ସର୍ବେ ହୋଇବେ ଏକାକାର

ଏବେ ସମସ୍ତଙ୍କର ଗୋଟିଏ ଚିନ୍ତା କେବଳ କରୋନା କରୋନା କରୋନା….। ଉଠିଲେ, ବସିଲେ, ଖାଇଲେ, ଶୋଇଲେ, ଦୋକାନ, ବଜାର, ଅଫିସ୍‌ ଯେଉଁଠିକୁ ଗଲେ ସବୁଠି ଖାଲି କରୋନା ଆଲୋଚନା। କରୋନା ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳାଇ ଦେଇଛି। କେହି କାହା ସହିତ ମିଶିବାକୁ ଓ ହାତ ମିଳାଇବାକୁ, କଥା କହିବାକୁ ଭୟ କରୁଛନ୍ତି। ସମସ୍ତେ ଘର ଭିତରେ ନିଜ ନିଜକୁ ବନ୍ଦୀ କରି ରଖିଛନ୍ତି। ସମଗ୍ର ବିଶ୍ୱରେ ମାନବ ସମାଜ ଚିନ୍ତା କରି ନଥିଲା ଯେ ଏପରି ଏକ ବେଳ ଆସିବ ସମସ୍ତେ ଭୟ ଓ ଆତଙ୍କରେ କାଳାତିପାତ କରିବେ। ସମସ୍ତଙ୍କ ପାଖରେ କେବଳ ପରାମର୍ଶ ଦେବା ବ୍ୟତୀତ ଏଥିପାଇଁ ଏ ଯାଏଁ କୌଣସି ଔଷଧ କିମ୍ବା ଟିକା ବାହାରି ନାହିଁ।
ମୋ ଜାଣିବାରେ ଜଗନ୍ନାଥ ମନ୍ଦିରକୁ ଭକ୍ତମାନେ ଯାଇ ପାରିବେ ନାହିଁ ବୋଲି ଆଗରୁ କେବେ ଦୃଷ୍ଟାନ୍ତ ନାହିଁ। ଏପରି ଅବସ୍ଥା ସୃଷ୍ଟି ହୋଇଛି ଯେ କରୋନା ଭୟରୁ ଠାକୁର ମଧ୍ୟ ବାଦ ପଡ଼ି ନାହାନ୍ତି। ଖାଲି ଜଗନ୍ନାଥ ମନ୍ଦିର ନୁହେଁ, ଶିରିଡି ସାଇ ମନ୍ଦିର, ତିରୁପତି ଆଦି ଦେଶର ସମସ୍ତ ଛୋଟବଡ଼ ଯେତେ ମନ୍ଦିର, ମସ୍‌ଜିଦ୍‌ ଓ ଗୀର୍ଜା ରହିଛି ସବୁଠିକୁ ଏବେ ଲୋକଙ୍କୁ ଯିବାକୁ ବାରଣ କରାଯାଇଛି। ଛୋଟ ବଡ଼, ଧନୀ ଗରିବ, କେହି ବି କରୋନା ଭୟ ଓ ଆତଙ୍କରୁ ମୁକ୍ତ ନୁହନ୍ତି। ସମଗ୍ର ବିଶ୍ୱରେ ସମସ୍ତଙ୍କୁ କରୋନା ଭୟ ଓ ଆତଙ୍କ ଏକାକାର କରି ଦେଇଛି। ମୋର ଏଠାରେ ମାଳିକାରେ ଲେଖାଥିବା ଏକ ଉକ୍ତି ମନେପଡ଼େ। ତାହା ହେଉଛି- ‘ସର୍ବେ ହୋଇବେ ଏକାକାର, ନ ଥିବ ବେଦର ବିଚାର।’
ଏତେ କରୋନାକୁ ନେଇ କର୍ମକ୍ଷେତ୍ରଠାରୁ ଆରମ୍ଭ କରି ସଂସଦରେ କରୋନା ଆଲୋଚନା। ଏହି ଛୋଟିଆ ଭୂତାଣୁ ଏବେ ସମସ୍ତଙ୍କ ମନରେ ଭୟ ଓ ଆତଙ୍କ ସୃଷ୍ଟି କରିଛି। ଏବେ ସୁଦ୍ଧା କରୋନା ଭୂତାଣୁରୁ ମୁକ୍ତି ପାଇବା ପାଇଁ କୌଣସି ପ୍ରତିଷେଧକ ଟିକା ବାହାରି ନ ଥିବା ବେଳେ କେବଳ ସତର୍କତାମୂଳକ ପଦକ୍ଷେପ ଆପଣେଇବାକୁ ପଡ଼ୁଛି। ସମଗ୍ର ବିଶ୍ୱକୁ କବଳିତ କରିଛି ଏହି ମାରାତ୍ମକ ଭୂତାଣୁ କରୋନା। ଭାରତରେ ଏବେ ସୁଦ୍ଧା ପାଖାପାଖି ୩ଶହ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏହି ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ବିଦେଶରୁ ଫେରିଥିବା ଭାରତୀୟ ଓ ବିଦେଶୀ ନାଗରିକ। ଗୋଟିଏ ପରେ ଗୋଟିଏ ରାଜ୍ୟକୁ କରୋନା ଭୂତାଣୁ କାୟା ବିସ୍ତାର କରି ଚାଲିଛି। କରୋନାକୁ ନେଇ ଲୋକେ ଏବେ ଭୟଭୀତ। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୁସ୍ଥ ବ୍ୟକ୍ତି ମାସ୍କ ପିନ୍ଧିବା ଆବଶ୍ୟକ ନାହିଁ ବୋଲି ପ୍ରଚାର କରାଯାଉଥିଲେ ମଧ୍ୟ ଲୋକେ ପ୍ରଚୁର ପରିମାଣରେ ମାସ୍କ ଓ ସାନିଟାଇଜର କିଣିବାରେ ଲାଗିଛନ୍ତି। ଏଥିପାଇଁ ବିଭିନ୍ନ ମେଡ଼ିକାଲ ଷ୍ଟୋର ଓ ଅନ୍‌ଲାଇନ୍‌ରେ ବି ମାସ୍କ ବିକ୍ରି ବୃଦ୍ଧି ପାଇଛି। ଲୋକଙ୍କ ଭୟ ଓ ବିବ୍ରତ ଅବସ୍ଥାକୁ ଦେଖି ବଜାରରେ ମାସ୍କ ମଧ୍ୟ ଚଢ଼ା ଦରରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ଏହାକୁ କିପରି ରୋକାଯାଇ ପାରିବ ଓ ଏଥିରୁ ମୁକ୍ତି ମିଳିବ ସେଥିପାଇଁ ବିଶ୍ୱବ୍ୟାପୀ ଚିନ୍ତା।
ଭାରତ ଉପରେ ଈଶ୍ୱରଙ୍କ ଆଶୀର୍ବାଦ ରହିଛି। ଆମ ଦେଶରେ କରୋନା ସେତେଟା ଭୟାବହସ୍ଥିତି ସୃଷ୍ଟି କରି ନ ଥିଲେ ମଧ୍ୟ ଆମେ ଏଥିରେ ଆତଙ୍କିତ ହେବା ଆବଶ୍ୟକ ନାହିଁ। କରୋନା ଭୂତାଣୁଠାରୁ ଦୂରେଇ ରହିବା ପାଇଁ ଆମ ସମସ୍ତଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସତର୍କତାମୂଳକ ପଦକ୍ଷେପ ଅବଲମ୍ବନ କରିବା ଉଚିତ୍‌। ଆମ ଦେଶରେ କିପରି ଅଧିକ ସଂଖ୍ୟକ ଲୋକ କରୋନା ଭୂତାଣୁର ଶିକାର ନ ହେବେ ସେଥିପାଇଁ ଆମକୁ ସଚେତନ ରହିବାକୁ ପଡ଼ିବ ଏବଂ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଇବା ଆବଶ୍ୟକ।
କରୋନା ପରମାଣୁ ଅସ୍ତ୍ରଠାରୁ ଆହୁରି ମାରାତ୍ମକ। ଆମେ ଯେତେ ଶକ୍ତିଶାଳୀ ହୋଇଥିଲେ ମଧ୍ୟ ପରମାଣୁ ଯୁଦ୍ଧକୁ ପ୍ରବଳ ମାତ୍ରାରେ ଭୟ କରିଥାଉ। ଏପରିକି ପରମାଣୁ ଶକ୍ତିସମ୍ପନ୍ନ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକର ମଧ୍ୟ ପରମାଣୁ ଯୁଦ୍ଧ ପ୍ରତି ଭୟ ରହିଛି। ପରମାଣୁ ଯୁଦ୍ଧ ହେଲେ ଅତିବେଶୀରେ ଦୁଇ ଚାରିଟି ଦେଶ ପ୍ରଭାବିତ ହେବେ। ମାତ୍ର ଏହି କରୋନା ବର୍ତ୍ତମାନ ସୁଦ୍ଧା ୧୯୨ଟି ଦେଶକୁ କବଳିତ କରିସାରିଲାଣି। ଆମେରିକା, ଚୀନ୍‌ ଓ ଉତ୍ତରକୋରିଆ ଆଦି ଯେଉଁ ଦେଶଗୁଡ଼ିକ ନିକଟରେ ପରମାଣୁ ଓ ରାସାୟନିକ ଅସ୍ତ୍ରଶସ୍ତ୍ର ରହିଛି ବୋଲି ଭୟ ଦେଖାଉଥିଲେ, ଏସବୁ ମାରାତ୍ମକ ଭୂତାଣୁ ନିକଟରେ କେତେ ନଗଣ୍ୟ ତାହା କରୋନା ପ୍ରମାଣିତ କରି ଦେଖାଇଦେଇଛି।
ବର୍ତ୍ତମାନ ସୁଦ୍ଧା ବିଶ୍ୱବ୍ୟାପୀ ପ୍ରାୟ ୨ଲକ୍ଷରୁ ଊର୍ଦ୍ଧ୍ବ ଲୋକ ଏହି ମାରାତ୍ମକ ଭୂତାଣୁ ଆକ୍ରାନ୍ତ ହୋଇଛନ୍ତି। କରୋନାରେ ମୃତ୍ୟୁ ସଂଖ୍ୟା ୧୧ ହଜାର ଟପିଛି ଓ ମୃତ୍ୟୁ ସଂଖ୍ୟା ବଢ଼ିବଢ଼ି ଚାଲିଛି। ଇଟାଲିରେ ସର୍ବାଧିକ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କରୋନାରେ ଚୀନ, ଇଟାଲି, ଇରାନ, ଆମେରିକା, ଜର୍ମାନୀ, ଦକ୍ଷିଣକୋରିଆ, ଫ୍ରାନ୍ସ, ସ୍ପେନ୍‌ ଏବଂ ୟୁରୋପୀୟ ଦେଶ ସମୂହ ସର୍ବାଧିକ ପ୍ରଭାବିତ ହୋଇଛି। କରୋନାର ଭୟବହତାକୁ ଦୃଷ୍ଟିରେ ରଖି ଅନେକ ରାଷ୍ଟ୍ର ସଂପୂର୍ଣ୍ଣ ବନ୍ଦ ଘୋଷଣା କରିଛନ୍ତି। ଦେଶଦେଶ ମଧ୍ୟରେ ବିମାନ ଚଳାଚଳ ଠପ୍‌ ହୋଇଯାଇଛି। ସବୁ ଦେଶ ସେମାନଙ୍କ ସୀମାକୁ ସିଲ୍‌ କରିଦେଇଛନ୍ତି। ଏଥିରୁ କରୋନା ପରମାଣୁ ଅସ୍ତ୍ରଠାରୁ ଯେ କେତେ ଭୟଙ୍କର ତାହା ସ୍ପଷ୍ଟ ହୋଇଛି। କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ବିଶ୍ୱ ମହାମାରୀ ଘୋଷଣା କରିଛି। ଏହି ମାରାତ୍ମକ ଭୂତାଣୁର ମୁକାବିଲା ପାଇଁ ଯୋଜନାବଦ୍ଧ ଲଢ଼େଇ କରିବାକୁ ବିଶ୍ୱର ସମସ୍ତ ଦେଶକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆହ୍ୱାନ ଦେଇଛି। କରୋନା ପୂର୍ବରୁ ଏଚ୍‌ ୱାନ୍‌ ଓ ଏନ୍‌ ୱାନ୍‌ ଭୂତାଣୁ ହେଉ କିମ୍ବା ଏଚ୍‌ଆଇଭି, ରାବିସ୍‌, ଇନ୍‌ଫ୍ଲୁଏଞ୍ଜା କି ଜାପାନିଜ୍‌ ଏନ୍‌ସେଫାଲାଇଟ୍ସ୍‌ ଆଦି ଯେତେଗୁଡ଼ିଏ ମାରାତ୍ମକ ଭୂତାଣୁ ସୃଷ୍ଟି ହୋଇଛି ସେଥିରୁ ଗୋଟିଏ ହେଲେ ଭୂତାଣୁ ଆମ ଦେଶ ଭାରତରେ ସୃଷ୍ଟି ହୋଇନାହିଁ। ଯଦି ଏଥି ମଧ୍ୟରୁ କୌଣସି ଗୋଟିଏ ଛୋଟ ହେଉ କି ବଡ଼ ଭୂତାଣୁ ଭାରତରୁ ସୃଷ୍ଟି ହୋଇଥାନ୍ତା ତେବେ ଅନ୍ତର୍ଜାତୀୟ ଗଣମାଧ୍ୟମ ଭାରତ ବିରୋଧରେ ହଲାପଟା କରି ଭାରତକୁ ବିଶ୍ୱ ଦରବାରରେ ନିନ୍ଦିତ କରିବାକୁ ପଛେଇ ନ ଥାନ୍ତେ।
ଚୀନରୁ ସୃଷ୍ଟି ହୋଇଥିବା କରୋନାକୁ ନିୟନ୍ତ୍ରଣ କରିବାରେ ଚୀନ ସରକାର କିଛି ମାତ୍ରାରେ ସଫଳ ହୋଇଛନ୍ତି। ଏବେ ଚୀନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିଛି। ଚୀନରେ କରୋନା ଯେତେ ବ୍ୟାପକ ହୋଇଛି ସେପରି ଯଦି ଅନ୍ୟ କୌଣସି ଦେଶରେ ହୋଇଥାନ୍ତା, ତେବେ ତାହାକୁ ନିୟନ୍ତ୍ରଣ କରିବା ସମ୍ପୃକ୍ତ ଦେଶ ପକ୍ଷେ ସମ୍ଭବ ହୋଇନଥାନ୍ତା। କରୋନା ଯୋଗୁଁ ଚୀନରେ ବନ୍ଦ ହୋଇଯାଇଥିବା କଳକାରଖାନାଗୁଡ଼ିକ ଧୀରେଧୀରେ ଖୋଲିବାରେ ଲାଗିଛି। ଅତ୍ୟାଧୁନିକ ଜ୍ଞାନ କୌଶଳରେ ଶକ୍ତିଶାଳୀ ଚୀନ ଏହି ମାରାତ୍ମକ ଭୂତାଣୁର ନିୟନ୍ତ୍ରଣ ପାଇଁ ତା’ର ସମସ୍ତ ମାନବସମ୍ବଳକୁ କାର୍ଯ୍ୟରେ ଲଗାଇ ଦେଇଛି। ଚୀନର ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସହ ଚୀନ କମ୍ୟୁନିଷ୍ଟ ପାର୍ଟିର ସମସ୍ତ କର୍ମୀଙ୍କୁ କରୋନା ନିୟନ୍ତ୍ରଣରେ ସରକାର ନିୟୋଜିତ କରିଛନ୍ତି। ସେମାନେ ଗାଁ ଗଣ୍ଡା ଓ ସହରର ପ୍ରତ୍ୟେକଟି ଜନବସତି ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କୁ ଗୋଟିଗୋଟି କରି ଚିହ୍ନଟ କରିବା ସହ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା କରୁଛନ୍ତି। ଏହା ଛଡ଼ା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ସବୁ ସମୟରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଉଛନ୍ତି। ଲୋକେ ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି କି ନାହିଁ ତାହା ମଧ୍ୟ ଟିକିନିଖି ଯାଞ୍ଚ କରୁଛନ୍ତି। ଫଳରେ ଚୀନରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ହେଉଛି।
ଏହି ମାରାତ୍ମକ ଭୂତାଣୁର ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଦେଶ ସେମାନଙ୍କ ନାଗରିକଙ୍କ ବିଦେଶ ଗସ୍ତ ଉପରେ କଟକଣା ଲାଗୁ କରିଛନ୍ତି। କରୋନା ଯୋଗୁଁ ବିଭିନ୍ନ ଦେଶରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ସମ୍ମିଳନୀ, ସମାବେଶ, ଉତ୍ସବ ଆଦି ଆୟୋଜନକୁ ସମ୍ପୃକ୍ତ ଦେଶ ବନ୍ଦ କରି ଦେଇଛନ୍ତି। ଏପରିକି ଚଳିତ ବର୍ଷ ବିଶ୍ୱର ସର୍ବବୃହତ କ୍ରୀଡ଼ା ମହୋତ୍ସବ ଅଲିମ୍ପିକସ୍‌ ଆୟୋଜନ ନେଇ ଆଶଙ୍କା ସୃଷ୍ଟି ହୋଇଛି। କରୋନା ଯେଉଁଭଳି ଭାବେ କାୟାବିସ୍ତାର କରିଚାଲିଛି ସେଭଳି ସ୍ଥିତି ଆଗକୁ ଜାରି ରହିଲେ ଚଳିତ ବର୍ଷ ଅଲିମ୍ପିକସ୍‌ କ୍ରୀଡ଼ା ପ୍ରତିଯୋଗିତା ବନ୍ଦ ହୋଇଯାଇପାରେ।
କରୋନା ନିକଟରେ ଆଜି ସମଗ୍ର ବିଶ୍ୱର ମାନବ ସମାଜ ଅସହାୟ ହୋଇପଡ଼ିଛି। ଆମେରିକା ଭଳି ଶକ୍ତିଶାଳୀ ରାଷ୍ଟ୍ର ଯାହାର ଗୋଟିଏ ଧମକରେ ସାରା ବିଶ୍ୱ ଥରହର ହୋଇଯାଏ, ସେ ବି ଆଜି କରୋନା ଭୟରେ ଆତଙ୍କିତ ଓ ଅସହାୟ। ଚୀନ ଭଳି ବିତ୍ତଶାଳୀ ରାଷ୍ଟ୍ରକୁ କରୋନା ଦୋହଲାଇ ଦେଇଛି। ଇଉରୋପୀୟ ଦେଶ ସମୂହ ଯେତେ ଜ୍ଞାନଶୀଳ ହୋଇଥିଲେ ମଧ୍ୟ କରୋନା ଆଗରେ ହାର୍‌ ମାନିଛନ୍ତି। ଗୋଟିଏ ପରେ ଗୋଟିଏ ଦେଶରେ କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ପ୍ରତିଦିନ ଏଥିରେ ଶତାଧିକ ଲୋକ ମୃତ୍ୟୁବରଣ କରୁଥିଲେ ମଧ୍ୟ କେହି ଏହାକୁ ପ୍ରତିହତ କରି ପାରୁନାହାନ୍ତି। ଏହି ମାରାତ୍ମକ ଭୂତାଣୁ ସମଗ୍ର ମାନବ ସମାଜକୁ ଦୋହଲାଇ ଦେଇଛି। କରୋନା ଭୂତାଣୁର ଭୟାବହତା ଓ ବ୍ୟାପକତାକୁ ଦେଖି ବଡ଼ବଡ଼ ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଛନ୍ତି। ସମସ୍ତେ ଆଜି ଯିଏ ଯାହାର ଭଗବାନଙ୍କୁ ଡାକୁଛନ୍ତି କିପରି ଏହି ବିପତ୍ତିରୁ ମୁକ୍ତି ମିଳିବ। କରୋନା ଆଗରେ ଜ୍ଞାନ, ଗରିମା, ଅର୍ଥ, ପ୍ରତିପତ୍ତି ସବୁକିଛି ହାର ମାନିଛି। ପ୍ରକୃତିର ପ୍ରତିକ୍ରିୟା ଆଗରେ ସବୁକିଛି ତୁଛ ବୋଲି କରୋନା ପ୍ରମାଣିତ କରିଛି। କରୋନାରୁ କିପରି ମୁକ୍ତି ମିଳିବ, ଏହାକୁ କିପରି ନିୟନ୍ତ୍ରଣ କରାଯାଇ ପାରିବ ସେଥିପାଇଁ ଏବେ ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଯାଇଛନ୍ତି। କରୋନା ପ୍ରତିରୋଧକ ଯେ ପର୍ଯ୍ୟନ୍ତ ନ ବାହାରିଛି ସେ ପର୍ଯ୍ୟନ୍ତ ଏହାକୁ ନିୟନ୍ତ୍ରଣ କରିବା ଅସମ୍ଭବ। ଆମେରିକା, ବ୍ରିଟେନ୍‌, ଚୀନ୍‌ ଆଦି ରାଷ୍ଟ୍ରର ବୈଜ୍ଞାନିକମାନେ କରୋନା ପ୍ରତିରୋଧକ ଯେତେ ଶୀଘ୍ର ବାହାର କରାଯାଇପାରିବ ସେଥିପାଇଁ ଦିନରାତି ଗବେଷଣାରେ ଲାଗିପଡ଼ିଛନ୍ତି। ତେବେ କରୋନା ପ୍ରତିରୋଧକ କେବେ ବାହାରିବ ତାହା କହିବା ଅସମ୍ଭବ। ମଣିଷ ଅତ୍ୟାଧୁନିକ ଜ୍ଞାନକୌଶଳର ଅଧିକାରୀ ବୋଲି ଆମ ମନରେ ଯେଉଁ ଗର୍ବ ଓ ଅହଂକାର ରହିଛି ତାହା ପ୍ରକୃତି ଆଗରେ ହାର୍‌ ମାନିଥାଏ ବୋଲି କରୋନା ପ୍ରମାଣିତ କରିଛି।
ଆଗ କାଳରେ ହଇଜା ଭଳି ମହାମାରୀ ଆସୁଥିଲା, କିନ୍ତୁ ତାହା ଅଳ୍ପ କେତୋଟି ଗ୍ରାମ ମଧ୍ୟରେ ସୀମିତ ରହୁଥିଲା। ସେତେବେଳେ ଆମେ ଏତେ ଅଗ୍ରଗତି କରି ନ ଥିଲୁ, କି ଅତ୍ୟାଧୁନିକ ଜ୍ଞାନକୌଶଳର ଅଧିକାରୀ ନ ଥିଲୁ। କିନ୍ତୁ ସେହି ମହାମାରୀକୁ ନିୟନ୍ତ୍ରଣ କରିପାରୁଥିଲୁ। ଏବେ ସୁଦ୍ଧା ଯେତେ ସଂଖ୍ୟକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି ସେମାନେ ସମସ୍ତେ ହେଉଛନ୍ତି ବିତ୍ତଶାଳୀ। ଗାଁଆ ଗହଳିରେ ରହୁଥିବା ଲୋକଙ୍କ ପ୍ରତି କରୋନା ଭୟର ଆଶଙ୍କା ନାହିଁ। ଏବେ କରୋନା ଭଳି ଏକ ମାରାତ୍ମକ ଭୂତାଣୁ ସମଗ୍ର ବିଶ୍ୱକୁ ଗ୍ରାସ କରିଛି, ଯାହାକୁ ନିୟନ୍ତ୍ରଣ କରିବା ଏବେ ସୁଦ୍ଧା ଅସମ୍ଭବ ହୋଇପଡ଼ିଛି।
କରୋନା ଏବେ ସମଗ୍ର ବିଶ୍ୱରେ ଏଭଳି ଭୟ ଓ ଆତଙ୍କ ସୃଷ୍ଟି କରିଛି ଯେ ଏଥିରୁ କିପରି ମୁକ୍ତି ମିଳିବ ସେଥିପାଇଁ ସମସ୍ତଙ୍କ ଚିନ୍ତା। ଯେଉଁ ପର୍ଯ୍ୟନ୍ତ କରୋନା ଭୂତାଣୁର ପ୍ରତିଷେଧକ ନ ବାହାରିଛି ସେ ପର୍ଯ୍ୟନ୍ତ ଆମକୁ ସତର୍କତା-ମୂଳକ ପଦକ୍ଷେପ ଆପଣେଇବାକୁ ପଡ଼ିବ। ଏଥିପାଇଁ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି।
ଭଗବାନଙ୍କ ଆଶୀର୍ବାଦ ଓ କୃପା ଦୃଷ୍ଟିରୁ ବର୍ତ୍ତମାନ ସୁଦ୍ଧା ଭାରତରେ ଲୋକସଂଖ୍ୟା ତୁଳନାରେ ସେଭଳି ଭାବେ କରୋନା ଭୂତାଣୁ ବ୍ୟାପି ନାହିଁ। ଓଡ଼ିଶାରେ ମଧ୍ୟ କରୋନା ସେତେ ବ୍ୟାପକ ଆକାର ଧାରଣ କରିନାହିଁ। କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡ଼ିଶା ସରକାର ବହୁ ଆଗରୁ ଅନେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରିବା ସହ ଏହାର ସଂକ୍ରମଣ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଗାଁଆଗଣ୍ଡାଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଆଡ଼େ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ସରକାରୀ କର୍ମଚାରୀ ଓ ଅଫିସରଙ୍କଠାରୁ ଆରମ୍ଭ କରି ସ୍ୱେଚ୍ଛାସେବୀ ସଂଗଠନ, ଯୁବକ ସଂଘ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ସମସ୍ତଙ୍କୁ ଏଥିରେ ନିୟୋଜିତ କରିଛନ୍ତି। କରୋନାର ସମ୍ଭାବ୍ୟ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ୍‌, କଲେଜ ଆଦି ଶିକ୍ଷାନୁଷ୍ଠାନ, ମଲ, ସିନେମା ହଲ, ଆଦିକୁ ବନ୍ଦ ଘୋଷଣା କରିବା ସହ ସାମାଜିକ ଉତ୍ସବ ଓ ସମାବେଶ ଉପରେ କଟକଣା ଲଗାଇଛନ୍ତି। କରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖାନାରେ ସ୍ୱତନ୍ତ୍ର କରୋନା ୱାର୍ଡ ସୃଷ୍ଟି କରିଛନ୍ତି। ସାମାଜିକ ଦୂରତା ରକ୍ଷା ଲାଗି ଲୋକଙ୍କୁ ସଚେତନ କରାଯାଉଥିବା ବେଳେ କୌଣସି ସ୍ଥାନରେ ୭ରୁ ଅଧିକ ଲୋକ ଏକାଠି ହୋଇ ପାରିବେ ନାହିଁ ବୋଲି ନିର୍ଦେଶନାମା ଜାରି କରିଛନ୍ତି। ଅଧିକ ଲୋକ ଏକତ୍ରିତ ହେଉଥିବା ସମସ୍ତ ହୋଟେଲ, ବାର, କ୍ୟାଣ୍ଟିନ୍‌, କଫିସପ୍‌ ଆଦି ବନ୍ଦ କରାଯାଇଛି। ସାଧାରଣ ପରିବହନ ବ୍ୟବସ୍ଥା କ୍ଷେତ୍ରରେ ଟ୍ୟାକ୍‌ସି, ବସ୍‌ ଓ ଅଟୋ ଚଳାଚଳ କ୍ଷେତ୍ରରେ ଯୁଗ୍ମ ଓ ଅଯୁଗ୍ମ ନମ୍ବର ବ୍ୟବସ୍ଥା ଲାଗୁ କରିଛନ୍ତି। କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ ସମୟୋଚିତ ପଦକ୍ଷେପ ପ୍ରଶଂସନୀୟ। କରୋନା ଯେପରି ଲୋକଙ୍କୁ ଅଧିକ ଆତଙ୍କିତ ଓ ଭୟଭୀତ ନ କରେ ସେଥିପାଇଁ ସରକାରଙ୍କ ପକ୍ଷରୁ ପ୍ରତିଦିନ ଲୋକଙ୍କୁ ଏ ବାବଦରେ ସୂଚନା ପ୍ରଦାନ କରାଯାଉଛି। ଭାରତ ସରକାର ମଧ୍ୟ ବିଭିନ୍ନ ପ୍ରକାର ସଚେତନତା ଓ ସତର୍କତା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦର ପାତ୍ର।
ଆମ ରାଜ୍ୟରେ ସ୍ୱାସ୍ଥ୍ୟାବସ୍ଥା ଯେଭଳି ଅବସ୍ଥାରେ ରହିଛି ଏବଂ ଲୋକଙ୍କ ଯେପରି ଚାଲିଚଳଣି, ଏହି ସତର୍କତାମୂଳକ ପଦକ୍ଷେପଗୁଡ଼ିକୁ ମାନି ଚଳିବାକୁ ସମସ୍ତେ ବାଧ୍ୟ ଏବଂ ସରକାରଙ୍କ ପକ୍ଷରୁ ଯେଉଁ ସବୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ପରାମର୍ଶ ଦିଆଯାଉଛି ତାହାକୁ ମଧ୍ୟ ସମସ୍ତେ ନିଷ୍ଠାର ସହ ପାଳନ କରୁଛନ୍ତି। କାରଣ କରୋନା ସଂକ୍ରମଣରୁ ବଞ୍ଚିବାକୁ ହେଲେ ସତର୍କତାମୂଳକ ପଦକ୍ଷେପ ଆପଣାଇବା ଏକମାତ୍ର ବାଟ। କରୋନା ଭୟରେ ଆତଙ୍କିତ ନ ହୋଇ ଆମେ ସମସ୍ତେ ସତର୍କତା ଅବଲମ୍ବନ କଲେ ନିଶ୍ଚିତ ଭାବେ ଏହି ବିପତ୍ତିକୁ ଟାଳି ଦେଇ ପାରିବା।

ଅଚ୍ୟୁତ ସାମନ୍ତ

ସାଂସଦ, ଲୋକସଭା
ପ୍ରତିଷ୍ଠାତା- କିଟ୍‌ ଓ କିସ୍‌

Comments are closed.