କରୋନା ଭ୍ୟାକ୍‌ସିନ୍‌ର ହ୍ୟୁମାନ୍‌ ଟ୍ରାଏଲ୍‌ ଆରମ୍ଭ, ୨୦୨୧ ଫେବୃୟାରୀରେ ଉପଲବ୍ଧ ହୋଇପାରେ ଭ୍ୟାକ୍‌ସିନ୍

ଭୁବନେଶ୍ବର: ମହାମାରୀ କରୋନା ତା’ର ପ୍ରଭାବ ବିସ୍ତାର କରିଚାଲିଥିବାବେଳେ ଏହାକୁ ପ୍ରତିହତ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ତେବେ ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ କରୋନା ଭ୍ୟାକ୍‌ସିନ୍‌ର ପ୍ରଥମ ପର୍ଯ୍ୟାୟ ଟ୍ରାଏଲ୍‌ ଆରମ୍ଭ ହୋଇଛି। ତେବେ ଆସନ୍ତା ୨୦୨୧ ଫେବୃଆରୀ ବେଳକୁ ବଜାରରେ କରୋନା ଭ୍ୟାକ୍‌ସିନ୍‌ ଉପଲବ୍ଧ ହୋଇପାରେ ବୋଲି ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲ୍‌ଏସ୍‌) ନିର୍ଦେଶକ ଡ.ଅଜୟ ପରିଡ଼ା ସୂଚନା ଦେଇଛନ୍ତି।
ଆଜି ଗଣମାଧ୍ୟମକୁ ସୂଚନା ଦେଇ ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲ୍‌ଏସ୍‌) ନିର୍ଦେଶକ ଡ.ଅଜୟ ପରିଡ଼ା କହିଛନ୍ତି ଯେ ଗଞ୍ଜାମରେ କରୋନା ସ୍ଥିତି ଉଦ୍‌ବେଗଜନକ ରହିଛି। ଟ୍ରାଭେଲ୍‌ ହିଷ୍ଟ୍ରି ଓ କଣ୍ଟାକ୍ଟ ଟ୍ରେସିଂ ଆଧାରରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇପାରୁଛି। ତେବେ ଏସବୁ ପ୍ରକ୍ରିୟାକୁ ଗୋଷ୍ଠୀ ସଂକ୍ରମଣ କୁହାଯିବ ନାହିଁ। କରୋନା ଭ୍ୟାକ୍‌ସିନ୍‌ର ହ୍ୟୁମାନ୍ ଟ୍ରାଏଲ୍‌ ଚାଲିଛି। ୩୧୫ଜଣଙ୍କ ଉପରେ କରୋନା ଭ୍ୟାକ୍‌ସିନ୍‌ର ହ୍ୟୁମାନ୍‌ ଟ୍ରାଏଲ୍‌ କରାଯାଉଛି। ଏବେ ପ୍ରଥମ ଟ୍ରାଏଲ୍‌ ଚାଲିଛି, ଏଥିରେ ସଫଳତା ମିଳିବା ପରେ ଦ୍ବିତୀୟ ଟ୍ରାଏଲ୍‌ ହେବ। ଯଦି ସଫଳତା ମିଳେ ଡିସେମ୍ବରରୁ ଫେବୃଆରୀ ଭିତରେ ଭ୍ୟାକ୍‌ସିନ୍‌ ଆସିଯିବ ବୋଲି ଆଇଏଲ୍‌ଏସ୍‌ ନିର୍ଦେଶକ ଡ.ଅଜୟ ପରିଡ଼ା ପ୍ରକାଶ କରିଛନ୍ତି। ଅପରପକ୍ଷରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ଯେ ଏବେ ରାଜ୍ୟରେ ଗଞ୍ଜାମ ସ୍ଥିତି ଉଦ୍‌ବେଗଜନକ ରହିଛି। ସରକାର ବହୁ ପଦକ୍ଷେପ ନେଉଛନ୍ତି। ପ୍ରାୟ ୯୨ ପ୍ରତିଶତ ଗ୍ରାମ କରୋନା ମୁକ୍ତ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି।

Comments are closed.