କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି, କଲ୍ୟାଣ ମଣ୍ଡପ ଓ ବାତ୍ୟା ଆଶ୍ରୟସ୍ଥଳରେ ଅସ୍ଥାୟୀ କ୍ୱାରେଣ୍ଟାଇନ୍ ସେଣ୍ଟର

ଭୁବନେଶ୍ବରରେ ଅସ୍ଥାୟୀ କ୍ୱାରେଣ୍ଟାଇନ୍ ସେଣ୍ଟର ପାଇଁ ୨୫ ଟି ସ୍ଥାନ ଚିହ୍ନଟ

ଭୁବନେଶ୍ବର : ସମଗ୍ର ବିଶ୍ବରେ ଆତଙ୍କ ଖେଳାଇ ଚାଲିଛି ମହାମାରୀ କରୋନା। ଏହି ମହାମାରୀରେ ଓଡିଶାର ଜଣେ ଯୁବକ ଆକ୍ରାନ୍ତ ହେବାପରେ ରାଜ୍ୟ ସରକାର ସମଗ୍ର ରାଜ୍ୟରେ ଅସ୍ଥାୟୀ କ୍ୱାରେଣ୍ଟାଇନ୍ ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ସୋମବାର ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ନଗର ପରିଷଦମାନଙ୍କୁ ଚିଠି କରାଯାଇଛି। ରାଜ୍ୟରେ ଆଗକୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଏବଂ ବିଦେଶରୁ ଫେରୁଥିବା ଓଡିଶାର ଲୋକମାନଙ୍କୁ ନିଜ ଅଞ୍ଚଳରେ ଅସ୍ଥାୟୀ କ୍ୱାରେଣ୍ଟାଇନ୍ ସେଣ୍ଟର ରଖିବାକୁ ବ୍ୟବସ୍ଥା କରାଯାଉଛି। ଏଥି ନିମନ୍ତେ ରାଜ୍ୟରେ ଥିବା କଲ୍ୟାଣ ମଣ୍ଡପ, ବାତ୍ୟା ଆଶ୍ରୟସ୍ଥଳ କ୍ୱାରେଣ୍ଟାଇନ୍ ସେଣ୍ଟର ହେବ। ସେହିଭଳି ସହରାଞ୍ଚଳ ଆଶ୍ରୟସ୍ଥଳ, ସରକାରୀ କୋଠାକୁ ମଧ୍ୟ ଅସ୍ଥାୟୀ କ୍ୱାରେଣ୍ଟାଇନ୍ ସେଣ୍ଟର ଭାପେ ପ୍ରସ୍ତୁତ କରାଯିବ। ଏହି ସେଣ୍ଟରଗୁଡ଼ିକରେ ଆନୁଷଙ୍ଗିକ ବ୍ୟବସ୍ଥା କରିବା ଏଥିସହିତ ବିଦ୍ୟୁତ୍ ସଂଯୋଗ, ଫ୍ୟାନ୍, ପାନୀୟ ଜଳ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ରାଜଧାନୀ ଭୁବନେଶ୍ବରରୁ ଚିହ୍ନଟ ହେବାପରେ ଭୁବନେଶ୍ବରେ ମଧ୍ୟ ୨୫ ଟି ଅସ୍ଥାୟୀ କ୍ୱାରେଣ୍ଟାଇନ୍ ସେଣ୍ଟର ପାଇଁ ସ୍ଥାନ ଚିହ୍ନଟ କରିଛି ବିଏମସି। ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦେଶ ଅନୁସାରେ ବିଏମସି ଭୁବନେଶ୍ବରର ବିଭିନ୍ନ ଯାତ୍ରୀ ନିବାସ, ସରକାରୀ ଓ ବେସରକାରୀ ସ୍କୁଲ, କମ୍ୟୁନିଟି ସେଣ୍ଟର, ବିଜେପି କଲେଜର ଆର୍ଟ୍ସ ବ୍ଲକ, ଏକାମ୍ର କଲେଜ ଭଳି କେତେକ ସ୍ଥାନରେ ଅସ୍ଥାୟୀ କ୍ୱାରେଣ୍ଟାଇନ୍ ସେଣ୍ଟର ଖୋଲିବାକୁ ଚିହ୍ନଟ କରାଯାଇଛି ।ପ୍ରସ୍ତୁତ ହେଉଥିବା ଅସ୍ଥାୟୀ କ୍ୱାରେଣ୍ଟାଇନ୍ ସେଣ୍ଟର ଗୁଡିକର ପରିମଳ ବ୍ୟବସ୍ଥା ଉପରେ ଉପଯୁକ୍ତ ଧ୍ୟାନ ଦେବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

Comments are closed.