ଲକ୍‌ଡାଉନ ଯଥେଷ୍ଟ ନୁହେଁ; ସ୍ୱାସ୍ଥ୍ୟ ପରୀକ୍ଷା ଜରୁରୀ

ଜେନେଭା : ମହାମାରୀ କରୋନା ସଂକ୍ରମଣ ରୋକିବା ଲାଗି ଭାରତ ସମେତ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡିକ ଲକଡାଉନ ଘୋଷଣା କରିଛନ୍ତି। କିନ୍ତୁ ଏହି ସଂକ୍ରମଣକୁ ମୂଳପୋଛ କରିବା ଲାଗି କେବଳ ଲକଡାଉନ ପର୍ଯ୍ୟାପ୍ତ ନୁହେଁ। ବରଂ ସ୍ୱାସ୍ଥ୍ୟ ପରୀକ୍ଷାକୁ ଗୁରୁତ୍ୱ ଦିଆଯିବା ଜରୁରୀ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ମୁଖ୍ୟ ଟେଡ୍ରୋସ ଅଧନୋମ ଘେବ୍ରେୟେସସ୍‍ କହିଛନ୍ତି। ଯାହାକି ସମ୍ପୂର୍ଣ୍ଣ ୨୧ ଦିନ ଲକଡାଉନ ଘୋଷଣା କରିଥିବା ଭାରତ ପାଇଁ ସତର୍କ ଘଂଟି ବଜାଇଛି। ଘେବ୍ରେୟେସସ୍‍ କହିଛନ୍ତି ଯେ କରୋନା ଭୂତାଣୁକୁ ପ୍ରତିହତ କରିବା ଲାଗି ଏହି ସମୟର ସଦୁପଯୋଗ କରାଯିବାର ଆବଶ୍ୟକତା ରହିଛି। ବାହାରେ ଲୋକଙ୍କ ଚଳପ୍ରଚଳ ବନ୍ଦ କରିବା ଏବଂ ସେମାନଙ୍କୁ ଘରେ ବନ୍ଦ କରି ରଖିବା ଦ୍ୱାରା କେବଳ ସଂକ୍ରମଣରୁ ବର୍ତ୍ତିବା ଲାଗି ଅଧିକ ସମୟ ମିଳିଯିବ। ମାତ୍ର ଏହା ଦ୍ୱାରା ମହାମାରୀରୁ ମୁକ୍ତି ମିଳିବ ନାହିଁ। ଲକ୍‌ଡାଉନ ଘୋଷଣା କରି ରାଷ୍ଟ୍ରଗୁଡିକ ସଂକ୍ରମଣ ରୋକିବା ଲାଗି କେବଳ ଦ୍ୱିତୀୟ ସୁଯୋଗ ପ୍ରସ୍ତୁତ କରିଛନ୍ତି। ତେବେ ଏହି ସୁଯୋଗକୁ କିଭଳି ଉପଯୋଗ କରାଯିବା ଉଚିତ ତାହା ଏକ ବୃହତ ପ୍ରଶ୍ନ। ଏହି ସମୟରେ ପ୍ରତ୍ୟେକ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ତଥା ତାଙ୍କୁ ଏକାନ୍ତବାସରେ ରଖି ଚିକିତ୍ସା କରାଯିବା ଦରକାର। ଏହା ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷିତ ରଖିବାର ସବୁଠାରୁ ଶ୍ରେଷ୍ଠ ଏବଂ ଦ୍ରୁତ ପ୍ରକ୍ରିୟା ବୋଲି ସେ ଦର୍ଶାଇଛନ୍ତି।

Comments are closed.