ପ୍ରଥମ କରୋନା ଔଷଧ ପ୍ରଚଳନ କଲା ରୁଷ୍‌

ଔଷଧ ପରୀକ୍ଷା ସଫଳ ହୋଇଛି: ଆମେରିକା କମ୍ପାନୀ

ମସ୍କୋ/ ୱାଶିଂଟନ : କରୋନା ଭୂତାଣୁ ସଂକ୍ରମିତଙ୍କ ଚିକିତ୍ସା ଲାଗି ଗୁରୁବାର ରୁଷ୍ ପ୍ରଥମ କରି ଔଷଧର ପ୍ରଚଳନ ଓ ଅନୁମୋଦନ କରିଛି। ପ୍ରଚଳିତ ଔଷଧର ନାମ ହେଉଛି ଆଭିଫାଭିର। ଦେଶର କେତେକ ହସ୍ପିଟାଲ ଓ କ୍ଲିନକରେ ଏହାକୁ ପ୍ରଚଳନ କରାଯାଇଛି। ଆରଡିଫ୍‌ ଏହାକୁ ପ୍ରଚଳନ କରିଥିବାବେଳେ ଔଷଧର ପ୍ରସ୍ତୁତକର୍ତ୍ତା ହେଉଛି ଚେମରାର। ରୁଷ୍ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହି ଔଷଧକୁ ବ୍ୟବହାର ଲାଗି ଅନୁମତି ଦେଇଛି। ଆରଡିଫ୍‌ ମୁଖ୍ୟ କିରିଲ ଡିମିଟ୍ରିଏଭ କହିଛନ୍ତି ଯେ ଚେମରାର ଯଥେଷ୍ଟ ଔଷଧ ତିଆରି କରିବାକୁ କୁହାଯାଇଛି। ମାସକୁ ୬୦ହଜାର ଲୋକଙ୍କ ଚିକିତ୍ସା ଲାଗି ଚେମରାର ଔଷଧ ପ୍ରସ୍ତୁତ କରିବ। ଆଭିଫାଭିର ଯୋଗାଇବା ଲାଗି ୧୦ଟି ରାଷ୍ଟ୍ରରୁ ଅନୁରୋଧ ଆସିଥିବା ଡିମିଟ୍ରିଏଭ କହିଛନ୍ତି। ରୁଷ୍‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୦୨,୪୩୬ରେ ପହଞ୍ଚିଛି।
ଅପରପକ୍ଷରେ କରୋନା ଭୂତାଣୁ ସଂକ୍ରମଣର ଉପଚାର ଲାଗି ପ୍ରସ୍ତୁତ କରାଯାଇଥିବା ଔଷଧର ପରୀକ୍ଷା ସଫଳ ହୋଇଥିବା ଆମେରିକାର ବହୁରାଷ୍ଟ୍ରୀୟ ମେଡିସିନ୍ କମ୍ପାନୀ ଜନସନ୍ ଆଣ୍ଡ୍ ଜନସନ ଦାବି କରିଛି। ସାର୍ସ-କୋଭ-୨ ନାମକ ଏହି ଟିକାକୁ ପ୍ରାଣୀଙ୍କଠାରେ ପ୍ରୟୋଗ କରାଯାଇ ଥିବାବେଳେ ସୁଫଳ ମିଳିଛି। ଜୁଲାଇରେ ଏହାକୁ ମାନବ ଶରୀରରେ ପରୀକ୍ଷାମୂଳକ ଭାବେ ପ୍ରୟୋଗ କରାଯିବ ବୋଲି କମ୍ପାନୀର ଭାଇସ ପ୍ରେସିଡେଣ୍ଟ ପଲ୍ ଷ୍ଟୋଫେଲ୍ କହିଛନ୍ତି। ଖୁବ୍ ଶୀଘ୍ର ଏହା ବଜାରରେ ଉପଲବ୍ଧ ହେବ ବୋଲି ମଧ୍ୟ ସେ କହିଛନ୍ତି।

Comments are closed.