ଗୋପବନ୍ଧୁ ଚିକିତ୍ସାଳୟରେ ହେବ ୨୦୫ ଶଯ୍ୟା ବିଶିଷ୍ଟ କରୋନା ଆଇସୋଲେସନ କେନ୍ଦ୍ର

ଗୁରୁଡ଼ିଝାଟିଆ : ସମଗ୍ର ବିଶ୍ୱରେ କରୋନା କାୟା ବିସ୍ତାର କରିଚାଲିଛି। ଏହାକୁ ମହାମାରୀ ବୋଲି ଘୋଷଣା କରାଯାଇଛି। ଭାରତରେ ମଧ୍ୟ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ରାଜ୍ୟ ସରକାର ଏହାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରି କିଭଳି ଏହାକୁ ରୋକାଯାଇ ପାରିବ ସେଥିପାଇଁ ବ୍ୟାପକ ସଚେତନତା ,ସାମାଜିକ ଦୂରତ୍ୱ ରକ୍ଷା ଓ ରାଜ୍ୟର ସମଗ୍ର ଜିଲାରେ ଲକ୍‌ଡାଉନ କରାଯାଇଛି। କରୋନାର ମୁକାବିଲା ପାଇଁ ‘ସମାଜ’ ଓ ଲୋକସେବକ ମଣ୍ଡଳ ଦ୍ୱାରା ମାଧବପୁର ଠାରେ ପରିଚାଳିତ ଗୋପବନ୍ଧୁ ଚିକିତ୍ସାଳୟରେ ୨୦୫ଶଯ୍ୟା ବିଶିଷ୍ଟ ଆଇସୋଲେସନ ଏବଂ କ୍ୱାରେନଟାଇନ ଚିକିତ୍ସାକେନ୍ଦ୍ର କାର୍ଯ୍ୟକାରୀ କରିବ। ଆଜି କଟକ ଜିଲାପାଳ ଭବାନୀ ଶଙ୍କର ଚଇନି ଗୋପବନ୍ଧୁ ଚିକିତ୍ସାଳୟର ଭିତ୍ତିଭୂମି ଅନୁଧ୍ୟାନ କରିବା ସହିତ ସନ୍ତୋଷବ୍ୟକ୍ତ କରିଥିଲେ। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଂପାଦକ ତଥା ପ୍ରତିଷ୍ଠାନ ପରିଚାଳନା କମିଟି ଅଧ୍ୟକ୍ଷ ନିରଞ୍ଜନ ରଥଙ୍କ ସହିତ ଏନେଇ ଆଲୋଚନା କରି ଥିଲେ। କ୍ୱାରେନଟାଇନ୍‍, ଆଇସୋଲେସନ ପ୍ରକୋଷ୍ଠ ଓ ୫ଟି ଆଇସିୟୁ ହେବାକୁ ଥିବା ପ୍ରକୋଷ୍ଠଗୁଡିକୁ ବୁଲି ଦେଖିଥିଲେ। ସପ୍ତାହକ ଭିତରେ ୧୦୦ଟି କରୋନା ଆଇସୋଲେସନ, ୧୦୦ଟି କ୍ୱାରେନଟାଇନ ଶଯ୍ୟା ଏବଂ ୫ଟି ଆଇସିୟୁ କାର୍ଯ୍ୟକ୍ଷମ ହେବ। ଗୋପବନ୍ଧୁ ଚିକିତ୍ସାଳୟ ଅଧ୍ୟକ୍ଷ ଶ୍ରୀ ରଥ ରାଜ୍ୟ ବିପର୍ଯ୍ୟୟ ସମୟରେ କରୋନାର ମୁକାବିଲା ପାଇଁ ସହଯୋଗ ପ୍ରଦାନ କରିଥିବାରୁ ଜିଲାପାଳ କୃତଜ୍ଞତା ଜ୍ଞାପନ କରିଥିଲେ। ଏହା ଜିଲାର ବିଭିନ୍ନ ପ୍ରାନ୍ତର କରୋନାରୋଗୀ ତତ୍‍ସହିତ ଆଇସୋଲେସନ ଓ କ୍ୱାରେନଟାଇନଙ୍କ ପାଇଁ ଚିକିତ୍ସାକେନ୍ଦ୍ର ଭାବେ ଉପଲବ୍ଧ ହେବ। ବିଶେଷତଃ ବାଙ୍କୀ, ଆଠଗଡ଼, ତିଗିରିଆ, ବଡ଼ମ୍ବା ଓ ନରସିଂହପୁର ଅଞ୍ଚଳର ସଂକ୍ରମିତ ବ୍ୟକ୍ତି ଏଠାରେ ରହିପାରିବେ ବୋଲି ସେ ପ୍ରକାଶ କରିଥିଲେ। ଶ୍ରୀ ରଥ ଚିକିତ୍ସାଳୟ ପକ୍ଷରୁ ଜିଲା ପ୍ରଶାସନକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଜିଲାପାଳ ଶ୍ରୀ ଚଇନି ଭିତ୍ତିଭୂମିକୁ ଦ୍ରୁତଗତିରେ ସମାପନ ପାଇଁ ପୂର୍ତ୍ତ ଓ ନଗର ଉନ୍ନୟନ, ବିଦ୍ୟୁତ୍‍, ପିଏଚ୍‌ଡି ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ଏଥିପାଇଁ ତୁରନ୍ତ କାର୍ଯ୍ୟାରମ୍ଭ ହୋଇଛି। ଜିଲାପାଳଙ୍କ ସହ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସତ୍ୟବ୍ରତ ରାଜଗୁରୁ, କଟକ ସଦର ଉପଜିଲାପାଳ ଶୁଭ୍ରାଂଶୁ ମିଶ୍ର, ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟାଧିକାରୀ ଡା. ଦିଲୀପ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.