ମାଙ୍କଡ ଶରୀରରେ କରୋନା ଟିକା ପରୀକ୍ଷଣ ସଫଳ – ଚୀନ

ବେଜିଂ: ବିଶ୍ୱବ୍ୟାପୀ ବିଭିନ୍ନ ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ସକାଶେ ପ୍ରତିଷେଧକ ଟୀକା ଉଦ୍ଭାବନରେ ଲାଗିଥିବାବେଳେ ଚୀନ କର୍ତ୍ତୃପକ୍ଷ ମାଙ୍କଡ ଶରୀରରେ କରେନା ଟୀକାର ସଫଳ ପରୀକ୍ଷା କରିଥିବା ଦାବି କରିଛନ୍ତି। ଚୀନର ବୈଜ୍ଞାନିକମାନେ କହିଛନ୍ତି ଯେ ସେମାନେ ଦେଶର ପ୍ରଥମ ଟୀକାକୁ ମାଙ୍କଡ ଶରୀରରେ ସଫଳତାର ସହିତ ପରୀକ୍ଷା କରିଛନ୍ତି। ଏହା କୋଭିଡ୧୯ ଭୁୂତାଣୁ ସଂକ୍ରମଣଜନିତ ଧ୍ୱଂସଲୀଳାରୁ ସମଗ୍ର ପୃଥିବୀକୁ ବଞ୍ଚାଇବାର ଏକ ଯୁଗାନ୍ତକାରୀ ବିକାଶ ବୋଲି ବିବେଚନା କରାଯାଉଛି।

ଏକ ରିପୋର୍ଟରେ କୁହାଯାଇଛି ଯେ ବେଜିଂସ୍ଥିତ ସିନୋଭାକ୍‍ ବାୟୋଟେକ୍‍ ପକ୍ଷରୁ ପିକୋଭାକ୍‍ ନାମରେ ଏହି ଟୀକାର ବିକାଶ କରାଯାଇଛି। ଏହା କୋଭିଡ୧୯ ଭୂତାଣୁକୁ ନିଷ୍କ୍ରିୟ କରିପାରୁଛି ଏବଂ ଏହା ଭାରତରେ ଦେଖାଯାଉଥିବା ଏକପ୍ରକାର ମାଙ୍କଡ ପ୍ରଜାତିକୁ ସୁରକ୍ଷିତ ରଖି ପାରିବାରେ ସହାୟକ ହେଉଛି। ଏହି ଟୀକାର ପ୍ରଭାବକୁ ପରୀକ୍ଷା କରିବା ସକାଶେ ଚୀନର ଗବେଷକମାନେ ତାହାକୁ ମାଙ୍କଡଙ୍କ ଶରୀରରେ ପ୍ରବେଶ କରାଇଥିଲେ ଏବଂ ତାହାପରେ ସେମାନଙ୍କୁ ସାର୍‍ସ-ସିଓଭି-୨ ସଂସ୍ପର୍ଶରେ ଆସିବାକୁ ଦିଆଯାଇଥିଲା, ଯାହା ତିନିସପ୍ତାହ ପରେ କୋଭିଡ୧୯ ସଂକ୍ରମଣକୁ ବିକଶିତ କରିଥାଏ। ଉକ୍ତ ଟୀକା ନୋଭେଲ କରୋନା ଭୂତାଣୁ ବିରୋଧରେ ଆଣ୍ଟିବଡି ଉତ୍ପାଦନ କରିବାରେ ସମର୍ଥ ହୋଇଥିବା ଲକ୍ଷ୍ୟ କରାଯାଇଛି। ଉକ୍ତ ଆଣ୍ଟିବଡି ସାଧାରଣ ଭୂତାଣୁ ଉପରେ ଆକ୍ରମଣ କରିବାକୁ ମଧ୍ୟ ସମର୍ଥ ବୋଲି ଲକ୍ଷ୍ୟ କରାଯାଇଛି।

ଗବେଷକମାନେ ଲକ୍ଷ୍ୟ କରିଥିଲେ ଯେ ଯେଉଁ ମାଙ୍କଡମାନଙ୍କୁ ପିକୋଭାକ୍‍ ଟୀକା ଦିଆଯାଇଥିଲା, ସପ୍ତାହକ ପରେ ସେମାନଙ୍କ ଫୁସଫୁସରେ ଭୂତାଣୁ ନଥିଲା। ଅନ୍ୟପକ୍ଷରେ ଯେଉଁ ମାଙ୍କଡଙ୍କୁ ଟୀକା ଦିଆଯାଇନଥିଲା ସେମାନଙ୍କ ଠାରେ ଗୁରୁତର ନିମୋନିଆ ଲକ୍ଷଣ ପ୍ରକାଶ ପାଇଥିଲା। ଆଉ କେତେକ ସୂତ୍ରରୁ କୁହାଯାଇଛି ଯେ ଚୀନ ଏପ୍ରିଲ ମଧ୍ୟଭାଗରୁ ମାନବ ଶରୀରରେ କୋଭିଡ୧୯ ପ୍ରତିଷେଧକ ଟୀକାର ପରୀକ୍ଷଣ କରିଚାଲିଛି। ଚୀନର ସାମରିକ ପ୍ରତିଷ୍ଠାନ ଦ୍ୱାରା ଆଉ ଏକ ଟୀକାର ବିକାଶ କରାଯାଇଛି, ଯାହାକୁ ସମ୍ପ୍ରତି ମାନବ ଶରୀରରେ ପରୀକ୍ଷା କରାଯାଇଛି। ତାହାସହିତ ଇସ୍ରାଏଲ, ଇଟାଲି ଭଳି କେତେକ ରାଷ୍ଟ୍ର ମଧ୍ୟ କୋଭିଡ୧୯ର ପ୍ରତିଷେଧକ ଟୀକା ବିକଶିତ କରିଥିବା ଦାବି କରିଛନ୍ତି। ଚୀନର ସାଇନ୍ସ ପତ୍ରିକାରେ ଏହି ରିପୋର୍ଟ ପ୍ରକାଶ ପାଇଛି।

Comments are closed.