ଘରମୁହାଁ ପ୍ରତି ୧୦ ଶ୍ରମିକଙ୍କ ମଧ୍ୟରୁ ୩ କରୋନା​ବାହକ !

ନୂଆଦିଲ୍ଲୀ : ସମଗ୍ର ଦେଶରେ ତାଲାବନ୍ଦବେଳେ ଘରମୁହାଁ ଶ୍ରମିକ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛନ୍ତି। ଏ ସମ୍ପର୍କରେ ସରକାର ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି। ବିଭିନ୍ନ ମହାନଗରୀରରୁ ଗାଁକୁ ଫେରୁଥିବା ଶ୍ରମିକଙ୍କ ମଧ୍ୟରୁ ପ୍ରତି ୧୦ଜଣରେ ୩ଜଣ କରୋନା ଭୂତାଣୁର ବାହକ ହୋଇଥାଇପାରନ୍ତି ବୋଲି କହିଛନ୍ତି ସଲିସିଟର ଜେନେରାଲ ତୁଷାର ମେହତା। ତାଲାବନ୍ଦ ଘୋଷଣା ପରେ ବିଭିନ୍ନ ରାଜ୍ୟରେ ଘରକୁ ଫେରୁଥିବା ୨୨ଲକ୍ଷ ୮୮ହଜାରରୁ ଅଧିକ ଶ୍ରମିକଙ୍କୁ ବିଭିନ୍ନ ସ୍ଥାନରେ ଅଟକାଯାଇ ଖାଦ୍ୟ ଓ ପାନୀୟ ସହ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଉଛି। ଇତିମଧ୍ୟରେ ବିଭିନ୍ନ ବିମାନବନ୍ଦରରେ ୧୫ଲକ୍ଷ ୫୦ହଜାର ଓ ସାମୁଦ୍ରିକ ବନ୍ଦରରେ ୧୨ ଲକ୍ଷଙ୍କ ଯାଞ୍ଚ କରାଯାଇଛି। ୩ଲକ୍ଷ ୫୦ହଜାରଙ୍କ ଉପରେ ନଜର ରଖାଯାଇଛି। ସେହିପରି ସ୍ବରାଷ୍ଟ୍ର ସଚିବଙ୍କ ସୂଚନାନୁଯାୟୀ, ୬ଲକ୍ଷ ୬୮ହଜାର ଶ୍ରମିକଙ୍କୁ ବିଭିନ୍ନ ସ୍ଥାନରେ ଆଶ୍ରୟ ପ୍ରଦାନ କରାଯାଇଛି। ରାସ୍ତାରେ ଥିବା ଶ୍ରମିକଙ୍କୁ ନିକଟସ୍ଥ ଆଶ୍ରୟ କେନ୍ଦ୍ରରେ ଥଇଥାନ କରାଯାଉଛି। କୌଣସି ଶ୍ରମିକଙ୍କୁ ରାସ୍ତାରେ ହଇରାଣ କରାଯାଉ ନାହିଁ। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ୨୧ହଜାର ୬୪ଟି ରିଲିଫ କେନ୍ଦ୍ର ଖୋଲାଯାଇଛି। ସମ୍ପ୍ରତି ୧୧୮ଟି ପରୀକ୍ଷାଗାରରେ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା କରାଯାଉଛି। ଦୈନିକ ୧୫ହଜାର ନମୁନା ପରୀକ୍ଷା କରାଯାଉଥିବା ସ୍ବାସ୍ଥ୍ୟ ସଚିବ ଜଣାଇଛନ୍ତି। ତାଲାବନ୍ଦ ସମୟରେ ହଜାର ହଜାର ଘରମୁହାଁ ଶ୍ରମିକଙ୍କ ସମସ୍ୟା ସଂକ୍ରାନ୍ତ ଏକ ମାମଲାର ଶୁଣାଣି ଆରମ୍ଭ କରି ସୋମବାର କେନ୍ଦ୍ର ସରକାରଙ୍କଠାରୁ ରିପୋର୍ଟ ଆହ୍ବାନ କରିଥିଲେ। ଆଇନଜୀବୀ ଅଲଖ ଆଲୋକ ଶ୍ରୀବାସ୍ତବ ଓ ରଶ୍ମି ବଂଶାଲଙ୍କ ଦ୍ବାରା ଦାୟର ଶ୍ରମିକଙ୍କ ଦୁରବସ୍ଥା ପ୍ରତି ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ପ୍ରଧାନ ବିଚାରପତି ଏସ୍‌.ଏ ବୋବଡେ ଓ ବିଚାରପତି ଏଲ୍‌. ନାଗେଶ୍ବର ରାଓଙ୍କ ପୀଠରେ ଏହାର ଶୁଣାଣି ଭିଡିଓ କନ୍‌ଫରେନ୍ସ ଜରିଆରେ ଆରମ୍ଭ ହୋଇଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୭କୁ ଧାର୍ଯ୍ୟ ହୋଇଛି।

Comments are closed.