ପୁନଃ ସଂକ୍ରମଣ ଆଶଙ୍କା ସତ୍ତ୍ବେ ହୁବେଇରୁ ଲକ୍‌-ଡାଉନ୍‌ ଉଠିବ

ବେଜିଂ : କରୋନା ଭୂତାଣୁ ସଂକ୍ରମଣର ନାଭିକେନ୍ଦ୍ର ଉହାନ ସହର ସମେତ ସମଗ୍ର ହୁବେଇ ପ୍ରଦେଶରୁ ଚୀନ୍‌ ସରକାର ପ୍ରାୟ ତିନି ମାସ ପରେ ଲକ୍‌-ଡାଉନ୍‌ ପ୍ରତ୍ୟାହାର ଆରମ୍ଭ କରିଛନ୍ତି। ପର୍ଯ୍ୟାୟକ୍ରମେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ସହ ଶିଳ୍ପାଞ୍ଚଳ ଖୋଲିବା ଆରମ୍ଭ ହୋଇଛି। ଏହି ଅଞ୍ଚଳରେ କରୋନା ସଂକ୍ରମଣ ପ୍ରତ୍ୟାବର୍ତ୍ତନ କରିବା ଆଶଙ୍କା ଥିବା ବିଭିନ୍ନ ମହଲରୁ ସତର୍କ କରାଯାଇଥିଲେ ମଧ୍ୟ ଚୀନ୍‌ ସରକାର ମଙ୍ଗଳବାର ଲକ୍‌-ଡାଉନ୍‌ ସମ୍ପୂର୍ଣ୍ଣ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛନ୍ତି। ଜାନୁଆରୀ ୨୩ରୁ ଲାଗୁ ହୋଇଥିବା ଲକ୍‌-ଡାଉନ୍‌ର ଅବଧି ଆସନ୍ତା ଏପ୍ରିଲ ୮ରେ ଶେଷ ହେଉଥିଲାବେଳେ ବିଶେଷଜ୍ଞମାନଙ୍କ ପରାମର୍ଶକୁ ସରକାର ଏଡ଼ାଇଯାଇଛନ୍ତି। ଉହାନର ଜନସଂଖ୍ୟା ୧୧ ନିୟୁତ ହୋଇଥିବାବେଳେ ହୁବେଇ ପ୍ରଦେଶର ଜନସଂଖ୍ୟା ୫୬ନିୟୁତ। ଗତ ୫ଦିନ ଧରି ଏହି ପ୍ରଦେଶରେ ବିଦେଶାଗତଙ୍କୁ ବାଦ୍‌ ଦେଲେ ଗୋଟିଏ ହେଲେ ସଂକ୍ରମଣ ଘଟଣା ସାମ୍ନାକୁ ଆସି ନାହିଁ; ତେବେ ସୋମବାର ହୁବେଇରେ ୭ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଏହି ପ୍ରଦେଶରେ ମୋଟ ୩୧୬୦ ସଂକ୍ରମିତ ପ୍ରାଣ ହରାଇଛନ୍ତି। ଅଦ୍ୟାବଧି ୪୨୦୦ ଚିକିତ୍ସାଧୀନ ଅଛନ୍ତି ଓ ସେମାନଙ୍କ ମଧ୍ୟରୁ ୧୫୩୯ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ପ୍ରଦେଶରେ ମୋଟ ୬୭,୮୦୧ ସଂକ୍ରମିତ ହୋଇଥିଲେ ଓ ସେଥିମଧ୍ୟରୁ କେବଳ ଉହାନ୍‌ ସହରର ୫୦ହଜାରରୁ ଅଧିକ। ମଙ୍ଗଳବାର ବିଦେଶାଗତ ୭୪ଜଣଙ୍କୁ ମିଶାଇ ୭୮ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ମୋଟ ୪୨୭ଜଣ ବିଦେଶାଗତ ସଂକ୍ରମିତ ହୋଇଥିବା ରେକର୍ଡ କରାଯାଇଛି। ସମଗ୍ର ଚୀନ୍‌ରେ ଗତ ତିନି ମାସ ମଧ୍ୟରେ ମୋଟ ୮୧,୧୭୧ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୩୨୭୭। ମୋଟ ୁପରେ ୪୭୩୫ଜଣ ଚିକିତ୍ସାଧୀନ ଅଛନ୍ତି।

Comments are closed.