ବେଗୁନିଆରେ ବଢିଚାଲିଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ; କଟକଣାକୁ ଲୋକଙ୍କ ଖାତିର ନାହିଁ !

ବେଗୁନିଆ : କରୋନା ମହାମାରୀର ପ୍ରକୋପ ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି l ଯାହାଦ୍ୱାରା ଭୟ ଓ ଆଶଙ୍କାରେ ଜୀବନ ଓ ଜୀବିକା ଉପରେ ଘୋର ପ୍ରଭାବ ପଡୁଛି l ଏହି ପରିପ୍ରେକ୍ଷୀରେ ରାଜ୍ୟର ଖୋର୍ଦ୍ଧା ଜିଲ୍ଲା କରୋନା ସଂକ୍ରମଣରେ ଅନ୍ୟ ଜିଲ୍ଲାକୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଛି l ଅନୁରୂପଭାବେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅନ୍ୟ ବ୍ଲକ ତୁଳନାରେ ବଢ଼ିବାରେ ଲାଗିଛି l ଏହି ବ୍ଲକରେ କୋଭିଡ କଟକଣାକୁ ଲୋକେ ମାନୁନଥିବା ଯୋଗୁଁ ପ୍ରତି ପଞ୍ଚାୟତରେ ସଂକ୍ରମଣ ଦିନକୁଦିନ ବୃଦ୍ଧି ପାଉଛି l ଲୋକମାନେ ସାମାଜିକ ଦୂରତା ରକ୍ଷା, ମାସ୍କ ସଠିକ ଭାବେ ପରିଧାନ ନକରି କେବଳ ଲୋକ ଦେଖାଣିଆ ଭାବେ ନାକ ପାଟି ଖୋଲା ରଖି ପିନ୍ଧୁଥିବାରୁ କରୋନା ଭୁତାଣୁ ସହଜରେ ସୁସ୍ଥ ଲୋକଙ୍କୁ ସଂକ୍ରମିତ ହେଉଛି l
ସଟଡାଉନ ହୋଇଥିବା ସ୍ଥାନରେ କେତେକ ସନ୍ଦିଗ୍ଧ ସଂକ୍ରମିତ ବ୍ୟକ୍ତି ବାହାରେ ଖୁଲମଖୁଲା ଭାବେ ବଜାର ତଥା ରାସ୍ତା ଘାଟରେ ଘୁରି ବୁଲୁଛନ୍ତି l  ଅପରପକ୍ଷେ ଯେଉଁମାନେ କରୋନା ଚି଼ହ୍ନଟ ହେଉଛନ୍ତି, ସେମାନଙ୍କ ପ୍ରତି ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ବିଭାଗ କୌଣସି ଦେଖା ଶୁଣା କରୁନାହିଁ l ଚି଼ହ୍ନଟ ପରେ ସେମାନେ ସମସ୍ତ ଜାଗାରେ ଅନାୟାସରେ ତଥା ଅବାଧରେ ବୁଲୁଥିବା ଦେଖିବାକୁ ମିଳୁଛି l ପଜିଟିଭ ବ୍ୟକ୍ତି ମାନଙ୍କର ସଂକ୍ରମଣ ହେବାକୁ ନେଇ ଟିକିଏ ହେଲେ ଭୟ ନଥିବା ପରି ଜଣାଯାଉଛି l ସରକାର ପ୍ରତି ପଞ୍ଚାୟତରେ ଖୋଲିଥିବା ଟିଏମସି ବନ୍ଦ କରିଦେବା ପରେ ପଜିଟିଭ ଆକ୍ରାନ୍ତମାନେ ହୋମଆଇସୋଲେସନରେ ରହୁଛନ୍ତି l ଏପରି ସ୍ଥଳେ ଘରେ ରହି ଯେଉଁମାନେ ଅଧିକ ଅସୁସ୍ଥ ହୋଇପଡୁଛନ୍ତି ସେମାନଙ୍କୁ କୋଭିଡ ହସ୍ପିଟାଲକୁ ପଠାଯାଉଛି l କିନ୍ତୁ ପଜିଟିଭ ଆକ୍ରାନ୍ତମାନେ ଘରେ ରହୁଥିବାବେଳେ, ସେଥିପାଇଁ କୌଣସି କଟକଣା ନଥିବା ଯୋଗୁଁ ଏଠାରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି l
ବେଗୁନିଆ ଆଦର୍ଶ ବିଦ୍ୟାଳୟଠାରେ ଏକ ସ୍ୱାବ ପରୀକ୍ଷା କେନ୍ଦ୍ର ଖୋଲିଥିବାବେଳେ ସେଠାରେ ଆଉ ପରୀକ୍ଷା କରାନଯାଇ ଗତ ସେପ୍ଟେମ୍ବର ମାସରୁ ପ୍ରତିଦିନ ଦୁଇଟି ଟିମ ଦୁଇଟି ପଞ୍ଚାୟତକୁ ଗସ୍ତ କରୁଛନ୍ତି l ପଞ୍ଚାୟତର ଗୋଟିଏ ଜାଗାରେ ସ୍ୱାସ୍ଥ୍ୟକର୍ମୀମାନେ ରହି ଲୋକମାନଙ୍କର ସ୍ୱାବ ପରୀକ୍ଷା କରୁଛନ୍ତି l କିନ୍ତୁ ପ୍ରଚାର ଏବଂ ପ୍ରସାର ଅଭାବରୁ ପଞ୍ଚାୟତର ସମସ୍ତ ଲୋକ ଏହାର ଲାଭ ନେଇ ପାରୁନାହାନ୍ତି l ଯଦି ସ୍ୱାସ୍ଥ୍ୟ ବିଭାଗ ଆଗୁଆ ଖବର ଦେଇ ଘର ଘର ବୁଲି ପରୀକ୍ଷା କରନ୍ତେ ତାହେଲେ ଏହି ଅଭିଯାନରେ ସମସ୍ତେ ଉପକୃତ ହୋଇପାରନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l ଏଠାରେ ଚାଲିଥିବା ସ୍ୱାବ ଟେଷ୍ଟିଙ୍ଗରେ ଆରଟିପିସିଆରରେ ଅଧିକ ଆକ୍ରାନ୍ତ ବାହାରୁଥିବା ବେଳେ ଆଣ୍ଟିଜେନରେ କମ୍ ପଜିଟିଭ ବାହାରୁଛନ୍ତି l
ବେଗୁନିଆ ବ୍ଲକରେ ବୁଧବାର ସୁଦ୍ଧା ୮୪୨ ଜଣ କରୋନା ପଜିଟିଭ ଚି଼ହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ସିକୋର ଦୁଇଜଣ, ଡିଙ୍ଗର ଏବଂ ଦିନିଆରିର ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଛି। କିନ୍ତୁ ପ୍ରକୃତରେ କରୋନା ମୃତ୍ୟୁ ସଂଖ୍ୟା ଏହି ବ୍ଲକରେ ଆହୁରି ଅଧିକ ହେବ ବୋଲି ବେସରକାରୀ ସୂତ୍ରରୁ ଜଣାପଡିଛି l ଯେଉଁମାନେ ଉନ୍ନତ ଚିକିତ୍ସା ସେବା ପାଇବା ପାଇଁ ଏଠାରୁ ଯାଇ ଭୁବନେଶ୍ୱର, କଟକ ଏବଂ ପୁରୀରେ ମୃତ୍ୟୁବରଣ କରୁଛନ୍ତି ସେମାନଙ୍କ ନାମ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ନିକଟରେ ରହୁନାହିଁ ବୋଲି ଲୋକମାନଙ୍କ ଠାରୁ ଶୁଣିବାକୁ ମିଳୁଛି l ୭୫୩ ଜଣ ସୁସ୍ଥ ହୋଇ ଫେରିଥିବାବେଳେ ବାକି ୮୫ଜଣ ନିଜ ଘରେ ଏବଂ ଜାମୁଝରୀ କୋଭିଡ ହସ୍ପିଟାଲରେ ଚିକିସ୍ଥିତ ହେଉଛନ୍ତି  l

Comments are closed.