ଯେଉଁଠି ପହଞ୍ଚି ପାରିନି କରୋନା….

ନୂଆଦିଲ୍ଲୀ : ବିଶ୍ୱର ୧୯୯ ରାଷ୍ଟ୍ରରେ ଦ୍ରୁତ ବେଗରେ ସଂକ୍ରମଣ ସୃଷ୍ଟି କରିଥିବା କରୋନା ଭୂତାଣୁ ଏବେବି ସମ୍ପୂର୍ଣ ପୃଥିବୀକୁ କବିଳିତ କରିପାରି ନାହିଁ। ଏମିତି ସ୍ଥାନ ରହିଛି ଯେଉଁଠାରେ ଏହି ଭୂତାଣୁ ପହଁଚି ପାରିନାହିଁ କି ସେଠାକାର କୌଣସି ଲୋକଙ୍କୁ ସଂକ୍ରମିତ କରିପାରି ନାହିଁ। ଏଭଳି ଅଞ୍ଚଳ ମଧ୍ୟରେ ରହିଛି ପାଲାଉ ଦ୍ୱୀପ ଯାହାକି ଉତର ପ୍ରଶାନ୍ତ ମହାସାଗର ଉପକୂଳରେ ଅବସ୍ଥିତ। ଏଠାରେ ପ୍ରାୟ ୧୮,୦୦୦ ଲୋକ ବାସ କରନ୍ତି। ଅଦ୍ୟାବଧି ଏଠାରେ ଗୋଟିଏ ମଧ୍ୟ କୋଭିଡ-୧୯ ପଜିଟିଭ ମାମଲା ସମ୍ମୁଖକୁ ଆସିନାହିଁ। ସେହିଭଳି ଟୋଙ୍ଗା, ସୋଲୋମନ ଦ୍ୱୀପ, ମାର୍ଶଲ ଦ୍ୱୀପ ଏବଂ ମାଇକ୍ରୋନେସିଆ ଅଞ୍ଚଳର ଲୋକଙ୍କ ଦୂରଯାତ୍ରା ଉପରେ କଡ଼ା କଟକଣା କାରଣରୁ ଏହି ଅଞ୍ଚଳଗୁଡିକ ସଂକ୍ରମଣରହିତ ରହିଛି। ସାମୋଆ, ତୁର୍କମେନିସ୍ଥାନ ଏବଂ ଆନ୍‍ଟାର୍କଟିକା ମହାଦେଶର ହିମଅଞ୍ଚଳ ମଧ୍ୟ ଏହି ସଂକ୍ରମଣରୁ ସୁରକ୍ଷିତ ଥିବା ଜଣାପଡିଛି। ମାତ୍ର ଉତର ପାଲାଉର ଉତର ମାରିଆନା ଦ୍ୱୀପ ଏହି ଅଞ୍ଚଳଗୁଡିକ ଭଳି ଅପହଁଚ ହୋଇଥିଲେ ମଧ୍ୟ ଏଠାରେ କରୋନା ସଂକ୍ରମଣରେ ଜଣେ ବ୍ୟକ୍ତିଙ୍କର ସୋମବାର ମୃତ୍ୟୁ ଘଟିଛି। କରୋନା ଆତଙ୍କ କାରଣରୁ ବିଶ୍ୱ ଅର୍ଥନୀତି ଦୁର୍ବଳ ହୋଇପଡିଥିବା ବେଳେ ଏହାର ପ୍ରଭାବ ଏହି ଦ୍ୱୀପରେ ମଧ୍ୟ ପରିଲକ୍ଷିତ ହୋଇଥିବା ସମ୍ପୃକ୍ତ ଅଞ୍ଚଳର କିଛି ବାସିନ୍ଦା କହିଛନ୍ତି। ସେଠାରେ ମଧ୍ୟ ସାନିଟାଇଜର, ମାସ୍କ ଏବଂ ଆଲକହଲର ଅଭାବ ଦେଖାଦେିଛି। ସାଧାରଣତଃ ଏହି ଦ୍ୱୀପକୁ ଜାହାଜ ଅଥବା ବିମାନ ଯୋଗେ ସାମଗ୍ରୀ ପରିବହନ କରାଯାଇଥାଏ। ମାତ୍ର ବିଭିନ୍ନ ଦେଶ ବିଦେଶକୁ ବିମାନ ଓ ଜାହାଜ ଚଳାଚଳ ବନ୍ଦ କରିଥିବାରୁ ଏଠାକୁ ସାମଗ୍ରୀ ପରିବହନ ବାଧାପ୍ରାପ୍ତ ହୋଇଛି। ଅନେକ ଦ୍ୱୀପ ପର୍ଯ୍ୟଟନ ଉପରେ ନିର୍ଭରଶୀଳ ଥିବା ବେଳେ କରୋନା କାରଣରୁ ସେମାନଙ୍କୁ ନିରାଶ ହେବାକୁ ପଡିଛି। ବିଶ୍ୱର ୭ଟି ମହାଦେଶ ମଧ୍ୟରୁ ଆନ୍‍ଟାର୍କଟିକା ଏକମାତ୍ର ମହାଦେଶ ଭାବେ ସଂକ୍ରମଣ ମୁକ୍ତ ଅଛି। ଏହାର ତୁନ୍ଦ୍ରା ଅଞ୍ଚଳରେ ସାମାଜିକ ଦୂରତ୍ୱର କୌଣସି ଆବଶ୍ୟକତା ମଧ୍ୟ ନାହିଁ। ସେଠାରେ ଗବେଷଣାରତ ଥିବା କିଛି ଗବେଷକ ସୁରକ୍ଷିତ ଥିବା ଜଣାପଡିଛି।

Comments are closed.