ବିଶେଷଜ୍ଞଙ୍କ ଚିନ୍ତା ଟିକା ସଂରକ୍ଷଣ ବ୍ୟବସ୍ଥା : ଭାରତ ଲାଗି ଉପଯୋଗୀ ହେବନି ବିଦେଶୀ କରୋନା ଟିକା

ସଂରକ୍ଷଣ ପାଇଁ ଲୋଡ଼ା ବିଯୁକ୍ତ ୭୦ରୁ -୮୦ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା

ପୁଣେ : କରୋନା ସଂକ୍ରମଣ ରୋକିବା ଲାଗି ଟିକାକୁ ଅପେକ୍ଷା କରିଛି ସାରା ବିଶ୍ବ। ଏକାଧିକ ଭେଷଜବିତ୍‌ ଓ କମ୍ପାନୀ ପକ୍ଷରୁ ପ୍ରାୟ ୧୧ରୁ ଅଧିକ ଟିକା ଉପରେ ପରୀକ୍ଷା ଚାଲିଛି। ନିକଟରେ ଫାଇଜର ତା’ର ଟିକା ପ୍ରସ୍ତୁତି କରିସାରିଥିବା ଏବଂ ଏହାର ପରୀକ୍ଷା ୯୫ ପ୍ରତିଶତ ସଫଳ ହୋଇଥିବା ଦାବି କରିଛି। ଅନୁରୂପ ଭାବେ ମଡର୍ଣ୍ଣା ଓ ରୁଷ୍‌ ଟିକା ସ୍ପୁଟନିକ୍‌ ମଧ୍ୟ କରୋନା ସଂକ୍ରମଣ ରୋକିବାରେ ସଫଳ ପରୀକ୍ଷା କରିଥିବା ଦାବି କରିଛନ୍ତି। ଭାରତରେ ମଧ୍ୟ ଭାରତ ବାଓଟେକ୍‌, ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ ଜାଇଡସ୍‌ କାର୍ଡିଲା ଭଳି ସଂସ୍ଥା ଟିକାର ମାନବ ପରୀକ୍ଷଣ କରୁଛନ୍ତି। କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ତଥା ଚୂଡାନ୍ତ ପରୀକ୍ଷା ଆରମ୍ଭ ହୋଇଛି। ଡିସେମ୍ବରରୁ ଜାନୁୟାରୀ ମଧ୍ୟରେ କରୋନା ଟିକା ବଜାରକୁ ଆସିବା ନେଇ ଆଶା କରାଯାଉଛି।

ତେବେ ଭାରତୀୟ ଚିକିତ୍ସାବିଜ୍ଞାନୀ କେତେକ ବିଦେଶୀ ଟିକାର ସଂରକ୍ଷଣ ବ୍ୟବସ୍ଥା ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। କାରଣ ଟିକାକୁ ଆଣିବା ପରେ ଏହାକୁ ଯେଉଁ ତାପମାତ୍ରାରେ ସଂରକ୍ଷଣ କରାଯିବା ଦରକାର ସେଭଳି ବ୍ୟବସ୍ଥା ଭାରତରେ ଅଦ୍ୟାବଧି ନଥିବା କୁହାଯାଇଛି। ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର)ର ପୂର୍ବତନ ମହାନିର୍ଦେଶକ ଡାକ୍ତର ଏନ.କେ ଗାଙ୍ଗୁଲୀଙ୍କ ମତରେ ଏକାଧିକ ବିଦେଶୀ ଟିକାର ସଂରକ୍ଷଣ ଲାଗି ଲୋଡା ବିଯୁକ୍ତ ୭୦ରୁ ବିଯୁକ୍ତ ୮୦ ଡିଗ୍ରୀ (-୭୦ରୁ -୮୦) ସେଲସିୟସ୍‌ ତାପମାତ୍ରାର କୋଲ୍ଡଚେନ୍‌ ବ୍ୟବସ୍ଥା। ବିଯୁକ୍ତ ୭୦ରୁ ବିଯୁକ୍ତ ୮୦ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ମଧ୍ୟରେ ଏହି ଟିକା ସୁରକ୍ଷିତ ରହିଥାଏ। ତେବେ ଭାରତ କଥା ଛାଡ଼, ଆମେରିକା ଓ ୟୁରୋପ ଭଳି ରାଷ୍ଟ୍ରରେ ମଧ୍ୟ ଏଭଳି ମେଡିକାଲ ଫ୍ରିଜର ବ୍ୟବସ୍ଥା ନାହିଁ। ତେଣୁ ସଂପ୍ରତି ଫାଇଜର ହେଉ କି ମଡର୍ଣ୍ଣା ଭଳି ଟିକା ରୋଗୀଙ୍କ ଲାଗି ୯୦ ପ୍ରତିଶତ ସଫଳତା ପାଇବା ଦାବି କରିପାରନ୍ତି।

କିନ୍ତୁ ଏମାନଙ୍କୁ ଏତେ କମ୍‌ ତାପମାତ୍ରାରେ ସଂରକ୍ଷିତ କରି ରଖିବା ଓ ଟିକାକରଣ ଲାଗି ଗୋଟିଏ ସହରରୁ ଅନ୍ୟ ସହରକୁ ଓ ଗ୍ରାମାଞ୍ଚଳକୁ ପଠାଇବା ଲାଗି ଫ୍ରିଜର ତଥା କୋଲ୍ଡଚେନ୍‌ ବ୍ୟବସ୍ଥା ଅତ୍ୟନ୍ତ ଜଟିଳ। ତେଣୁ ଏଭଳି ଟିକା ଭାରତ ଲାଗି ଉପଯୋଗୀ ହୋଇ ନପାରେ ବୋଲି ଡାକ୍ତର ଗାଙ୍ଗୁଲୀ ଆଶଙ୍କା ପ୍ରକାଶ କରିଛନ୍ତି। ମଡର୍ଣ୍ଣା ଟିକାକୁ ସଂରକ୍ଷିତ ରଖିବା ଲାଗି ମଧ୍ୟ ବିଯୁକ୍ତ ୨୦ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ଲୋଡ଼ା। ଟିକାର ସଂରକ୍ଷଣ ବ୍ୟବସ୍ଥା ଠିକ୍‌ ନ ରହିଲେ ଏହା କାର୍ଯ୍ୟକ୍ଷମ ହୋଇ ନଥାଏ। ତେଣୁ ବିକଶିତ ରାଷ୍ଟ୍ର ଗୁଡିକରେ ସଂରକ୍ଷଣ ସୁବିଧା ଯେଉଁଠି ଉପଲବ୍ଧ ନାହିଁ, ସେଠାରେ ଭାରତ ଭଳି କେତେକ ବିକାଶଶୀଳ ରାଷ୍ଟ୍ରରେ ଏହି ଟିକାକୁ ଆଣି ଟିକାକରଣ କରିବା ଏକ ଦୁସ୍ବପ୍ନ ଭଳି ହୋଇପାରେ। କାରଣ ଭାରତରେ ପ୍ରବଳ ଗ୍ରୀଷ୍ମଲହରି, ଉତ୍ତାପ, ବିଜୁଳି ସଂକଟ ଓ ବିଶେଷକରି ବୃହତ୍‌ ଗ୍ରାମାଞ୍ଚଳ ସ୍ଥିତି ଟିକାର ଉପଯୁକ୍ତ ସଂରକ୍ଷଣ ଓ ପରିବହନ ବ୍ୟବସ୍ଥା ଲାଗି ପ୍ରତିବନ୍ଧକ ବୋଲି ଡାକ୍ତର ଗାଙ୍ଗୁଲୀ କହିଛନ୍ତି। ଅନ୍ୟପକ୍ଷରେ ବ୍ରିଟେନ୍‌, ଆମେରିକା ଓ ଜାପାନ ଭଳି ରାଷ୍ଟ୍ର ଫାଇଜର ଟିକା ଲାଗି ଆଗୁଆ ଅର୍ଡର କରିଥିବାରୁ ୨୦୨୧ ସୁଦ୍ଧା ଏହା ଭାରତରେ ଉପଲବ୍ଧ ମଧ୍ୟ ହୋଇ ନପାରେ।

ସେହିଭଳି ଆଇସିଏମଆର ପୂର୍ବତନ ମହାମାରୀ ଓ ସଂକ୍ରମଣ ରୋଗ ବିଭାଗର ପୂର୍ବତନ ମୁଖ୍ୟ ଡାକ୍ତର ଲଳିତକାନ୍ତଙ୍କ ମତରେ ଫାଇଜର ଓ ମଡର୍ଣ୍ଣା ର ଆରଏନ୍‌ଏ (ରାଇବୋ ନ୍ୟୁକ୍ଲୀକ୍ ଏସିଡ୍‌) ପ୍ରସ୍ତୁତ କରୋନା ଟିକାର ସଂରକ୍ଷଣ ଲାଗି ଅତ୍ୟନ୍ତ କମ୍‌ ତାପମାତ୍ରା ଆବଶ୍ୟକ କରୁଥିବାରୁ ଆମ ଦେଶରେ ଏଭଳି ଫ୍ରିଜର ମେଡିକାଲରେ ଉପଲବ୍ଧ ନାହିଁ। ବିଯୁକ୍ତ ୭୦ ଡିଗ୍ରୀ ତାପମାତ୍ରାକୁ ଧରି ରଖିବା ଲାଗି ଫାଇଜର ପକ୍ଷରୁ ଏକ ଶୁଷ୍କ ବରଫଯୁକ୍ତ କଣ୍ଟେନର ଯୋଗାଇ ଦେବା ଘୋଷଣା କରାଯାଇଛି। ଯାହାକି ଟିକାକୁ ୧୦ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରଖିପାରିବ। ମାତ୍ର ଭାରତ ଭଳି ବିଶାଳ ରାଷ୍ଟ୍ରରେ ଏହି ଟିକାକୁ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ପହଞ୍ଚାଇବା ଓ ଗଣ ଟିକାକରଣ କରାଇବା କ୍ଷେତ୍ରରେ କେତେ ସମର୍ଥ ହେବ ସେଥିନେଇ ଆଶଙ୍କା ରହିଛି।

ଭାରତ ବାଓଟେକ୍‌ର କୋଭାକ୍ସିନ୍‌ ଓ ଜାଇଡସ୍‌ କାଡିଲା ଏବଂ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ବାରା ଭାରତରେ ଏବେ ଯେଉଁ ତିନିଟି ଟିକା ଉପରେ ଗବେଷଣା ଚାଲିଛି ତାହା ଭାରତୀୟ ପାଣିପାଗକୁ ନେଇ ପ୍ରସ୍ତୁତ ହେଉଛି। ବିଶେଷକରି ଏଭଳି ଟିକା ବିଯୁକ୍ତ ୨ରୁ ବିଯୁକ୍ତ ୮ଡିଗ୍ରୀ ସେଲିସିୟସ୍‌ ମଧ୍ୟରେ ସଂରକ୍ଷିତ ରଖାଯାଇପାରିବ। ତେଣୁ ବିଦେଶୀ ଟିକା ଅପେକ୍ଷା ଭାରତୀୟ ପ୍ରସ୍ତୁତ ଟିକା ଉପରେ କେନ୍ଦ୍ର ସରକାର ଅଧିକ ଗୁରୁତ୍ବ ଦେଉଛନ୍ତି।

ଅନ୍ୟପକ୍ଷରେ ସମସ୍ତ ଟିକା ପ୍ରସ୍ତୁତ ସଂସ୍ଥା ଓ କମ୍ପାନୀକୁ ଅଧିକରୁ ଅଧିକ ଟିକା ପ୍ରସ୍ତୁତ ଲାଗି ପରାମର୍ଶ ଦେଇଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ର ମୁଖ୍ୟ ବିଜ୍ଞାନୀ ଡାକ୍ତର ସୌମ୍ୟା ସ୍ବାମୀନାଥନ୍‌। କରୋନା ମହାମାରୀକୁ ସଂପୂର୍ଣ୍ଣ ବିଲୋପ କରିବା ଲାଗି ପୃଥିବୀର ୭୦ ପ୍ରତିଶତ ଲୋକଙ୍କୁ ଟିକାକରଣ କରିବା ଲାଗି ଆବଶ୍ୟକତା ଥିବାରୁ ସମସ୍ତ ଟିକା ପ୍ରସ୍ତୁତକାରୀ ସଂସ୍ଥା ଅଧିକରୁ ଅଧିକ ଟିକା ଉତ୍ପାଦନ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି।

Comments are closed.