୭ ଜିଲାକୁ ୧ଲକ୍ଷ କୋଭିସିଲ୍ଡ, ତୁରନ୍ତ ଯୁବବର୍ଗଙ୍କୁ ଟିକା ଦେବାକୁ ଏସିଏସଙ୍କ ନିର୍ଦେଶ

ଭୁବନେଶ୍ୱର: ରାଜ୍ୟର ସମସ୍ତ ଯୁବବର୍ଗଙ୍କୁ କିଭଳି ତୁରନ୍ତ ଟିକାକରଣ କରାଯାଇପାରିବ ସେ ଦିଗରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ରାଜ୍ୟରେ ଏବେ ପ୍ରାୟ ୩୧ଟି ସହରାଞ୍ଚଳରେ ଟିକାକରଣ ଚାଲିଥିବାବେଳେ ଶୁକ୍ରବାର ରାଜ୍ୟର ନିଜସ୍ୱ ସଂଗ୍ରହ ଟିକାରୁ ୭ଟି ଜିଲାର ୯ ପୌରାଞ୍ଚଳକୁ ୧ ଲକ୍ଷ ୧୩ହଜାର ୮୦୦ ପାନ ‘କୋଭିସିଲ୍ଡ’ ଟିକା ଦିଆଯାଇଛି। ଏଥିରେ ଯୁଦ୍ଧକାଳୀନ ଭିତ୍ତିରେ ଯୁବବର୍ଗଙ୍କୁ ଟିକାକରଣ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ୭ ଜିଲାପାଳ ଓ ସମ୍ପୃକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦେଶନାମା ଜାରି କରିଛନ୍ତି।

ଶ୍ରୀ ମହାପାତ୍ରଙ୍କ ସୂଚନା ଅନୁଯାୟୀ ଗଞ୍ଜାମ ଜିଲାର ହିଞ୍ଜିଳି ମ୍ୟୁନିସିପାଲିଟି ଏବଂ ପୋଲସରା ଏନଏସିରେ ଯଥାକ୍ରମେ ୧୧ହଜାର ୧୯୧ ଏବଂ ୧୦ହଜାର ୪୮୭ ଯୁବବର୍ଗ ରହିଥିବାବେଳେ ହିଞ୍ଜିଳି ପାଇଁ ୬ହଜାର ୭୦୦ ଏବଂ ପୋଲସରା ପାଇଁ ୬୩୦୦ ପାନ ଟିକା ପ୍ରଦାନ କରାଯାଇଛି। ସେହିପରି ଜଗତସିଂହପୁର ଜିଲାର ପାରାଦ୍ୱୀପ ମ୍ୟୁନିସିପାଲିଟିରେ ୨୮ହଜାର ୮୦୬ ଯୁବବର୍ଗ ରହିଥିବାବେଳେ ୧୭ହଜାର ୨୦୦ ପାନ, ଯାଜପୁରର ବ୍ୟାସନଗର ମ୍ୟୁନିସିପାଲିଟିରେ ୨୪ହଜାର ୨୫୬ ଯୁବକଙ୍କ ପାଇଁ ୧୪ହଜାର ୫୦୦, ଜଟଣୀ ମ୍ୟୁନିସିପାଲିଟିରେ ୨୩ହଜାର ୮୬୭ ଯୁବବର୍ଗଙ୍କ ପାଇଁ ୧୪ହଜାର ୩୦୦, କୋରାପୁଟର ଜୟପୁର ମ୍ୟୁନିସିପାଲିଟିରେ ୩୭ହଜାର ୪୩୪ ଯୁବବର୍ଗଙ୍କ ପାଇଁ ୨୨ହଜାର ୪୦୦, ସୁନାବେଡା ମ୍ୟୁନିସିପାଲିଟିର ୨୧ହଜାର ୧୬୫ ଯୁବବର୍ଗଙ୍କ ପାଇଁ ୧୨ହଜାର ୭୦୦, ଖରିଆର ଏନଏସିର ୯ହଜାର ୭୪ ଜଣଙ୍କ ପାଇଁ ୫୪୦୦ ପାନ, ସୁନ୍ଦରଗଡ଼ର ରାଇରଙ୍ଗପୁର ମ୍ୟୁନିସିପାଲିଟିର ୨୩ହଜାର ୯୪୦ ଯୁବବର୍ଗଙ୍କ ପାଇଁ ୧୪ହଜାର ୩୦୦ ପାନ ଟିକା ପଠାଯାଇଛି।

Comments are closed.