ବିଚାରପତିଙ୍କୁ ଓକିଲ କହିଲେ, ‘ଆପଣଙ୍କୁ କରୋନା ହୋଇଯାଉ…’

ନୂଆଦିଲ୍ଲୀ : ଅଦାଲତରେ ଯୁକ୍ତି ଉପସ୍ଥାପନ କରୁଥିବା ସମୟରେ କେତେକ ଓକିଲ ଉଗ୍ର ହୋଇ ଉଠୁଥିବା ଦେଖିବାକୁ ମିଳେ। ତେବେ ଏପରି ଜଣେ ଓକିଲ ନିଜର ମାନ ମର୍ଯ୍ୟାଦା ଭୁଲି ଯାଇ ବିଚାରପତିଙ୍କୁ ଦୁର୍ବ୍ୟବହାର କରିଥିବା ଜଣାପଡ଼ିଛି। କାଳିଦାସ ଦତ୍ତ ଓ ଆହ୍ଲାବାଦ ବ୍ୟାଙ୍କ ମଧ୍ୟରେ କଲକତା ଉଚ୍ଚ ନ୍ୟାୟାଳୟରେ ଶୁଣାଣି ଚାଲିଥିଲା। କାଳିଦାସ ପକ୍ଷରୁ ଓକିଲ ବିଜୟ ଅଧିକାରୀ ମାମଲା ପରିଚାଳନା କରୁଥିଲେ। ମାମଲାର ତୁରନ୍ତ ଶୁଣାଣି ପାଇଁ ସେ ଦାବି କରିଥିଲେ। ବିଚାରପତି ଦୀପାଙ୍କର ଏହି ମାମଲାର ତ୍ବରିତ୍‌ ଶୁଣାଣିକୁ ଅଗ୍ରାହ୍ୟ କରି ଦେଇଥିଲେ। ବିଚାରପତି ତାଙ୍କ କଥାକୁ ଗୁରୁତ୍ବ ଦେଉନଥିବା ଓକିଲ ବିଜୟ ବୁଝି ନେଇଥିଲେ। ଏପଟେ ବିଚାରପତି ରାୟରେ ଲେଖିଥିଲେ ଯେ ଉଭୟ ପକ୍ଷର ଯୁକ୍ତି ନଶୁଣିବା ପର୍ଯ୍ୟନ୍ତ ରାୟ ଦେବା ସମ୍ଭବ ନୁହେଁ। ବିଚାରପତିଙ୍କ ଏପରି ରାୟ ଶୁଣିବା ପରେ ଓକିଲ ବିଜୟ କ୍ରୋଧାନ୍ବିତ ହୋଇପଡ଼ିଥିଲେ। ନିଜର ମାଇକ୍ରୋ​ଫୋନ ଟେବୁଲରେ ପିଟିବା ସହ ଆଖପାଖ ଚେୟାର ଓ ବେଞ୍ଚକୁ ଫିଙ୍ଗା ଫୋପଡ଼ା କରିଥିଲେ। ବିଚାରପତି ଅଦାଲତ ଅବମାନନା ପାଇଁ ତାଙ୍କୁ ଚେତାବନୀ ଦେଇଥିଲେ ମଧ୍ୟ ସେ ଶୁଣି ନଥିଲେ। କୋର୍ଟ ରୁମ୍‌ ମଧ୍ୟରେ ବିଚାରପତିଙ୍କୁ ଲକ୍ଷ୍ୟ କରି ସେ କହିଥିଲେ ଯେ,‘ ‘ଆପଣଙ୍କୁ କରୋନା ହୋଇଯାଉ, ଆପଣ ବର୍ବାଦ ହୋଇ ଯାଆନ୍ତୁ’। ବିଚାରପତି ଏହାକୁ ନେଇ ସମ୍ପୃକ୍ତ ଓକିଲଙ୍କ ବିରୋଧରେ ଅଦାଲତ ଅବମାନନା ନୋଟିସ୍‌ ଜାରି କରିଛନ୍ତି।

Comments are closed.