୂପ ଧାରଣ କରୁଛି କି ନାହିଁ ତାହା ଆଗାମୀ କିଛିଦିନରେ ଜଣାପଡ଼ିବ ବୋଲି ସେ କହିଛନ୍ତି। ଲକ୍ ଡାଉନ୍ ପରିପ୍ରେକ୍ଷୀରେ ଆରମ୍ଭ ହୋଇଥିବା ନିୟନ୍ତ୍ରଣ କକ୍ଷ ନମ୍ବର ୦୬୭୪-୨୩୯୨୧୧୫/୯୪୩୮୯୧୫୯୮୬ରେ ବିଭିନ୍ନ ଅଭିଯୋଗ ସହିତ ରାଜ୍ୟ ବାହାରେ ଅଟକି ରହିଥିବା ପ୍ରବାସୀ ଓଡ଼ିଆଙ୍କ ସମ୍ପର୍କରେ ସୂଚନା​‌ ସଂଗ୍ରହ କରାଯିବ। ସେହିପରି ପ୍ରାଣୀ ସମ୍ପଦ ସମ୍ପର୍କିତ କାର୍ଯ୍ୟାବଳୀକୁ ଅତ୍ୟାବଶ୍ୟକ ସେବାରେ ଅନ୍ତର୍ଭୁକ୍ତ କରାଯାଇ ଥିବାରୁ କ୍ଷୀର, ମାଂସ, ଅଣ୍ଡା, ମାଛ, ଗୋଖାଦ୍ୟ ଭଳି ଖାଦ୍ୟ ସାମଗ୍ରୀ ପରିବହନ କରୁଥିବା ଗାଡ଼ିଗୁଡ଼ିକୁ ଅଟକାଯିବ ନାହିଁ। ଏଥିପାଇଁ ଅନୁମତି ପତ୍ର ଜାରି କରିବା ପାଇଁ ଜିଲା ମତ୍ସ୍ୟ ଅଧିକାରୀ, ଜିଲା ମୁଖ୍ୟ ପ୍ରାଣୀସମ୍ପଦ ଅଧିକାରୀ ଏବଂ ସହରାଞ୍ଚଳ ପୌରସଂସ୍ଥା ଅଧିକାରୀମାନଙ୍କୁ କ୍ଷମତା ଦିଆଯାଇଛି। ଆଜି ସୁଦ୍ଧା ବିଦେଶ ଓ ଅନ୍ୟ ରାଜ୍ୟରୁ ଫେରିଥିବା ୪୨୪୯ ଜଣ ଲୋକ ୧୦୪ ହେଲ୍ପଲାଇନ୍ ଏବଂ ପୋର୍ଟାଲରେ ପଞ୍ଜିକୃତ ହୋଇଛନ୍ତି। କରୋନା ପାଇଁ ଜାରି ଲକ୍‌ ଡାଉନ୍‌ ସମୟରେ ସାମାଜିକ ଦୂରତ୍ବ ରକ୍ଷା ସହିତ ତେଜରାତି ସମଗ୍ରୀ ଓ ଦୁଗ୍ଧ, ପନିପରିବା ତଥା ଅନ୍ୟାନ୍ୟ ଅତ୍ୟାବଶ୍ୟକ ଜିନିଷ ଯେପରି ଉପଲବ୍ଧ ହୋଇପାରିବ ସେ ଦିଗରେ ପଦକ୍ଷେପ ଗ୍ରହଣ ନିମନ୍ତେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସମସ୍ତ ଜିଲାପାଳ ଓ ମହାନଗର ନିଗମର କମିଶନରଙ୍କ ନିକଟକୁ ଚିଠି ଲେଖିଛନ୍ତି। ବହୁ ସଂଖ୍ୟାରେ କ୍ରେତା ଓ ବିକ୍ରେତା ଏକତ୍ର ହେଉଥିବା ରାଜ୍ୟର ସମସ୍ତ ବୃହତ ବଜାରଗୁଡ଼ିକୁ ନିକଟବର୍ତ୍ତୀ ଖୋଲା ଅଞ୍ଚଳ, ଖେଳପଡ଼ିଆ ଓ ରାସ୍ତାକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି। ଭିଡ଼ କମାଇବା ନିମନ୍ତେ ବିକ୍ରି ସମୟ ବଢ଼ାଇବା ଏବଂ ଏହାକୁ ରାତି ସମୟକୁ ସମ୍ପ୍ରସାରିତ କରାଯିବାକୁ ନିଷ୍ପତ୍ତି ହୋଇଛି। ପ୍ରତି ଦୋକାନ ଆଗରେ ସାମାଜିକ ଦୂରତା ରକ୍ଷା ନିମନ୍ତେ ନିର୍ଦିଷ୍ଟ ବ୍ୟବଧାନ​‌େର ଗୋଲ ଗାର ବୁଲାଇବା ଏବଂ ଖାଉଟିଙ୍କ ପାଇଁ ଧାଡ଼ିରେ ରହିବାର ବ୍ୟବସ୍ଥା କରିବାକୁ ନିର୍ଦେଶ ଜାରି ହୋଇଛି। ସମସ୍ତ ସହରାଞ୍ଚଳରେ ତେଜରାତି, ପନିପରିବା, ଫଳ, ଔଷଧ ଘରେ ପହଞ୍ଚାଇବା(ହୋମ୍‌ ଡେଲିଭରି)ର ବ୍ୟବସ୍ଥା କରିବାକୁ କୁହାଯାଇଛି। କିଛି ସହରରେ ବ୍ୟବସାୟୀ ଗୋଷ୍ଠୀଙ୍କ ସହଯୋଗରେ ଏଭଳି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ସହିତ ଘରେ ପହଞ୍ଚାଇବା ସକାଶେ ଆବଶ୍ୟକ ପଡ଼ୁଥିବା ଅର୍ଥ (ଡ଼େଲିଭରି ଚାର୍ଜ) ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଯେଉଁଠି ସମ୍ଭବ ହେବ ସେଠାରେ ଭ୍ରାମ୍ୟମାଣ ଭୋଜନାଳୟ ଭ୍ୟାନ( ମୋବାଇଲ ଇ​‌େ​‌ଟରି ଭ୍ୟାନ)କୁ ତେଜରାତି, ପନିପରିବା, ଫଳ କାରବାର ପାଇଁ ବ୍ୟବହାର କରିବାକୁ କୁହାଯାଇଛି। ସାମାଜିକ ଦୂରତା ରକ୍ଷା ନିୟମାବଳୀ ପାଳନ ସହିତ ନିଜ ନିଜ ଅଞ୍ଚଳରେ ତେଜରାତି, ପରିବା ଓ ଫଳ ବିକ୍ରି ପାଇଁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଏବଂ ଆଞ୍ଚଳିକ ସଂଘଗୁଡ଼ିକ ଅଣଯନ୍ତ୍ରଚାଳିତ ଯାନ, ଟ୍ରାଇସାଇକଲ, ଠେଲାଗାଡ଼ି ବ୍ୟବହାର କରିବା ଦିଗରେ ମଧ୍ୟ ନିୟୋଜିତ ହୋଇପାରିବେ ବୋଲି କୁହାଯାଇଛି।

Comments are closed.