ସାମାଜିକ ଦୂରତା ନିମନ୍ତେ ସଚେତନ କରାଇବ ହାତର ଟ୍ୟାଗ୍

କରୋନା ଭାଇରସ୍ ଭୟାବହତା ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ ହୋଇନାହିଁ। ଏହା ସତ୍ତ୍ବେ କେତୋଟି ରାଷ୍ଟ୍ର ସେଠାରେ ଆଭ୍ୟନ୍ତରୀଣ ଚଳାଚଳରେ କଡ଼ାକଡ଼ି ନିୟମକୁ କୋହଳ କରିଦେଇଛନ୍ତି; ନଚେତ୍ ଏହା କାରଣରୁ ଦେଶର ଅର୍ଥନୀତି ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛି। ଇଟାଲୀରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳୁଛି। ରେସ୍ତୋରାଁ, କାଫେ ପରେ ଏବେ ସଂଗ୍ରହାଳୟ ଖୋଲାଯାଇଛି। ସେଠାକାର ପ୍ରସିଦ୍ଧ ଏକାଡେମିୟା କେରାରା ସଂଗ୍ରହାଳୟ ୧୦ ସପ୍ତାହ ପରେ ପୁନର୍ବାର ଦେଖଣାହାରୀଙ୍କ ନିମନ୍ତେ ଖୋଲାଯାଇଥିବାର ପ୍ରକାଶ। ପାଖଆଖ ଅଞ୍ଚଳର ସଂଗ୍ରହାଳୟ ଯିବା ପାଇଁ ଭିଡ଼ ଲଗାଉଥିବାବେଳେ ପ୍ରବେଶ ପଥରେ କଟକଣା ରହିଛି। ସଂଗ୍ରହାଳୟ ଭିତରେ ପରସ୍ପର ସହ କଥା ହୋଇପାରିବେନି। ଏହା ସହ ପ୍ରତ୍ୟେକ ଦର୍ଶକଙ୍କ ହାତରେ ଏକ ଟ୍ୟାଗ୍ ଲଗାଯିବ, ଯାହା ସେମାନଙ୍କୁ ଦେଢ଼ ମିଟର ଦୂରତା ଅବଲମ୍ବନ କରିବାକୁ ସଙ୍କେତ ଦେବ। ମାସ୍କ ପିନ୍ଧି ଯିବା ବାଧ୍ୟତାମୂଳକ ହୋଇଥିବାବେଳେ ଛୋଟ ପିଲାଙ୍କ ପ୍ରବେଶ ନିମନ୍ତେ ଅନୁମତି ମିଳିନାହିଁ। ସ୍ଥାନୀୟ ଯୁବପିଢ଼ି ଏହି ସଂଗ୍ରହାଳୟରେ ଅଧିକ ସଂଖ୍ୟାରେ ଭିଡ଼ ଲଗାଉଛନ୍ତି; କାରଣ ମଲ୍, ଦୋକାନ ଆଦି ଅଧିକ ସଂଖ୍ୟାରେ ଖୋଲିନଥିବାରୁ ଅଧିକାଂଶ ଅନ୍ୟ ସ୍ଥାନରେ ବୁଲାବୁଲି କରିବାକୁ ପ୍ରାଧାନ୍ୟ ଦେଉଛନ୍ତି।

Comments are closed.