ଭାରତକୁ ୧୦କୋଟି କରୋନା ଟିକା ଡୋଜ ବିକିବ ରୁଷ୍‌

ମସ୍କୋ : ଭାରତକୁ ୧୦କୋଟି କରୋନା ଟିକା ‘ସ୍ପୁଟିନିକ-ଭି’ ବିକ୍ରି କରିବ ରୁଷ୍। ରୁଷର ସଭରେନ ୱେଲଥ୍‌ ଫଣ୍ଡ ଭାରତର ଔଷଧ ପ୍ରସ୍ତୁତକାରୀ କମ୍ପାନୀ ଡକ୍ଟର ରେଡ୍ଡିକୁ ଏହି ଟିକା ବିକ୍ରି କରିବାକୁ ସମ୍ମତି ପ୍ରକାଣ କରିଛି। ଏଥିପାଇଁ ରୁଷର ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (ଆରଡିଆଇଏଫ୍) ମଧ୍ୟସ୍ଥତାରେ ବୁଝାମଣା ହୋଇଛି। ଭାରତକୁ ୧୦କୋଟି ଟିକା ଯୋଗାଇଦେବା ପ୍ରତିବାଦରେ ଡକ୍ଟର ରେଡ୍ଡି ୩୦କୋଟି କରୋନା ଟିକାର ଡୋଜ୍ ପ୍ରସ୍ତୁତ କରିବ। ‘ଆର୍‌ଡିଆଇଏଫ୍’ କହିଛି ଯେ, ଭାରତରେ ‘ସ୍ପୁଟିନିକ-ଭି’ ନୈଦାନିକ ପରୀକ୍ଷା ଓ ବଣ୍ଟନ ନିମନ୍ତେ ‘ଡକ୍ଟର୍ ରେଡ୍ଡି ଲ୍ୟାବ୍‌’କୁ ସହଯୋଗ କରିବାକୁ ସେ ରାଜି ହୋଇଛି। ନିୟନ୍ତ୍ରକଙ୍କ ଅନୁମୋଦନ ପାଇବା ମାତ୍ରେ ହିଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ‘ଆର୍‌ଡିଆଇଏଫ୍’ କହିଛି। ଉତ୍ତମରୂପେ ଅଧ୍ୟୟନ ହୋଇଥିବା ଏଡି‌ନୋଭାଇରାଲ୍‌ ମାଧ୍ୟମ ଭିତ୍ତିରେ ଆଧାରିତ ଓ ନିରାପଦ ପ୍ରମାଣିତ ହୋଇଥିବା ‘ସ୍ପୁଟ୍‌ନିକ୍-୫’ ଟିକାକୁ ସମ୍ପ୍ରତି ନୈଦାନିକ ପରୀକ୍ଷା କରାଯାଉଛି। ସଫଳତାର ସହ ପରୀକ୍ଷା ଶେଷ ହେବା ଓ ଭାରତୀୟ ନିୟନ୍ତ୍ରଣକାରୀ କର୍ତ୍ତୃପକ୍ଷଙ୍କ ଦ୍ବାରା ପଞ୍ଜୀକରଣ କରାଯିବା ପରେ ଏହି ଟିକା ଯୋଗାଣ ହୋଇପାରେ ବୋଲି ଏହି ବିବୃତିରେ କୁହାଯାଉଛି। ‘ଆର୍‌ଡିଆଇଏଫ୍’ର ସିଇଓ କିରିଲ୍ ଡିମିତ୍ରିଏଭ୍ କହିଛନ୍ତି, ଭାରତରେ ଡକ୍ଟର୍ ରେଡ୍ଡିର ଅଂଶୀଦାର ହୋଇ ଆମେ ଖୁବ୍‌ ଆନନ୍ଦିତ। କୋଭିଡ୍-୧୯ ଦ୍ବାରା ପ୍ରଭାବିତ ଦେଶମାନଙ୍କ ମଧ୍ୟରେ ଭାରତ ଅନ୍ୟତମ। ଆମର ବିଶ୍ବାସ କୋଭିଡ୍-୧୯ ବିରୋଧରେ ଲଢ଼ିବାକୁ ଆମର ମାନବ ଏଣ୍ଡିନୋଭାଇରସ୍ ଯୁଗ୍ମ ବାହକଭିତ୍ତିକ ଟିକା ଭାରତକୁ ନିରାପଦ ଏବଂ ବୈଜ୍ଞାନିକସିଦ୍ଧ ବିକଳ୍ପ ଯୋଗାଇ ଦେବ। ଡକ୍ଟର୍ ରେଡ୍ଡି ଲ୍ୟାବ୍‌ର ସହ-ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଜିଭି ପ୍ରସାଦ କହିଛନ୍ତି, ଭାରତକୁ ଟିକା ଆଣିବା ନିମନ୍ତେ ‘ଆର୍‌ଡିଆଇଏଫ୍’ ସହ ଭାଗୀଦାର ହୋଇଥିବାରୁ ଆମେ ଆନନ୍ଦିତ। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ପ୍ରତିଶ୍ରୁତି ଦେଇଛି। ଭାରତୀୟ ନିୟନ୍ତ୍ରକଙ୍କ ଆବଶ୍ୟକତା ପ୍ରମାଣ କରିବାକୁ ଆମେ ଭାରତରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା କରାଇବୁ। ଭାରତରେ କୋଭିଡ୍-୧୯ ବିରୋଧରେ ଆମର ସଂଗ୍ରାମ ନିମନ୍ତେ ‘ସ୍ପୁଟ୍‌ନିକ୍-୫’ ଟିକା ବିଶ୍ବସନୀୟ ବିକଳ୍ପ ଯୋଗାଇପାରେ।

Comments are closed.