ବୌଦ୍ଧ ଜିଲ୍ଲାରେ ଆଜି ପହଞ୍ଚିବ ୧୯୫୦ ଜଣଙ୍କ ପାଇଁ କରୋନା ଟୀକା

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଆଜି ୧୯୫୦ ଡୋଜ୍‍ କରୋନା ଟୀକା ପହଞ୍ଚିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ତ୍ରିଲୋଚନ ପ୍ରଧାନ ପ୍ରକାଶ କରିଛନ୍ତି। ମଙ୍ଗଳବାର ଓଡିଶାରେ କରୋନା ଟୀକା ପହଞ୍ଚିଥିବା ବେଳେ ସେଠାରୁ ବିଭିନ୍ନ ଜିଲ୍ଲାକୁ ପଠାଯିବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବୁଧବାର(ଆଜି)ଦିନ ବୌଦ୍ଧ ସ୍ୱାସ୍ଥ୍ୟ ବିଭାଗର ଏକ ଗାଡି କରୋନା ଟୀକା ଆଣିବାକୁ ଭୁବନେଶ୍ୱର ପଠାଯାଇଥିବା ଜଣାଯାଇଛି। ପୋଲିସର କଡା ସୁରକ୍ଷା ଭିତରେ ଟୀକା ଗୁଡିକୁ ବୌଦ୍ଧ ଅଣାଯାଇ ତାହାକୁ ଜିଲ୍ଲା ଟୀକା ଭଣ୍ଡାରରେ ରଖାଯିବ ଓ ଆସନ୍ତା ୧୬ ତାରିଖରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବାଉଁଶୁଣୀ ଡାକ୍ତରଖାନା ଓ ମନମୁଣ୍ଡା ଡାକ୍ତରଖାନାରେ ଟୀକା ପ୍ରଦାନ କରାଯିବ। ପ୍ରାଥମିକସ୍ତରରେ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଏହି ଟିକା ପ୍ରଦାନ କରାଯିବ ବଳକା ଟୀକାକୁ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଅନ୍ୟ କୋଭିଡ ଯୋଦ୍ଧାମାନଙ୍କୁ ଦିଆଯିବ। ରାଜ୍ୟର ୧୬୦ କେନ୍ଦ୍ରରେ ଟୀକା ପ୍ରଦାନ କରାଯିବାକୁ ଥିବାବେଳେ ସେଥିମଧ୍ୟରୁ ବୌଦ୍ଧଜିଲ୍ଲାର ତିନୋଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଟିକା ପ୍ରଦାନ କରାଯିବ ବୋଲି ଜଣାପଡିଛି। ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିତ ଭାବରେ ଏହି କାର୍ଯ୍ୟକ୍ରମ କରାଯାଉଥିବା ଜଣାପଡିଛି।

Comments are closed.