ଡ୍ରିମସ ହେବ କୋଭିଡ ହସ୍ପିଟାଲ : ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ୫୦୦ଶଯ୍ୟା, ୫୦ଆଇସିୟୁ

କଟକ/ଟାଙ୍ଗୀ : କଟକ ବଡ଼ ଡାକ୍ତରଖାନା ବଦଳରେ ଟାଙ୍ଗୀସ୍ଥିତ ଡ୍ରିମସ ବୈଷୟିକ ମହାବିଦ୍ୟାଳୟରେ କରୋନା ସନ୍ଦିଗ୍ଧ ଓ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ହସ୍ପିଟାଲ କରାଯିବ। ଏଠାରେ କରୋନା ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କ ଚିକିତ୍ସା ପାଇଁ ୫୦୦ଶଯ୍ୟାର ଆଇସୋଲେସନ ୱାର୍ଡ ସହିତ ୫୦ଶଯ୍ୟାର ଆଇସିୟୁ ସୁବିଧା ରହିବ। ୧୦ଦିନ ମଧ୍ୟରେ ଏହି ହସ୍ପିଟାଲ ପ୍ରସ୍ତୁତି କାର୍ଯ୍ୟ ଶେଷ ହେବ। ଏଥିନେଇ ଶୁକ୍ରବାର କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲକୁମାର ସାମଲ ଡ୍ରିମସ ପରିଦର୍ଶନ କରି ଆବଶ୍ୟକ ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ।
ଆରଡିସି ଶ୍ରୀ ସାମଲ, ଜିଲାପାଳ ଭବାନୀ ଶଙ୍କର ଚୟନୀ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଗାଇଡ ଲାଇନ୍‍ ଅନୁଯାୟୀ ଆବଶ୍ୟକ ଭିତ୍ତିଭମି, ଚିକିତ୍ସାରେ ନିୟୋଜିତ ଡାକ୍ତର, ନର୍ସ ଓ ପାରାମେଡିକାଲ କର୍ମଚାରୀଙ୍କ ରହଣି ସୁବିଧା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ହଷ୍ଟେଲ, ନର୍ସିିଂ ବ୍ଲକ ଓ ମୁଖ୍ୟ ଏକାଡେମିକ୍‍ ବ୍ଲକକୁ ଏଥିପାଇଁ ଚିହ୍ନଟ କରାଯାଇଛି। ଏଠାରେ କରୋନା ସନ୍ଦିଗ୍ଧଙ୍କ ପାଇଁ ସ୍ୱତନ୍ତ୍ର ବହିର୍ବିଭାଗ ସହିତ ଆଇସୋଲେସନ ୱାର୍ଡର ଆନୁଷଙ୍ଗିକ ସୁବିଧା ରହିବ। ୧୦ଦିନ ମଧ୍ୟରେ ପାନୀୟ ଜଳଯୋଗାଣ, ଶୌଚାଳୟଗୁଡିକର ପରିଷ୍କାର ପରିଚ୍ଛନ୍ନତା ଓ ଅନ୍ୟାନ୍ୟ ସୁବିଧା କରିବା ଲାଗି ପୂର୍ତ୍ତ ବିଭାଗ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। କ୍ୟାମ୍ପସ ପରିଦର୍ଶନ କରିବା ପରେ ଆରଡିସି ଶ୍ରୀ ସାମଲ ‘ଡ୍ରିମ୍‍ସ’ର ଅଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ରଥଙ୍କ ସହ ଏନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଅଧ୍ୟକ୍ଷ ଶ୍ରୀ ରଥ ଏଭଳି ଜାତୀୟ ବିପତ୍ତି ସମୟରେ ସମ୍ମିଳିତ ସହଯୋଗର ଆବଶ୍ୟକତା ଏକାନ୍ତ ଜରୁରୀ ବୋଲି ପ୍ରକାଶ କରିଥିଲେ। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ଅଧିକାରୀ ମହମ୍ମଦ ଅବ୍‍ଦଲ ଅଖତାର୍‍, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସତ୍ୟବ୍ରତ ଛୋଟରାୟ, ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଅଧୀକ୍ଷକ ଡାକ୍ତର ଅନ୍ନଦାପ୍ରସାଦ ପଟ୍ଟନାୟକ, ‘ଡ୍ରିମ୍‍ସ’ର ପ୍ରୋଚେୟାରମ୍ୟାନ୍‍ ଇଂ ଦୁର୍ଗାପ୍ରସାଦ ରଥ, ପ୍ରଶାସନିକ ନିର୍ଦେଶକ ବଳରାମ କର, ବିଡିଓ ବିନୋଦ କୁମାର ସେନାପତି, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ଉଚ୍ଚପଦାଧିକାରୀ ଉପସ୍ଥିତ ଥିଲେ।

Comments are closed.