କରୋନା ସହ ୨୧ ଦିନିଆ ମହାଯୁଦ୍ଧର ପ୍ରଥମ ଦିନ : ସାରା ରାଜ୍ୟ ତାଲାବନ୍ଦୀ, ଅମାନିଆଙ୍କୁ ଲାଠିମାଡ଼

ଭୁବନେଶ୍ବର : ମହାମାରୀ କରୋନା ସହ ୨୧ଦିନିଆ ମହାଯୁଦ୍ଧର ଆଜି ଥିଲା ପ୍ରଥମ ଦିନ। ଗତକାଲି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ ଓ ନିର୍ଦେଶ କ୍ରମେ ଆଜି ଓଡ଼ିଶାର ୩୦ ଜିଲା ସମେତ ସାରା ଭାରତ ତାଲାବନ୍ଦୀ (ଲକ୍‌ ଡାଉନ୍‌)। ସମଗ୍ର ଦେଶ ତଥା ରାଜ୍ୟବାସୀ ସଚେତନ ଓ ସଂଯମ ହୋଇ ଘରେ ରହି ଜୀବନ ବିତାଉଥିବାବେଳେ କିଛି ଲୋକ ଅଯଥା ରାସ୍ତା ଉପରକୁ ବାହାରି ଗହଳି କରୁଥିବା ଲକ୍ଷ୍ୟ କରାଯାଇଥିଲା। ଏହି ଅମାନିଆ ଲୋକଙ୍କୁ ପୁଲିସ କାନ ଧରାଇ ଉଠ୍‌ବସ୍‌ କରାଇବା ସହ ଲାଠିମାଡ଼ ମଧ୍ୟ କରିଛି। ବେନିୟମ ଭାବେ ବିନା ହେଲ୍‌ମେଟ୍‌ ଏବଂ ବାଇକ୍‌ରେ ଅଧିକ ସଂଖ୍ୟାରେ ବସିି ଆସିଥିବା ଲୋକଙ୍କୁ ପୁଲିସ ଜୋରିମାନା ମଧ୍ୟ କରିଛି। ଆଉ କିଛି ଲୋକଙ୍କୁ ‘ମୁଁ ଜଣେ ସ୍ବାର୍ଥପର, ମୋ ଖୁସି ପାଇଁ ନିୟମ ନ ମାନି ରାସ୍ତାରେ ଅଯଥା ବୁଲୁଛି ଏବଂ ଅନ୍ୟମାନଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି।’ ଲେଖାଥିବା କାର୍ଡବୋର୍ଡ ଧରାଇ ସଚେତନତାର ଶିକ୍ଷା ଦେଇଛି।
ଅନ୍ୟପକ୍ଷରେ କରୋନା ବିରୋଧରେ ଲଢ଼େଇ ପାଇଁ ସରକାର ଗୋଟିଏ ପରେ ଗୋଟିଏ ପ୍ରସ୍ତୁତି ଚଳାଇଛନ୍ତି। ଆଗୁଆ ପର୍ଯ୍ୟାପ୍ତ ପରିମାଣର ଔଷଧ ଓ ଚିକିତ୍ସା ଉପକରଣ ମହଜୁଦ ରଖିବା ପାଇଁ ପଦକ୍ଷେପ ନିଆଯାଇଛି। ଏଥିପାଇଁ ଔଷଧ ଯୋଗାଣ ସଂସ୍ଥାଙ୍କୁ ସରକାର ଅତିରିକ୍ତ ପ୍ରୋତ୍ସାହନ ପ୍ରଦାନ କରିବେ। ସେହିପରି ପରିସ୍ଥିତିର ମୁକାବିଲା ପାଇଁ ଆଜି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୩୦ଟି ଜିଲା ପାଇଁ ୪୪.୫୦ କୋଟି ଟଙ୍କା ପ୍ରତ୍ୟେକ ଜିଲାକୁ ପ୍ରଦାନ କରାଯାଇଛି। ପୋର୍ଟେବଲ୍‌ ଭେଣ୍ଟିଲେଟର, ମାସ୍କ ଓ ସାନିଟାଇଜର୍ ଯୋଗାଇ ଦେବା ପାଇଁ ରାଜ୍ୟର ଶିଳ୍ପ ଉଦ୍ୟୋଗଗୁଡ଼ିକୁ ସରକାର ଅନୁରୋଧ କରିଛନ୍ତି। ତେବେ ଏ ଦିଗରେ ପ୍ରଥମ ପଦକ୍ଷେପ ସ୍ବରୂପ ଇଣ୍ଡିଆନ୍ ଫାର୍ମର୍ସ ଫର୍ଟିଲାଇଜର୍ କୋଅପରେଟିଭ୍ (ଇଫ୍‌କୋ) ଆବଶ୍ୟକ ମେଡିକାଲ ଉପକରଣ ଯୋଗାଇ ଦେଇଛି। ଲକ୍ ଡାଉନ୍ ସମୟରେ ଖାଉଟି ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଜାରି ରଖିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଅପରପକ୍ଷେ ସାମଗ୍ରୀ ପରିବହନ ଯେପରି ବାଧାପ୍ରାପ୍ତ ନ ହୁଏ ସେଥିପ୍ରତି ସରକାର ଗୁରୁତ୍ବ ଦେଉଛନ୍ତି। ମାଲ ପରିବହନ ପାଇଁ ଟ୍ରକ୍ ସମେତ ଟ୍ରକ୍, ରିକ୍ସା ଭଳି ଗାଡ଼ି ନିରନ୍ତର ଚାଲିବ ଏବଂ ଏହାକୁ ଅଟକାଯିବ ନାହିଁ। ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ରହିବ ନାହିଁ। ତେଣୁ ଏହାକୁ ନେଇ ଜନସାଧାରଣ ଆତଙ୍କିତ ହେବା ଉଚିତ ନୁହେଁ। କରୋନା ସହ ଲଢ଼େଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ଠାରୁ ସହାୟତା କାମନା କରିଛନ୍ତି।
ଆଜି ରାଜୀବ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଛନ୍ତି, ବୁଧବାର ସନ୍ଧ୍ୟା ସୁଦ୍ଧା ୧୬୪ଟି ନମୁନା ପରୀକ୍ଷା ପାଇଁ ଯାଇଥିବା ବେଳେ ନୂଆ ରୋଗୀ ଚିହ୍ନଟ ହୋଇ ନାହାନ୍ତି। ରାଜ୍ୟରେ ସଂକ୍ରମିତ ରୋଗୀ ସଂଖ୍ୟା ୨ରେ ସୀମିତ ରହିଛି। ଭୁବନେଶ୍ବର ଆର୍‌ଏମ୍‌ଆର୍‌ସିରେ ପୂର୍ବରୁ ରକ୍ତ ନମୁନା ପରୀକ୍ଷା କରାଯାଉଥିବାବେଳେ ଆଜିଠାରୁ ଭୁବନେଶ୍ବର ଏମ୍ସରେ କରୋନା ଭୂତାଣୁ ପରୀକ୍ଷା ଆରମ୍ଭ ହୋଇଛି।
ତେବେ ରାଜ୍ୟ କିମ୍ବା ଦେଶ ବାହାରୁ ଓଡ଼ିଶାକୁ ଫେରିଥିବା ଲୋକଙ୍କୁ ନେଇ ଆଶଙ୍କା ରହିଛି। ଗତ କିଛିଦିନ ମଧ୍ୟରେ ରାଜ୍ୟ ବାହାରୁ ସମୁଦାୟ ୭୮,୨୩୩ ଜଣ ବ୍ୟକ୍ତି ଓଡ଼ିଶା ଫେରିଛନ୍ତି। ସେହିପରି ୱେବ୍‌ସାଇଟ୍‌ରେ ପଞ୍ଜିକୃତ ହୋଇଥିବା ୪୦୧୫ ଜଣ ଲୋକ ରାଜ୍ୟରେ ଅଛନ୍ତି। ଏହି ଲୋକମାନଙ୍କ ମଧ୍ୟରେ କରୋନା ସଂକ୍ରମିତ ଥିବାର ଆଶଙ୍କା ରହିଛି। ତେଣୁ ବାହାରୁ ଫେରିଥିବା ଲୋକଙ୍କୁ ନିଜ ଘରେ ୧୪ ଦିନ ପର୍ଯ୍ୟନ୍ତ ସଙ୍ଗରୋଧରେ ରହିବା ପାଇଁ ବୁଝାଇବା ଲାଗି ସରପଞ୍ଚମାନଙ୍କୁ ନିର୍ଦେଶ ଦିଆଯାଇଛି। ପଞ୍ଚାୟତ ସମିତି ଓ ଜିଲା କର୍ତ୍ତୃପକ୍ଷମାନଙ୍କୁ ମଧ୍ୟ ଅନୁରୂପ ନିର୍ଦେଶ ଦିଆଯାଇଛି।
ଶ୍ରୀ ବାଗ୍‌ଚୀ କହିଥିଲେ କରୋନା ମୁକାବିଲା ପାଇଁ ୩୦ଟି ଜିଲାକୁ ୪୪.୫୦ କୋଟି ଟଙ୍କା ଦିଆଯାଇଛି। ଜିଲା ରେଡ୍‌କ୍ରସ୍ ପାଣ୍ଠିରେ ଏହି ଅର୍ଥ ଗଚ୍ଛିତ ରହିବ। ଗଞ୍ଜାମ ଓ ମାଲକାନଗିରି ଜିଲାକୁ ୩ କୋଟି ଟଙ୍କା ଲେଖାଏଁ ଦିଆଯାଇ ଥିବାବେଳେ ବାଲେଶ୍ବର, ବରଗଡ଼, ବଲାଙ୍ଗିର, କଟକ, କଳାହାଣ୍ଡି, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ନୟାଗଡ଼, ପୁରୀ ଓ ସମ୍ବଲପୁର ଜିଲାକୁ ୨ କୋଟି ଟଙ୍କା ଲେଖାଏଁ ଦିଆଯାଇଛି। ସେହିପରି ଅନୁଗୋଳ, ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କୋରାପୁଟ, ମୟୂରଭଞ୍ଜ, ନୂଆପଡ଼ା, ନବରଙ୍ଗପୁର, ରାୟଗଡ଼ା, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲାକୁ ୧ କୋଟି ଟଙ୍କା ଲେଖାଏଁ ଦିଆଯାଇଛି। ଦେବଗଡ଼ ଜିଲାକୁ ୫୦ ଲକ୍ଷ ଟଙ୍କା ମିଳିଛି। କରୋନା ଚିକିତ୍ସା ପାଇଁ ଆବଶ୍ୟକ ଔଷଧ ଓ ଅନ୍ୟାନ୍ୟ ଉପକରଣ ଆମଦାନୀ ଉପରେ ସରକାର ଗୁରୁତ୍ବାରୋପ କରୁଛନ୍ତି। ଓଡ଼ିଶା ରାଜ୍ୟ ଔଷଧ ନିଗମ ଶୀଘ୍ର ଔଷଧ ଓ ମେଡିକାଲ ଉପକରଣ ଯୋଗାଉଥିବା ସଂସ୍ଥାଗୁଡ଼ିକ ପଇଁ ଆଗୁଆ ପ୍ରୋତ୍ସାହନ ଦିଆଯିବ। ସପ୍ତାହକ ମଧ୍ୟରେ ଯୋଗାଣ ପାଇଁ ୫୦ ପ୍ରତିଶତ, ୧୫ ଦିନ ମଧ୍ୟରେ ଯୋଗାଣ ପାଇଁ ୨୫ ପ୍ରତିଶତ ଓ ମାସକ ମଧ୍ୟରେ ଯୋଗାଣ ପାଇଁ ୧୦ ପ୍ରତିଶତ ଅତିରିକ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରିବ ନିଗମ। ଏଥିସହ ଔଷଧ ଓ ଉପକରଣ ପରିବହନ ବାବଦକୁ ଖର୍ଚ୍ଚ ୨୪ ଘଣ୍ଟା ମଧ୍ୟରେ ଓଏମ୍‌ସି ପ୍ରଦାନ କରିବ। ପ୍ରାଣୀସମ୍ପଦ ବିଭାଗୀୟ ସେବାକୁ ଅତ୍ୟାବଶ୍ୟକ ସେବା ଭାବେ ଅନ୍ତର୍ଭୁକ୍ତ କରାଯାଇଛି। ତେଣୁ ଆଜି ଠାରୁ ଏହି ସେବା ଉପରୁ ଲକ୍‌ ଡାଉନ୍ କଟକଣା ଉଠାଯାଇଛି।

Comments are closed.