କରୋନା ଟିକାକରଣ, ଜରୁରୀ ନୁହେଁ ଆଗୁଆ ସ୍ଲଟ୍ ବୁକିଂ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ସହିତ ସାମୁହିକ ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ ପାଇଁ ଟିକାକରଣ ନିମନ୍ତେ କୋ-ୱିନ୍ ପୋର୍ଟାଲରେ ପଞ୍ଜିକରଣ ନିୟମକୁ କେନ୍ଦ୍ର ସରକାର କୋହଳ କରିଛନ୍ତି। ସ୍ମାର୍ଟଫୋନ୍ ନଥିବା ଅଞ୍ଚଳ କିମ୍ବା ବ୍ୟବହାର ଜାଣି ନ ଥିବା ବ୍ୟକ୍ତିବିଶେଷ, ପରିଚୟପତ୍ର ନଥିବା ଲୋକଙ୍କୁ ଦୃଷ୍ଟିରେ ରଖି ଏହି ନିୟମକୁ କୋହଳ କରାଯାଇଛି। ଗତ ୭ତାରିଖରେ କେନ୍ଦ୍ର ସରକାର ଟିକାକରଣ ନିୟମକୁ କୋହଳ କରିବା ପରେ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଆଜି ଚିଠି ଲେଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏସମ୍ପର୍କରେ ସୂଚନା ଦେଇଛନ୍ତି।

ଚିଠି ଅନୁସାରେ କରୋନା ଟିକାକରଣ ଅଭିଯାନରେ ସମସ୍ତଙ୍କୁ ସାମିଲ ପାଇଁ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି। ସାମାଜିକ-ଅର୍ଥନୈତିକ, ଶିକ୍ଷାଗତ ଓ ଭୌ​‌େ​‌ଗାଳିକ ଦୃଷ୍ଟିରୁ ପଛୁଆ ଥିବା ସଭିଁଏ ଏହି ଟିକାକରଣର ସୁବିଧା ପାଇପାରିବେ। ଯେଉଁମାନେ ନିରକ୍ଷର ଅବା ଇଣ୍ଟରନେଟ୍ ବ୍ୟବହାର ଜାଣିନାହାନ୍ତି ସେମାନେ କୋୱିନ୍ ପୋର୍ଟାଲରେ ପଞ୍ଜିକରଣ ଓ ସ୍ଲଟ୍‌ ବୁକିଂ କରିବାରେ ସମସ୍ୟା ରହିଛି। ଏହାକୁ ଦୃଷ୍ଟିରେ ରଖି କୋ-ୱିନ୍‌ରେ ପଞ୍ଜିକରଣ, ସ୍ଲଟ୍‌ ବୁକିଂ, ଟିକାକରଣ ନିୟମକୁ କୋହଳ କରାଯାଇଛି।

ଇଣ୍ଟରନେଟ୍ ଅବା ସ୍ମାର୍ଟଫୋନ୍ ବ୍ୟବହାର ଜାଣି ନ ଥିବା ବ୍ୟକ୍ତି ଅବା ଗୋଷ୍ଠୀ ସିଧାସଳଖ ଟିକାଦାନ କେନ୍ଦ୍ରକୁ ଆସି ସେଠାରେ ପଞ୍ଜିକରଣ କରାଇ ଟିକା ନେଇପାରିବେ। କିମ୍ବା ଗାଁ ଗହଳିରେ ଥିବା ସାଧାରଣ ସେବା କେନ୍ଦ୍ର (କମନ ସର୍ଭିସ ସେଣ୍ଟର) ମାଧ୍ୟମରେ ବି ନିଜର ପଞ୍ଜିକରଣ କୋ-ୱିନ୍ ପୋର୍ଟାଲରେ କରିପାରିବେ। ହେଲପଲାଇନ୍ / କଲ ସେଣ୍ଟର ନମ୍ବର-୧୦୭୫ ମାଧ୍ୟମରେ ବି ପଞ୍ଜିକରଣ କରାଯାଇପାରିବ।

ଯେଉଁ ବ୍ୟକ୍ତିମାନଙ୍କର କୌଣସି ପରିଚୟ ପତ୍ର ନାହିଁ ସେମାନଙ୍କର ଟିକାକରଣ ପାଇଁ ସ୍ୱତନ୍ତ୍ର ଟିକା ଅଧିବେଶନ କରାଇବାକୁ ପରାମର୍ଶ ଦିଆଯାଇଛି। ଭିନ୍ନକ୍ଷମ ବ୍ୟକ୍ତି ଓ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ ପାଇଁ ସେମାନଙ୍କ ଘର ପାଖରେ ଟିକାଦାନର ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯିବ। ଏପରିକି ସ୍ବତନ୍ତ୍ର ପରିବହନ ବ୍ୟବସ୍ଥା ମଧ୍ୟ ସେମାନଙ୍କ ଲାଗି କରିବାକୁ ସରକାର ପରାମର୍ଶ ଦେଇଛନ୍ତି। ଏହବ୍ୟତୀତ ଯେଉଁମାନେ ପ୍ରଥମ ପାନ ଟିକା ନେଇଥିବେ ସେମାନଙ୍କ ଦ୍ୱିତୀୟ ପାନ ପାଇଁ ଟିକା ସ୍ଲଟ୍‌କୁ ସଂରକ୍ଷିତ ରଖାଯିବ। ଯାହାଫଳରେ ସେମାନେ ନିର୍ଦ୍ଧାରିତ ଅବଧି ମଧ୍ୟରେ ନିଜର ଟିକା ନେଇପାରିବେ।

କେବଳ ସେତିକି ନୁହେଁ, ଯେଉଁ ଲୋକମାନେ ଗାଁ ଅବା ଦୁର୍ଗମ ଅଂଚଳରେ ରହୁଥିବା ସେମାନଙ୍କୁ ନିକଟସ୍ଥ ଟିକାକରଣ କେନ୍ଦ୍ରରେ ଟିକା ଦେବା ପାଇଁ ବ୍ୟବସ୍ଥା କରିବା ନିମନ୍ତେ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେହି ଲୋକମାନଙ୍କର ପଞ୍ଜିକରଣ, ସ୍ଲଟ ବୁକିଂ ଓ ଟିକାକରଣ ନିମନ୍ତେ ସ୍ୱତନ୍ତ୍ର ଭାବେ ପରିବହନ ବ୍ୟବସ୍ଥା କରିବାକୁ ମଧ୍ୟ ସରକାର ପରାମର୍ଶ ଦେଇଛନ୍ତି । ଏଥିପାଇଁ ଆବଶ୍ୟକ ପଡ଼ିଲେ କ୍ଷେତ୍ରସ୍ତରରେ ଥିବା ସ୍ୱାସ୍ଥ୍ୟ କର୍ମଚାରୀ ଓ ଅନ୍ୟ ଲାଇନ୍ ଡିପାର୍ଟମେଣ୍ଟ କର୍ମଚାରୀଙ୍କୁ ସାମିଲ କରିବାକୁ ପରାମର୍ଶ ଦିଆଯାଇଛି। କୌଣସି ଲୋକ ଯେଭଳି ଟିକାକରଣରୁ ବାଦ୍ ନ ପଡ଼ିବେ ସେଥିପାଇଁ କୋ-ୱିନ୍ ପୋର୍ଟାଲରେ ଉପଲବ୍ଧ ଥିବା ବହୁମୁଖୀ ବିକଳ୍ପକୁ ଉପଯୋଗ କରିବାକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି।

Comments are closed.