ଶୀଘ୍ର ଉପଲବ୍ଧ ହେବ କରୋନା ଟିକା, ୫ଟି କମ୍ପାନୀକୁ ସୂଚନା ମାଗିଲେ ସରକାର

ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ପରିସ୍ଥିତିରୁ ମୁକୁଳିବା ପାଇଁ ବିଭିନ୍ନ ଦେଶ ଆପ୍ରାଣ ଉଦ୍ୟମ ଚଳାଇ ଥିବା ବେଳେ ଭାରତରେ ମଧ୍ୟ କେନ୍ଦ୍ର ସରକାର ଏଥିପାଇଁ ଆଗୁଆ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଦେଶରେ ତିନୋଟି ଟୀକାର ପରୀକ୍ଷା ଚାଲିଥିବା ବେଳେ ଆଉ ଦୁଇଟି କମ୍ପାନୀ ଟିକା କାରବାର ବିଷୟରେ ଆଲୋଚନା ଜାରି ରଖିଛନ୍ତି। ସମସ୍ତ ପାଞ୍ଚଟି ଫାର୍ମା କମ୍ପାନୀକୁ ତିନି ଦିନ ମଧ୍ୟରେ ସେମାନଙ୍କ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି ଯାହା ଫଳରେ ସେହି କମ୍ପାନୀଗୁଡ଼ିକ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଟୀକାର ଅନୁମୋଦନ ହେବା ମାତ୍ରେ ସେମାନେ ଏହା ପ୍ରସ୍ତୁତ କରି ଯୋଗାଇ ପାରିବେ।

ସୂଚନା ଅନୁଯାୟୀ, ବ୍ରିଟେନ, ଆମେରିକା ଏବଂ ୟୁରୋପୀୟ ୟୁନିଅନ ପରି ଭାରତ ଏପର୍ଯ୍ୟନ୍ତ କୌଣସି କମ୍ପାନୀ ସହିତ ଚୁକ୍ତି କରି ନାହିଁ, କିନ୍ତୁ ଟିକା ପ୍ରସ୍ତୁତ ହେବା ମାତ୍ରେ ଲୋକଙ୍କ ନିକଟରେ କିପରି ପହଞ୍ଚିବ ସେ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛି। କରୋନା ଟିକା ଉତ୍ପାଦନ, ବଣ୍ଟନ ଇତ୍ୟାଦି ଉପରେ ନଜର ରଖିବା ଉପରେ ବିଶେଷଜ୍ଞ କମିଟି ଇତି ମଧ୍ୟରେ ଦେଶର ଅଗ୍ରଣୀ ଫାର୍ମା କମ୍ପାନୀଗୁଡିକର ମୁଖ୍ୟମାନଙ୍କୁ ଭେଟିଛନ୍ତି। ଏହି ବୈଠକରେ କମ୍ପାନୀମାନଙ୍କୁ ଶୀଘ୍ର ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି।

ପୂର୍ବରୁ ଏହି ଟିକା ପ୍ରସ୍ତୁତି ପାଇଁ ଭାରତ ଅଧିକ ସମୟ ନେଇପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଉଥିଲେ ମଧ୍ୟ ସରକାରଙ୍କ ପ୍ରସ୍ତୁତିକୁ ବିଚାରକୁ ନେଲେ ଆସନ୍ତା କିଛି ମାସ ମଧ୍ୟରେ ଦେଶରେ କରୋନା ଟିକା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ରିପୋର୍ଟ ଅନୁଯାୟୀ, ଟିକା ଉତ୍ପାଦନ, ମୂଲ୍ୟ ଏବଂ ବଣ୍ଟନ ଉପରେ ଆଲୋଚନା ହେଉଛି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ କହିଛନ୍ତି ଯେ ଲୋକଙ୍କ ନିକଟରେ କିପରି ଟିକା ସହଜରେ ପହଂଚିବା ସେନେଇ ବିଶେଷଜ୍ଞମାନେ ଆଲୋଚନା କରୁଛନ୍ତି। ସେ କହିଛନ୍ତି ଯେ ବୈଜ୍ଞାନିକମାନେ କୋଭିଡ -୧୯ ଟିକା ପ୍ରସ୍ତୁତ କରିବା ଦିଗରେ ଯଥାସାଧ୍ୟ ଉଦ୍ୟମ କରୁଥିବା ସମୟରେ ତାହା କିପରି ଅଧିକରୁ ଅଧିକ ଉତ୍ପାଦନ କରାଯାଇ ଲୋକଙ୍କ ନିକଟରେ ପହଂଚିବ ତାହା ନିଶ୍ଚିତ କରାଯାଉଛି। ଦେଶବାସୀଙ୍କ ପାଇଁ ଟିକା ଉପଲବ୍ଧତାକୁ ନିଶ୍ଚିତ କରିବାକୁ ବିଶେଷଜ୍ଞ କମିଟି ଟିକା ଉତ୍ପାଦନକାରୀଙ୍କ ସହ ନିରନ୍ତର କାର୍ଯ୍ୟ କରୁଛି। ମିଳିତ ଭାବେ ଆମେ ଉତ୍ପାଦନ, ମୂଲ୍ୟ ଏବଂ ବଣ୍ଟନ ବିଷୟରେ ଆଲୋଚନା କରୁଛୁ ବୋଲି ସେ କହିଛନ୍ତି।

ଆଇସିଏମଆର ଏବଂ ଭାରତ ବାୟୋଟେକ ଦ୍ୱାରା ବିକଶିତ ଟିକା କୋଭାକ୍ସିନ ମାନବ ପରୀକ୍ଷଣର ପ୍ରଥମ ପର୍ଯ୍ୟାୟରେ ସୁରକ୍ଷିତ ଥିବା ଜଣାପଡିଛି। ପ୍ରଥମ ପର୍ଯ୍ୟାୟରେ, ୩୭୫ ସ୍ବେଚ୍ଛାସେବୀଙ୍କ ଦେହରେ ଦେଶର ୧୨ଟି ସ୍ଥାନରେ ଏହାର ପରୀକ୍ଷା କରାଯାଇଥିଲା। ଟୀକାକରଣର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ଅନୁଯାୟୀ, ଟୀକାକରଣର ପାର୍ଶ୍ୱ ପ୍ରତିକ୍ରିୟା ନାହିଁ।

ଅହମ୍ମଦାବାଦ ସ୍ଥିତ ଫାର୍ମା କମ୍ପାନୀ ଟିକାର ମାନବ ପରୀକ୍ଷା କରୂଥିବା ବେଳେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଟିକାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ କରିବାକୁ ଯାଉଛି। ଦେଶର ୧୦ଟି ସ୍ଥାନରେ ଏହାର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷା ହେବ। ଅନ୍ୟ ପକ୍ଷରେ ମସ୍କୋରେ ଥିବା ଭାରତୀୟ ଦୂତାବାସ ରୁଷ ନିର୍ମିତ ଟିକା ସ୍ପୁଟନିକ୍ ଭି ପାଇଁ ସେଠାକାର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛି। ଭାରତୀୟ ଦୂତାବାସ ବର୍ତ୍ତମାନ ଏହି ଟିକାର ନିରାପତ୍ତା ଏବଂ କାର୍ଯ୍ୟକାରିତା ସମ୍ବନ୍ଧୀୟ ତଥ୍ୟକୁ ଅପେକ୍ଷା କରିଛି।

Comments are closed.