କରୋନା ପ୍ରଭାବ; ୧୨ ଦିନରେ ରେଳବାଇର ୮୫ କୋଟି କ୍ଷତି, ଟିକଟ ବାତିଲ କଲେ ୧୨ ଲକ୍ଷ ଯାତ୍ରୀ

ନୂଆଦିଲ୍ଲୀ : ସାରା ଦେଶରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୮୪ଜଣ କରୋନାରେ ସଂକ୍ରମିତ ହେବାର ରିପୋର୍ଟ ଆସିଥିବା ବେଳେ ଏହି ମାରାତ୍ମକ ଭାଇରସ୍ ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ସେହିଭଳି ଭାରତର ଅର୍ଥନୀତିର ମଧ୍ୟ କରୋନାର ପ୍ରଭାବ ପଡ଼ିଛି ।
କରୋନା ଭାଇରସ୍ ଯୋଗୁଁ ରେଳ ହେଉ କିମ୍ବା ବସ୍ ସବୁଠାରେ ଯାତ୍ରୀଙ୍କ ଅଭାବ ଦେଖାଦେଇଛି। ଲୋକଙ୍କ ମଧ୍ୟରେ କରୋନା ଭୂତାଣୁର ଭୟ କାୟା ବିସ୍ତାର କରିଛି। ଅନେକ ଯାତ୍ରୀ ସେମାନଙ୍କର ଟ୍ରେନ୍ ଟିକଟ୍ ବାତିଲ୍ କରୁଥିବା ଦେଖାଯାଇଛି। ଯାହାଫଳରେ ୧୨ ଦିନରେ ରେଳବାଇର ୮୫.୦୩ କୋଟି ଟଙ୍କା କ୍ଷତି ହୋଇଥିବା ସୂଚନା ମିଳିଛି।
ଦିଲ୍ଲୀ ପାସେଞ୍ଜର ସଂରକ୍ଷଣ ବ୍ୟବସ୍ଥାର ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୧ରୁ ୧୨ ମଧ୍ୟରେ ୧୨.୨୯ ଲକ୍ଷ ଯାତ୍ରୀ ଟ୍ରେନ ଯାତ୍ରାକୁ ବାତିଲ କରିଛନ୍ତି। ଟିକଟ୍ ବାତିଲ ହେତୁ ରେଳବାଇ ୮୫.୦୩ କୋଟି ଟଙ୍କା କ୍ଷତି ହୋଇଛି। ଏଥି ସହିତ ମାର୍ଚ୍ଚରେ ୭.୨୫ ଲକ୍ଷ ଲୋକ ଟିକଟ ବାତିଲ କରିଦେଇଥିଲେ। ତେବେ ମାର୍ଚ୍ଚ ମାସରେ ରେଳବାଇ ୫.୦୪ ଲକ୍ଷ ଯାତ୍ରୀ ହରାଇଥିବା ଜଣାପଡିଛି।
ଭାରତୀୟ ରେଳ ଦୈନିକ ୨୦ହଜାର ଟ୍ରେନ୍ ଚଳାଚଳ କରେ। ରେଳବାଇର ବାର୍ଷିକ ଆୟ ହେଉଛି ୧.୯୭ ଲକ୍ଷ କୋଟି ଟଙ୍କା। କିନ୍ତୁ ବର୍ତ୍ତମାନ ଏହା ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ କ୍ଷତିକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରେଳବାଇ ପକ୍ଷରୁ ପରିଷ୍କାର ପରିଚ୍ଛନ୍ନତା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଏଥିସହ କର୍ମଚାରୀମାନଙ୍କୁ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Comments are closed.