ମହାମାରୀ ନିଦାନର ୫ ଉପାୟ

ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ପ୍ରାରମ୍ଭରୁ ଠିକ ଭାବେ ମୁକାବିଲା କରାନ ଯିବାରୁ ତାହା ଆଜି ମହାମାରୀର ରୂପ ନେଇଛି। ସମ୍ପ୍ରତି ସମ୍ପୂର୍ଣ୍ଣ ପୃଥିବୀକୁ ସାର୍ସ-କୋଭ-୨ ଭୂତାଣୁ ଦ୍ୱାରା ସୃଷ୍ଟ କୋଭିଡ-୧୯ ରୋଗ ବ୍ୟାପିଥିବା ବେଳେ ବିଶ୍ୱବାସୀ ଏଥିରୁ ତ୍ରାହି ପାଇବାର ବାଟ ଖୋଜୁଛନ୍ତି। କରୋନା ଭୂତାଣୁ ଚିହ୍ନଟକାରୀ କିଟ, ରୋଗନିରୋଧୀ ଔଷଧ ଉପରେ ଗବେଷଣା ଜୋରଦାର ହୋଇଛି। ତେବେ ଏହି ସଙ୍କଟମୟ ପରିସ୍ଥିତିରୁ ବାହାରିବା ଲାଗି କରୋନା ସଂକ୍ରମଣ ରୋକିବା ନିମନ୍ତେ ୫ଟି ବିଶେଷ ଦିଗ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ଦି ଆଟଲାନ୍‍ଟିିକ ପତ୍ରିକା ଏହାର ଏକ ରିପୋର୍ଟରେ ପ୍ରକାଶ କରିଛି।
୧- ପର୍ଯ୍ୟାପ୍ତ ପରିମାଣର ସୁରକ୍ଷା ସାମଗ୍ରୀ ପ୍ରସ୍ତୁତି
ସଂକ୍ରମଣରୁ ସୁରକ୍ଷା ଲାଗି ମାସ୍କ, ହ୍ୟାଣ୍ଡ ଗ୍ଲୋଭସ ଓ ସାନିଟାଇଜର ଭଳି ବିଭିନ୍ନ ସୁରକ୍ଷା ପ୍ରଦାନ କାରୀ ସାମଗ୍ରୀ ପ୍ରସ୍ତୁତ କରିବା ଅତ୍ୟନ୍ତ ଜରୁରୀ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କାରଣ ଯଦି ସ୍ୱାସ୍ଥ୍ୟସେବା ପ୍ରଦାନକାରୀମାନେ ସୁସ୍ଥ ନ ରହିବେ ତା’ହେଲେ ତାହା ଭିନ୍ନ ଏକ ପରିସ୍ଥିତି ସୃଷ୍ଟି କରିବ।
୨-ସଂକ୍ରମଣ ପରୀକ୍ଷା
କରୋନା ସଂକ୍ରମଣ ଚିହ୍ନଟ ପରୀକ୍ଷାର ଗତି ସାଧାରଣତଃ ୫ଟି ଅଭାବ କାରଣରୁ ଧିମେଇ ଯାଉଥିବା ଲକ୍ଷ କରାଯାଉଛି। ତାହା ହେଲା ପରୀକ୍ଷା କରୁଥିବା ବ୍ୟକ୍ତିଙ୍କ ସୁରକ୍ଷା ଲାଗି ଉଦ୍ଦିଷ୍ଟ ମାସ୍କ, ଦ୍ୱିତୀୟରେ ସଂକ୍ରମିତ ନମୁନା ସଂଗ୍ରହ ଲାଗି ଉଦ୍ଦିଷ୍ଟ ନାଜୋଫାଞ୍ଜିଆଲ ସ୍ୱାବ, ନମୁନାରୁ ଭୂତାଣୁର ଜେନେଟିକ ଉପାଦାନ ବାହାର କରିବା ପାଇଁ ଆବଶ୍ୟକ କିଟ୍‍, ଏହି କିଟରେ ସାମିଲ ଥିବା ରାସାୟନିକ ପଦାର୍ଥ (ରିଏଜେନ୍‍ଟ) ଏବଂ ଉପଯୁକ୍ତ ପରୀକ୍ଷା କରିବାରେ ଦକ୍ଷ ତଥା ପ୍ରଶିକ୍ଷିତ କର୍ମଚାରୀ।
୩-ମିଳିତ ସଂଗ୍ରାମ ଜରୁରୀ
କରୋନା ସଂକ୍ରମଣରୁ ନିଦାନ ନିମନ୍ତେ ଏହା ବିରୋଧରେ ମିଳିତ ସଂଗ୍ରାମ ଜରୁରୀ। କାରଣ ଯଦି ପୃଥିବୀର କୌଣସି କୋଣରେ ଜଣେ ମଧ୍ୟ ସଂକ୍ରମିତ ରହିଯାଆନ୍ତି; ତାହାହେଲେ ପୁନଃ ସମାନ ପରିସ୍ଥିତି ସୃଷ୍ଟି କରିବ। ଏଣୁ କେଉଁ ଦେଶ କରୋନା ବିରୋଧରେ କେତେ ପଦକ୍ଷେପ ନେଇଛନ୍ତି ଅଥବା କେତେ ସଫଳତା ଲାଭ କରିଛନ୍ତି ତାହା ନ ଭାବି ସମସ୍ତେ ଏକତ୍ର ହୋଇ ଏକକାଳୀନ କରୋନା ଦମନ ଲାଗି ପଦକ୍ଷେପ ନେବାକୁ ହେବ।
୪-ସମ୍ପୂର୍ଣ୍ଣ ବିଶୋଧନ ଜରୁରୀ
କରୋନା ସାଧାରଣ ଫ୍ଲୁଠାରୁ ଅତ୍ୟନ୍ତ ସଂକ୍ରାମକ ଓ ମାରାତ୍ମକ। ଏଥିରେ ସଂକ୍ରମିତ ହୋଇ ବିଶ୍ୱରେ ଅଦ୍ୟାବଧି ୨୧,୧୯୧ ଜଣଙ୍କ ମୃତ୍ୟୁ ଘଟିସାରିଲାଣି। କରୋନା ଭୂତାଣୁ ମୃତଦେହଗୁଡିକରେ ମଧ୍ୟ ରହିଯିବାର ଆଶଙ୍କା ରହିଛି। ଏପରିକି କରୋନା ବିଭିଷିକା ଭିତରେ ବିଭତ୍ସ୍ୟ ହୋଇପଡିଥିବା ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟରେ କେଉଁଠି ନା କେଉଁଠି ଏହି ସଂକ୍ରମଣ ଲୁଚି ରହିଯାଇପାରେ ବୋଲି ଆଶଙ୍କା କରାଯାଉଛି। ଏଣୁ ଏସବୁରୁ ନିଦାନର ବାଟ ଖୋଜିବାର ଆବଶ୍ୟକତା ରହିଛି।
୫-ଯଥାଶୀଘ୍ର କରୋନା ନିରାକରଣ ଔଷଧର ସନ୍ଧାନ
ସମ୍ପ୍ରତି ସମଗ୍ର ବିଶ୍ୱ କରୋନା ମହାମାରୀକୁ ନେଇ ଯେଉଁଠି ମୂଷା ଦେଖାଗଲା ସେଇଠି ତାକୁ ମାରିବା ଭଳି ହ୍‍କ-ଏ-ମୋଲ ଖେଳ ଖେଳୁଛି। ବର୍ତମାନ ପରିସ୍ଥିତିରେ ଏହା କରୋନାରୁ ମୁକ୍ତି ପାଇଁ ସର୍ବଶ୍ରେଷ୍ଠ ଉପୟା ହୋଇଥାଇପାରେ। ମାତ୍ର ଏହାଦ୍ୱାରା ସମ୍ପୂର୍ଣ୍ଣ ନିଦାନ ମିଳିବ ନାହିଁ। ବରଂ ଏହା ଏକ ଲମ୍ବ ଏବଂ ଜଟିଳ ପ୍ରକ୍ରିୟା। ଏଣୁ ବିଶ୍ୱ ଚିକିତ୍ସା ବିଜ୍ଞାନୀମାନଙ୍କୁ କରୋନାରୁ ମୁକ୍ତି ପାଇଁ ଯଥାଶୀଘ୍ର ଔଷଧ ଆବିସ୍କାର କରିବାକୁ ହେବ।

Comments are closed.