ଭାରତରେ କରୋନା ଭୂତାଣୁର ସନ୍ଦିଗ୍ଧ ସୂତ୍ରଧର ଇକୋ ହେଲଥ୍‌

ନୂଆଦିଲ୍ଲୀ : ଚୀନର ଉହାନ ପରୀକ୍ଷାଗାରରେ କରୋନା ଭୂତାଣୁର ଉତ୍ପତ୍ତି ସହ ଏହାର ବ୍ୟାପୃତିକୁ ଲୁଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଆମେରିକାର ନ୍ୟୁୟର୍କସ୍ଥିତ ସ୍ବେଚ୍ଛାସେବୀ ସଂସ୍ଥା (ଏନଜିଓ) ଇକୋ ହେଲଥ ଆଲାଏନ୍ସ (ଇଏଚ୍‌ଏ) ଏବେ ଭାରତୀୟଙ୍କ ନଜରରେ ସନ୍ଦିଗ୍ଧ। କରୋନା ଭୂତାଣୁ ମାଧ୍ୟମରେ ବିଶ୍ବରେ ହାହାକାର ରଚିଥିବା ଉକ୍ତ ଏନଜିଓ ଏବେ ଭାରତରେ କାମ କରୁଥିବା ଜଣାପଡ଼ିଛି। ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାର ୨୦୨୦ ଅଗଷ୍ଟରେ ଏହି ସଂସ୍ଥାକୁ ଭାରତରେ କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି। ଏହି ଆଧାରରେ ଇଏଚ୍‌ଏ ଭାରତର ସ୍ବାସ୍ଥ୍ୟ ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରୁଛି। ପଶୁ ଓ କୀଟପତଙ୍ଗଙ୍କଠାରୁ ମଣିଷକୁ ବ୍ୟାପୁଥିବା ରୋଗ (ଜୁନୋଟିକ ଡିଜିଜ୍‌)ର ନିୟନ୍ତ୍ରଣ ପାଇଁ ଏହା କାର୍ଯ୍ୟ କରୁଛି। ଏଥିପାଇଁ ଭାରତ ସରକାରଙ୍କୁ ସହାୟତା କରିବା ଲାଗି ଇଏଚ୍‌ଏ ‘ୱାନ ହେଲଥ’ ପ୍ଲାଟଫର୍ମ ସ୍ଥାପନ କରିଛି। ଏଥିପାଇଁ ଇଏଚ୍ଏ ବିଲ୍ ଆଣ୍ଡ ମିଲିଣ୍ଡା ଗେଟସ୍‌ ଫାଉଣ୍ଡେସନ (ବିଏମ୍‌ଜିଏଫ୍‌)ଠାରୁ ୧୫ଲକ୍ଷ ଡଲାର ସହାୟତା ପାଇଛି। କରୋନା ଭୂତାଣୁ କ୍ଷେତ୍ରରେ ଇଏଚ୍‌ଏର ଡାହାଣୀ ହୋଇ ଲାଗିବା ଓ ପରେ ଗୁଣିଆ ଭୂମିକା ନିଭାଉଥିବା ଅନୁଭବ କରିବା ପରେ ଫାଉଣ୍ଡେସନ ଏବେ ସହାୟତା ରାଶି ପ୍ରଦାନ ସମ୍ପର୍କରେ ପୁନର୍ବିଚାର କରିବାକୁ ଯାଉଛି।

ପିଟର ଡାସଜାକ୍

ଇଏଚ୍‌ଏର ମୁଖ୍ୟ ହେଉଛନ୍ତି ବିଶିଷ୍ଟ ଅଣୁଜୀବ ବିଜ୍ଞାନୀ ଡାକ୍ତର ପିଟର ଡାସଜାକ୍। ଆମେରିକାର ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ (ଏନଆଇଏଚ୍‌)ରୁ ପାଇଥିବା ଅର୍ଥକୁ ସେ ନିଜ ଅନୁଷ୍ଠାନ ମାଧ୍ୟମରେ ଉହାନ ପରୀକ୍ଷାଗାରକୁ ଦେଇଥିଲେ। ଏହି ଅର୍ଥ କରୋନା ଭୂତାଣୁ ସୃଷ୍ଟି ପାଇଁ ଗବେଷଣାରେ ବିନିଯୋଗ ହୋଇଥିଲା। ପରବର୍ତ୍ତୀ ସମୟରେ କରୋନା ଭୂତାଣୁର ଉତ୍ପତ୍ତି ସ୍ଥଳ ଭାବେ ଉହାନ ଗବେଷଣାଗାର ସନ୍ଦେହ ଘେରକୁ ଆସିବା ପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଯେଉଁ ତଦନ୍ତ ଦଳ ଗଠନ ହୋଇଥିଲା ସେଥିରେ ଡାସଜାକ୍‌ ଅନ୍ୟତମ ସଦସ୍ୟ ଭାବେ ଚୀନ୍‌ ଉପରୁ ଦୋଷ ହଟାଇବାକୁ ସମସ୍ତ ଉଦ୍ୟମ ଚଳାଇଆସିଛନ୍ତି। କେବଳ ସେତିକି ନୁହେଁ ‘ଉହାନ୍‌ ଭୂତାଣୁ’ ପରୀକ୍ଷାଗାରରୁ ଖସିଯିବା ଉପରେ ଆଲୋଚନାକୁ ବନ୍ଦ କରିବା ପାଇଁ ସେ ଅନ୍ୟ ୧୨ ଗବେଷକଙ୍କ ସହ ଏକ ପତ୍ର ‘ଲାନ୍‌ସେଟ୍‌’ ପତ୍ରିକାକୁ ଲେଖିଥିବା ଜଣାଯାଇଛି। ସାରା ବିଶ୍ବର ସନ୍ଦେହ ଦୃଷ୍ଟିରେ ଥିବା ଏକ ସଂସ୍ଥାକୁ ଭରତରେ କାମ କରିବାର ସୁଯୋଗ ଦେବା ସ୍ବାଭାବିକ ଭାବେ ପ୍ରଶ୍ନବାଚୀ ସୃଷ୍ଟିକରିଛି।
ସେହି ଡାସଜାକ୍‌ଙ୍କ ସଂସ୍ଥା ଇଏଚଏ ଭାରତର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମ୍ପର୍କରେ ସମ୍ପ୍ରତି କେନ୍ଦ୍ର ପ୍ରାଣୀ ସମ୍ପଦ ବିଭାଗ ସଚିବ ଅତୁଲ ଚତୁର୍ବେଦୀଙ୍କ ପ୍ରତିକ୍ରିୟା ଲୋଡ଼ାଯାଇଥିଲା। ଚତୁର୍ବେଦୀ କହିଥିଲେ ଯେ ଭାରତରେ ଏକ ପ୍ରାଣୀ ସମ୍ପଦ ପ୍ରକଳ୍ପ ସ୍ଥାପନ ନିମନ୍ତେ ବିଏମ୍‌ଜିଏଫ ସହିତ ଆଲୋଚନା ଚାଲିଛି। ଏଥିପାଇଁ ବୁଝାମଣାପତ୍ର ସ୍ବାକ୍ଷର ପ୍ରକ୍ରିୟା ଚାଲୁରହିଛି। ଏହା ଏକ ବୈଷୟିକ ସହାୟତା ବୁଝାମଣା। ପ୍ରକଳ୍ପରେ ତୃତୀୟ ପକ୍ଷ ଭାବେ ଇଏଚଏକୁ ଗ୍ରହଣ କରାଯାଇଛି। ଏହାଠାରୁ କୌଣସି ଅାର୍ଥିକ ସହାୟତା ଗ୍ରହଣ କରାଯାଇ ନାହିଁ। ଇଏଚଏ ଏକ ବୈଶ୍ବିକ ସଂସ୍ଥା। ଏହା କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟ, ସ୍ମିଥସୋନିଆନ ଇନଷ୍ଟିଚ୍ୟୁସନ, ୱାଇଲ୍ଡଲାଇଫ କଞ୍ଜରଭେସନ ସୋସାଇଟି ଓ କଲମ୍ବିଆ ବିଶ୍ବବିଦ୍ୟାଳୟର ସଂକ୍ରମଣ ଓ ପ୍ରତିରୋଧକ ସେଣ୍ଟରରେ କାର୍ଯ୍ୟ କରୁଛି। ବିଶ୍ବର ୩୦ଟି ରାଷ୍ଟ୍ରରେ ଏହା ‘ୱାଲହେଲଥ ପ୍ଲାଟଫର୍ମ’ ମାଧ୍ୟମରେ ସ୍ବାସ୍ଥ୍ୟ ଗବେଷଣା କ୍ଷେତ୍ରରେ; ବିଶେଷକରି ସଂକ୍ରାମକ ରୋଗ ଚିହ୍ନଟ, ପ୍ରତିରୋଧ ଦିଗରେ ଏହା କାର୍ଯ୍ୟ କରୁଛି। ଅବଶ୍ୟ ପିଏମଜିଏଫ୍ ସହାୟତାରେ ହେବାକୁ ଥିବା ପ୍ରାଣୀ ସମ୍ପଦ ପ୍ରକଳ୍ପର ବନ୍ଦ ହେବା ନେଇ ସୂଚନା ମିଳିଛି; କାରଣ ବିଏମଜିଏଫ୍ ଏଥିପାଇଁ ଦେବାକୁ ଥିବା ସହାୟତା ପ୍ରତ୍ୟାହାର କରିବାକୁ ବିଚାର କରୁଛି। ଭାରତ ସରକାର ଓ ଇଏଚଏ ସହିତ ବିଏମଜିଏଫର ସହଯୋଗିତା ସମ୍ପର୍କରେ ପଚରାଯାଇଥିବାବେଳେ ବିଏମ୍‌ଜିଏଫର ମୁଖପାତ୍ର କହିଛନ୍ତି ଯେ ପ୍ରାଣୀ ସମ୍ପଦ ପ୍ରକଳ୍ପ ପାଇଁ ଦିଆଯିବାକୁ ଥିବା ଅର୍ଥ ତିନିବର୍ଷ ପାଇଁ ଉଦ୍ଦିଷ୍ଟ। ପ୍ରାଣୀ ସମ୍ପଦ ବିଭାଗ ସହାୟତା ଜାତୀୟ ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ ଲାଗି ଏହା ବୈଷୟିକ ସହାୟତା ଯୋଗାଇ ଦେବ। ଏଥିପାଇଁ ୧୫ ଲକ୍ଷ ଡଲାର ଅନୁମୋଦନ କରାଯାଇଛି। ଇଏଚ୍‌ଏ ଉତ୍ତର ପ୍ରଦେଶରେ ୨୦୧୪ରୁ ‘ପ୍ରେଡିକ୍ଟ’ ନାମରେ ପ୍ରାଣୀଧନ ଔଷଧ ପ୍ରସ୍ତୁତି କ୍ଷେତ୍ରରେ କିଛି କାଳ କାମ କରିଥିବା ମଧ୍ୟ ସୂଚନା ମିଳିଛି।

Comments are closed.