କାଢା ହେଉଛି ଇମ୍ୟୁନିଟି ବୁଷ୍ଟର୍ – ଆୟୁଷ ମନ୍ତ୍ରଣାଳୟ

ଜାଣନ୍ତୁ ଏହାର ଲାଭ

କରୋନା ସଂକ୍ରମଣକୁ ରୋକିବା ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଅନେକ ନିର୍ଦ୍ଦେଶ ଜାରି କରାଯାଇଛି। ପ୍ରତିଦିନ ସକାଳେ ଚ୍ୟୱନପ୍ରାଶ୍  ଖାଇବାକୁ ଏବଂ ହଳଦୀ ମିଶ୍ରିତ କ୍ଷୀର ପିଇବାକୁ ପରାମର୍ଶ ଦିଆଯାଇଛି। ଋତୁ ପରିବର୍ତ୍ତନ ହେଲେ ଅନେକ ଲୋକ କାଶ, ଥଣ୍ଡା, ଜ୍ୱର ଓ ଗଳାରେ ଯନ୍ତ୍ରଣା ଭଳି ସମସ୍ୟା ଭୋଗ କରନ୍ତି। ଏଭଳି ପରିସ୍ଥିତିରେ କାଢା ପିଇବାକୁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରର କାଢା ପ୍ରସ୍ତୁତ କରାଯାଏ। କେଉଁଠି ଅଦା ଓ ଗୋଲମରିଚରେ କାଢା ପ୍ରସ୍ତୁତ କରାଯାଏ, ତ ଅନ୍ୟ କେଉଁଠି ତୁଳସୀ ପତ୍ରରେ କାଢା ତିଆରି କରାଯାଏ। ତେ​‌ବେ ସର୍ବପ୍ରଥମେ ଆସନ୍ତୁ ଜାଣିବା ତୁଳସୀ କାଢା ପିଇବାର ଲାଭ ବିଷୟରେ…

ତୁଳସୀ କାଢା : ଥଣ୍ଡା, କାଶ ଏବଂ ଗଳା ସମସ୍ୟାରୁ ମୁକ୍ତି ପାଇବା ପାଇଁ ତୁଳସୀ କାଢା ରାମବାଣ ସଦୃଶ। ତୁଳସୀ ପତ୍ରକୁ ପାଣିରେ ଫୁଟାଇ ଟିକେ ଲୁଣ ମିଶାଇ କାଢା ପ୍ରସ୍ତୁତ କରନ୍ତୁ। ଏହି କାଢାକୁ ପିଇବା ଦ୍ବାରା ଫ୍ଲୁ ରୋଗରୁ ଶୀଘ୍ର ଆରୋଗ୍ୟ ଲାଭ ହୁଏ।

-ହୃଦୟ ଜନିତ ସମସ୍ୟା ଥିବା ରୋଗୀଙ୍କୁ ଏହି କାଢା ପିଇବାକୁ ପରାମର୍ଶ ଦିଆଯାଏ। ନିୟମିତ ଏହାକୁ ପିଇବା ଦ୍ବାରା ଶରୀରର କୋଲେଷ୍ଟ୍ରଲ ମାତ୍ରା ନିୟନ୍ତ୍ରିତ ରହିଥାଏ।

ଅଦା କାଢା : ଅଦା କାଢା ଅନେକ ପ୍ରାକୃତିକ ଉପାଦାନର ଭଣ୍ଡାର ବୋଲି କୁହାଯାଏ। ଅଦାରେ ଅନେକ ଭିଟାମିନ୍, ମାଙ୍ଗାନିଜ୍ ଏବଂ କପର ରହିଛି। ଅଦା କାଢା ପିଇବା ଦ୍ୱାରା ରୋଗ ପ୍ରତିରୋଧକ ପ୍ରକ୍ରିୟା ଶକ୍ତିଶାଳୀ ହୁଏ।

– ଅଦା ରକ୍ତକୁ ପତଳା କରିଥାଏ। ନିୟମିତ ଭାବେ ଅଦା କାଢା ପିଇବା ଦ୍ୱାରା ରକ୍ତଚାପ ଭଳି ସମସ୍ୟା ସୃଷ୍ଟି ହୁଏ ନାହିଁ।

– ଯେଉଁମାନଙ୍କର କାଶ, ଜ୍ୱର ଏବଂ ଗଳା ଯନ୍ତ୍ରଣା ଭଳି ସମସ୍ୟା ରହିଛି, ସେମାନଙ୍କୁ ଅଦା କାଢା ପିଇବାକୁ ପରାମର୍ଶ ଦିଆଯାଏ।

– ଯେଉଁମାନଙ୍କର ହଜମ ଜନିତ ସମସ୍ୟା ରହିଛି, ସେମାନଙ୍କ ପାଇଁ ଅଦା କାଢା ପିଇବା ଅତ୍ୟନ୍ତ ଲାଭଦାୟକ। ଦୈନିକ ୨ ଚାମଚ ଅଦା କାଢା ପିଇବା ଦ୍ୱାରା ହଜମ ପ୍ରକ୍ରିୟାରେ ସମସ୍ୟା ରୁହେ ନାହିଁ।

Comments are closed.