କରୋନା ଟିକାର କୌଣସି ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟା ନାହିଁ – ଡକ୍ଟର ଭି.କେ. ପଲ

ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦେଶରେ ପ୍ରସ୍ତୁତ ଟୀକାର ସୁରକ୍ଷା ବିଷୟରେ କୌଣସି ସନ୍ଦେହ ରହିବା ଉଚିତ୍ ନୁହେଁ ବୋଲି ନିତି ଆୟୋଗ ସଦସ୍ୟ ଡକ୍ଟର ଭି.କେ ପଲ କହିଛନ୍ତି। ଏହି ଅବସରରେ ସେ ଭାରତୀୟ ମେଡିକାଲ ଆସୋସିଏସନ ଉଭୟ ଟିକା କୋଭାକ୍ସିନ ଏବଂ କୋଭିଶିଲ୍ଡକୁ ଅନୁମୋଦନ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଡକ୍ଟର ପାଲ କହିଛନ୍ତି ଯେ ଉଭୟ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି ଏବଂ ସେଗୁଡିକର ସୁରକ୍ଷା ଉପରେ କୌଣସି ସନ୍ଦେହ ନାହିଁ। ସେ କହିଛନ୍ତି ଯେ ହଜାର ହଜାର ଲୋକଙ୍କ ଉପରେ ଏହି ଟିକାଗୁଡ଼ିକର ପରୀକ୍ଷା ନିରୀକ୍ଷା କରାଯାଇଛି ଏବଂ ଏହାର ପାର୍ଶ୍ୱ ପ୍ରତିକ୍ରିୟାଗୁଡ଼ିକ ଅଳ୍ପ ଅଟେ।

ଡକ୍ଟର ପାଲ କହିଛନ୍ତି ଯେ ଏକ ଟୀକାକରଣ ଦଳ ପାଞ୍ଚଜଣ ସଦସ୍ୟଙ୍କୁ ନେଇ ଗଠିତ ହେବ। ସେମାନଙ୍କ ମଧ୍ୟରୁ ଜଣେ ଟିକା ପ୍ରଦାନକାରୀ ଏବଂ ଅନ୍ୟ ଚାରିଜଣ ସେଠାରେ ସାହାଯ୍ୟ କରିବେ। ଟୀକାକରଣ ପାଇଁ ଜନସାଧାରଣଙ୍କ ଅଂଶଗ୍ରହଣ ଆବଶ୍ୟକ ବୋଲି ସେ କହିଛନ୍ତି। ତେବେ ଟିକା ବାଛିବା ପାଇଁ ଟିକା ପ୍ରଦାନକାରୀଙ୍କର ଅଧିକାର ରହିବ କି ନାହିଁ ପ୍ରଶ୍ନ ଉପରେ ରାଜେଶ ଭୂଷଣ କହିଛନ୍ତି ଯେ ଅନେକ ଦେଶରେ ଏକରୁ ଅଧିକ ଟିକା ବ୍ୟବହାର କରାଯାଉଛି। ସେ କହିଛନ୍ତି ଯେ ଯେଉଁ ଦେଶରେ ଏହା ଘଟୁଛି, ସେଠାରେ ସେପରି ବିକଳ୍ପ ଦିଆଯାଇ ନାହିଁ।

ଟୀକାକରଣ ପାଇଁ ପ୍ରସ୍ତୁତି ସମ୍ପର୍କରେ ରାଜେଶ ଭୂଷଣ କହିଛନ୍ତି ଯେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଟୀକାକରଣ ସମ୍ପର୍କିତ ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ଜାନୁୟାରୀ ୧୬ରୁ ଆରମ୍ଭ ହେବାକୁ ଥିବା ଟୀକାକରଣ ଅଭିଯାନ ପାଇଁ ସମସ୍ତ ପ୍ରସ୍ତୁତି ସଠିକ୍ ମାର୍ଗରେ ଅଛି। ସେ କହିଛନ୍ତି ଯେ ଏଥିପାଇଁ ରାଜ୍ୟମାନଙ୍କ ସହିତ ୨୬ଟି ଭର୍ଚୁଆଲ୍ ମିଟିଂ / ଟ୍ରେନିଂ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏପର୍ଯ୍ୟନ୍ତ ୨୩୬୦ ମାଷ୍ଟର ଟ୍ରେନର, ୬୧ ହଜାର ପ୍ରୋଗ୍ରାମ ମ୍ୟାନେଜର, ଦୁଇ ଲକ୍ଷ ଟୀକାକରଣକାରୀ ଏବଂ ୩.୭ ଲକ୍ଷ ଟୀକାକରଣ ଦଳର ସଦସ୍ୟଙ୍କୁ ତାଲିମ ଦିଆଯାଇଛି।

ଭୂଷଣ କହିଛନ୍ତି ଯେ ଟିକା ସଂରକ୍ଷଣ ପାଇଁ ଭାରତ ସରକାର ଚାରୋଟି ବଡ଼ ଷ୍ଟୋର ନିର୍ମାଣ କରିଛନ୍ତି। ସେଗୁଡ଼ିକ କର୍ଣ୍ଣଲ, କୋଲକାତା, ଚେନ୍ନାଇ ଏବଂ ମୁମ୍ବାଇରେ ଅବସ୍ଥିତ। ସମସ୍ତ ରାଜ୍ୟରେ ଅତି କମରେ ଗୋଟିଏ ଆଞ୍ଚଳିକ ଟିକା ଷ୍ଟୋର ଅଛି। ଏହା ବ୍ୟତୀତ ବଡ ରାଜ୍ୟରେ ଷ୍ଟୋର ସଂଖ୍ୟା ବୃଦ୍ଧି କରାଯାଇଛି। ଏହି ଅନୁଯାୟୀ ଉତ୍ତରପ୍ରଦେଶରେ ନଅଟି, ମଧ୍ୟପ୍ରଦେଶ ଏବଂ ଗୁଜୁରାଟରେ ଚାରିଟି, କେରଳରେ ତିନୋଟି, ଜାମ୍ମୁ କାଶ୍ମୀର, କର୍ଣ୍ଣାଟକ ଏବଂ ରାଜସ୍ଥାନରେ ଦୁଇଟି ଷ୍ଟୋର ଅଛି।

ରାଜେଶ ଭୂଷଣ କହିଛନ୍ତି, ଟୀକାକରଣର ଦୁଇଟି ଡୋଜ୍ ମଧ୍ୟରେ ୨୮ ଦିନର ବ୍ୟବଧାନ ରହିବ। ଦ୍ୱିତୀୟ ଡୋଜ ଗ୍ରହଣ କରିବାର ୧୪ ଦିନ ପରେ ଏହାର ପ୍ରଭାବ ଜଣାପଡ଼ିବ। ସେ କହିଛନ୍ତି ଯେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଡୋଜ ନେବା ପରେ ମଧ୍ୟ କୋଭିଡ ନିର୍ଦ୍ଦେଶାବଳୀ ପାଳନ କରିବା ଜରୁରୀ ଅଟେ।

Comments are closed.