କରୋନା ଟିକା ‘କୋଭାକ୍ସିନ’ – ଏକ ବର୍ଷ ପାଇଁ କରୋନାରୁ ସୁରକ୍ଷିତ

- ଆସିଲା ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ

ଭାରତ ବାୟୋଟେକ୍ ସ୍ୱଦେଶୀ ଟିକା କୋଭାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷଣର ଫଳାଫଳ ଘୋଷଣା କରିଛି। ଏହି ଟିକା ଅତି କମରେ ୧୨ ମାସ ପର୍ଯ୍ୟନ୍ତ କରୋନାରୁ ସୁରକ୍ଷିତ ରଖିବାରେ ସକ୍ଷମ ଅଟେ ବୋଲି କୁହାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଟିକା ସମସ୍ତ ବୟସ ବର୍ଗ ଏବଂ ମହିଳା ଓ ପୁରୁଷଙ୍କ ପାଇଁ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି। ଏବେ ଏହି ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଚାଲିଛି। କମ୍ପାନୀ ଏହାର ଟିକା ପାଇଁ ଔଷଧ ନିୟାମକଙ୍କଠାରୁ ଜରୁରୀକାଳୀନ ଅନୁମୋଦନ ମଧ୍ୟ ମାଗିଛି।

ଡିସେମ୍ବର ଶେଷ ସୁଦ୍ଧା ଆସ୍ତ୍ରା ଜେନେକା ଏବଂ ଅକ୍ସଫୋର୍ଡ ୟୁନିଭରସିଟିର ଟିକା କୋଭିଶିଲ୍ଡକୁ ଜରୁରୀକାଳୀନ ଅନୁମୋଦନ ମିଳିବାର ସମ୍ଭାବନା ରହିଛି। ଏଥିପାଇଁ ବିଶେଷଜ୍ଞ କମିଟି ଆବଶ୍ୟକ କରୁଥିବା ତଥ୍ୟ ଭାରତରେ ଟିକା ପରୀକ୍ଷା କରୁଥିବା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ଦାଖଲ କରାଯାଇଛି। ବିଶେଷଜ୍ଞ କମିଟି ମଧ୍ୟ ଭାରତ ବାୟୋଟେକରୁ ତଥ୍ୟ ମାଗିଛି।

ଭାରତ ବାୟୋଟେକ୍ ବୁଧବାର ଦିନ କୋଭାକ୍ସିନ୍ (ବିବିଭି୧୫୨)ର ଦ୍ୱିତୀୟ ପର୍ଯ୍ୟାୟ ଫଳାଫଳ ଘୋଷଣା କରିଛି। ଏହା ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ଏବଂ ଟି-ସେଲ୍ ମେମୋରୀ ପ୍ରତି ଅଧିକ କ୍ରିୟାଶୀଳ ବୋଲି ଜଣାପଡିଛି। ପ୍ରଥମ ପର୍ଯ୍ୟାୟରେ ସ୍ବେଚ୍ଛାସେବୀମାନଙ୍କୁ ଟୀକାକରଣର ଦ୍ୱିତୀୟ ମାତ୍ରାର ତିନିମାସ ପରେ ମଧ୍ୟ ଏହି ଟିକା ପ୍ରଭାବଶାଳୀ ବୋଲି ଦର୍ଶାଯାଇଛି।

Comments are closed.