ନୂଆବର୍ଷରୁ କରୋନା ଟିକାକରଣ !

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଥମିନାହିଁ। କିନ୍ତୁ କରୋନାର ଖରାପ ସମୟ ଟଳିଯାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟୀମନ୍ତ୍ରୀ ଡା. ହର୍ଷବର୍ଦ୍ଧନ କହିଛନ୍ତି। ତେବେ ବର୍ତ୍ତମାନ ପ୍ରତିଦିନ ୨୦ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ମାସ ଅର୍ଥାତ ନୂଆବର୍ଷରୁ କରୋନା ଟିକାକରଣ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି।

ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ବିଶ୍ଵର ଅନ୍ୟ ବିକଶିତ ଦେଶଗୁଡ଼ିକ ତୁଳନାରେ ଆମ ଦେଶରେ କରୋନାର ସୁସ୍ଥ ହାର ସବୁଠୁ ଅଧିକ ରହିଛି ବୋଲି ସେ କହିଛନ୍ତି। ଦେଶରେ ରିକଭରି ରେଟ୍‌ ବା ସୁସ୍ଥ ହାର ୯୫ରୁ ୯୬ ପ୍ରତିଶତ ମଧ୍ୟରେ ରହିଛି। ଆମେରିକା, ରୁଷ ଏବଂ ବ୍ରାଜିଲ ଭଳି ବିକଶିତ ଦେଶରେ ଏହା ୬୦ରୁ ୮୦ ପ୍ରତିଶତ ମଧ୍ୟରେ ଅଛି। ସେହିପରି ଆମ ଦେଶରେ କରୋନା ମୃତ୍ୟୁ ହାର ୧.୪୫ ପ୍ରତିଶତ ରହିଛି।

କରୋନାର ଖରାପ ସମୟ ବୋଧହୁଏ ଟଳିଯାଇଛି, କିନ୍ତୁ ଆମକୁ ସତର୍କତା ଅବଲମ୍ବନ କରିବାକୁ ହେବ। କରୋନା ବିରୋଧରେ ମୁଖ୍ୟ ଅସ୍ତ୍ର ମାସ୍କ, ହାତ ସଫେଇ ଏବଂ ସାମାଜିକ ଦୂରତା ନିୟମକୁ ସମସ୍ତେ ପାଳନ କରିବା ଜରୁରୀ ବୋଲି ହର୍ଷବର୍ଦ୍ଧନ କହିଛନ୍ତି।

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ଭାରତରେ ଜାନୁୟାରୀରୁ କରୋନା ଭୂତାଣୁ ବିରୋଧରେ ଲୋକଙ୍କୁ ଟିକାକରଣ ଆରମ୍ଭ ହୋଇପାରେ। ଟିକାର ସୁରକ୍ଷା ଏବଂ ପ୍ରଭାବଶାଳିତା ଉପରେ ସରକାର ପ୍ରାଥମିକତା ଦେଉଛନ୍ତି। ଜାନୁୟାରୀର ଯେକୌଣସି ସପ୍ତାହରେ ସରକାର ଦେଶବାସୀଙ୍କୁ କରୋନାର ପ୍ରଥମ ଡୋଜ୍‌ ଦେବେ ବୋଲି ମୁଁ ଅନୁଭବ କରୁଛି। ଭୂତାଣୁ ବିଷୟରେ ଅଧିକ ଚିନ୍ତା କରିବା ସବୁଠୁ ଖରାପ। କିନ୍ତୁ ଲୋକମାନେ ସୁରକ୍ଷିତ ରହିବା ଲାଗି କୋଭିଡ୍‌ ବିରୋଧରେ ଜାରି ହୋଇଥିବା ନିୟମର ପାଳନ କରିବା ଦରକାର ବୋଲି ସେ କହିଛନ୍ତି।

Comments are closed.