ବାଂଲାଦେଶ, ନେପାଳକୁ ୩୦ ଲକ୍ଷ ଡୋଜ୍ ଟିକା ପଠାଇଲା ଭାରତ

ନୂଆଦିଲ୍ଲୀ: ପ୍ରଥମ ପର୍ୟ୍ୟାୟରେ ଭାରତ ପଡୋଶୀ ବାଂଲାଦେଶ ଓ ନେପାଳକୁ ୩୦ ଲକ୍ଷ ଡୋଜ୍ କରୋନା ଟିକା ପଠାଇଛି। ଦୁଇଟି ବିମାନ ଯୋଗେ ବାଂଲାଦେଶକୁ ୨୦ଲକ୍ଷ କୋଭିସିଲ୍ଡ ଡୋଜ୍ ପଠାଯାଇଥିବାବେଳେ ନେପାଳକୁ ୧୦ଲକ୍ଷ କୋଭିସିଲ୍ଡ ଡୋଜ୍ ପଠାଯାଇଛି। ଏହି ସବୁ ଟିକା ମାଗଣାରେ ଯୋଗାଇ ଦିଆଯାଇଛି। ଭାରତର ଏହି ସହାୟତା ପାଇଁ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଦୁଇ ରାଷ୍ଟ୍ର ବ୍ୟତୀତ ଭୁଟାନ, ମାଳଦ୍ବୀପ, ମ୍ୟାଁମାର, ସିଚେଲ୍ସକୁ ଭାରତ ପ୍ରଥମ ପର୍ୟ୍ୟାୟରେ କରୋନା ଟିକା ଯୋଗାଇ ଦେବାକୁ ଘୋଷଣା କରିଛି। ଦ୍ବିତୀୟ ପର୍ୟ୍ୟାୟରେ ଆଫଗାନିସ୍ତାନ, ଶ୍ରୀଲଙ୍କା ଓ ମରିସସ୍‌କୁ ଟିକା ଯୋଗାଇ ଦିଆଯିବ।

ଭାରତର ଏପରି ପଦକ୍ଷେପ ପରେ ଚୀନ ଏହାର ପରମ ମିତ୍ର ରାଷ୍ଟ୍ର ପାକିସ୍ତାନକୁ ୫ଲକ୍ଷ କରୋନା ଟିକା ‘ସିନୋଫାର୍ମା’ ମାଗଣାରେ ଯୋଗାଇ ଦେବାକୁ ଘୋଷଣା କରିଛି। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେସି ଗୁରୁବାର କହିଛନ୍ତି ଯେ ବେଜିଂ ୫ଲକ୍ଷ ଟିକା ଦେବାକୁ ଘୋଷଣା କରିଛି। ଫେବୃଆରୀ ସୁଦ୍ଧା ୧୦ ଲକ୍ଷରୁ ଅଧିକ ଟିକା ପାକିସ୍ତାନକୁ ଚୀନ ଯୋଗାଇ ଦେବ। ପାକିସ୍ତାନ ବିଶ୍ବର ସବୁଠାରୁ ଅଧିକ ଜନଗହଳି ରାଷ୍ଟ୍ର ହୋଇଥିବାବେଳେ ଏଠାରେ ଏବେ ସୁଦ୍ଧା କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇନାହିଁ।

Comments are closed.