ସଂକ୍ରମିତଙ୍କ ତ୍ବରିତ ସ୍ୱାସ୍ଥ୍ୟପରୀକ୍ଷା ଜରୁରୀ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇଏମଆରସି) ଏହାର ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି କରିଛି। ପୂର୍ବରୁ ଆଇଏମଆରସି ସ୍ୱୀକୃତି ପ୍ରାପ୍ତ ୧୧୧ଟି କେନ୍ଦ୍ର ଏହି ପରୀକ୍ଷା କରୁଥିବା ବେଳେ ମାର୍ଚ୍ଚ ୨୪ ସୁଦ୍ଧା ଆଉ ୬ଟି ଘରୋଇ ଲାବରେଟୋରୀକୁ ଏହି ଅନୁମତି ପ୍ରଦାନ କରାଯାଇଛି। ଯେତେ ଅଧିକ ସଂଖ୍ୟକ କରୋନା ସନ୍ଦିଗ୍ଧ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ସେତେ ଶୀଘ୍ର ଭାରତରେ ସାମାଜିକ ସଂକ୍ରମଣ ସ୍ଥିତି ଉପୁଜିଛି କି ନାହିଁ ତାହା ସ୍ପଷ୍ଟ ହୋଇପାରିବ। ଯେତେବେଳେ ସଂକ୍ରମଣ ଉତ୍ସର ସଂସ୍ପର୍ଶରେ ନ ଆସି ମଧ୍ୟ କୌଣସି ବ୍ୟକ୍ତି କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବେ ସେତେବେଳେ ସାମାଜିକ ସଂକ୍ରମଣ ସୃଷ୍ଟି ହୋଇଛି ବୋଲି ବୁଝିବାକୁ ହେବ। ଠିକ ଭାବେ ରୋଗ ଚିହ୍ନଟ କରାଯାଇପାରିଲେ ସଂକ୍ରମିତଙ୍କୁ ତୁରନ୍ତ ଉପଯୁକ୍ତ ଚିକତ୍ସା ପ୍ରଦାନ କରାଯାଇପାରିବ। ତାଙ୍କ ସଂସ୍ପର୍ଶରେ ଆସିଥିବା ଉକ୍ତ ସ୍ଥାନର ଲୋକଙ୍କଠାରେ ସଂକ୍ରମଣର ସାମାନ୍ୟତମ ଲକ୍ଷଣ ପ୍ରକାଶ ପାଉଥିଲେ ସେମାନଙ୍କୁ ଆତ୍ମ-ଏକାନ୍ତତା ରକ୍ଷା କରିପାରିବେ, ଯାହାଦ୍ୱାରା ସଂକ୍ରମଣ ବ୍ୟାପିବାକୁ ରୋକା ଯାଇପାରିବ। ଯେତେକମ ସମୟ ମଧ୍ୟରେ ଅଧିକରୁ ଅଧିକ ସଂକ୍ରମିତ ଲୋକଙ୍କୁ ଚିହ୍ନଟ କରାଯିବ ସାମାଜିକ ଦୂରତା ରକ୍ଷା ନେଇ ଲୋକଙ୍କ ମଧ୍ୟରେ ସେତେ ଅଧିକ ସଚେତନତା ସୃଷ୍ଟି ହେବ। ଏଥିସହିତ ଭବିଷ୍ୟତରେ ରୋଗର ଭୟାବହତା ନେଇ ଲୋକଙ୍କ ଭିତରେ ଆତଙ୍କ ମଧ୍ୟ କମିବ।

Comments are closed.