ମନଇଚ୍ଛା ଟିକାକରଣକୁ ନା, ଧରାପଡ଼ିଲେ ଦଣ୍ଡ:ଏସିଏସ୍‍

ଭୁବନେଶ୍ୱର: କେତେକ ଘରୋଇ ହସ୍ପିଟାଲ ବିଭିନ୍ନ ହୋଟେଲ ସହିତ ସମନ୍ୱୟ ରକ୍ଷା କରି ଟିକାକରଣ କରୁଛନ୍ତି। ଏଥିପାଇଁ ସ୍ୱତନ୍ତ୍ର ପ୍ୟାକେଜ ମଧ୍ୟ ହାତଉଛନ୍ତି। ଏହା ଟିକାକରଣ ନୀତିର ପରିପନ୍ଥୀ। ଏଭଳି କାର୍ଯ୍ୟ ଯେଉଁଠାରେ ହେଉଥିବ ତାକୁ ନିୟମ ବିରୋଧୀ ଭାବେ ଗଣନା କରାଯିବ ସହିତ ସଂପୃକ୍ତ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୋମବାର ଏକ ନିର୍ଦେଶନାମା ଜାରି ହୋଇଛି।

ଏନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସବୁ ଜିଲାପାଳ, ମହାନଗର ଆୟୁକ୍ତ ଓ ଜିଲା ମୁଖ୍ୟ ଚିକିତ୍ସାଧାରୀଙ୍କୁ ଦେଇଥିବା ପତ୍ରରେ ଦର୍ଶାଇଛନ୍ତି ଯେ ଭାରତ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ କେବଳ ୪ଟି ସ୍ଥାନରେ ହିଁ ଟିକାକରଣ କରାଯାଇ ପାରିବ। ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର, ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଘରୋଇ କରୋନା ଯତ୍ନ କେନ୍ଦ୍ର, ବିଭିନ୍ନ ବୃହତ ଘରୋଇ ସଂସ୍ଥା ଏବଂ କଲ୍ୟାଣ ସମିତି ତଥା ବାସକରୁଥିବା ଗୋଷ୍ଠୀ ସମୂହ(ଆପାର୍ଟମେଣ୍ଟ)ରେ ହିଁ ଟିକାକରଣ କରାଯାଇପାରିବ। ମାତ୍ର କେତେକ କ୍ଷେତ୍ରରେ ଘରୋଇ ଡାକ୍ତରଖାନାଗୁଡିକ ହୋଟେଲ ସହିତ ମିଶି ସ୍ୱତନ୍ତ୍ର ପ୍ୟାକେଜ କରି ଟିକାକରଣ କରୁଛନ୍ତି। ଯଦି ଏଭଳି କିଛି ଦୃଷ୍ଟାନ୍ତ ନଜରକୁ ଆସୁଛି ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି।

ଏହି ଅବସରରେ ରାଜ୍ୟରେ ଟିକାକରଣ ସଂଖ୍ୟା ୭୭ଲକ୍ଷ ୫୨ହଜାର ୨୦୪ରେ ପହଞ୍ଚିଛି। ଏଥିରେ ୪୫ବର୍ଷରୁ ଊର୍ଦ୍ଧ୍ବ ସର୍ବାଧିକ ୪୮ଲକ୍ଷ ୮୪ହଜାର ୬୪୨ଜଣ ହିତାଧିକାରୀ ପ୍ରଥମ ପାନ ଏବଂ ୧୦ଲକ୍ଷ ୭୭ହଜାର ୩୬ଜଣ ଦ୍ୱିତୀୟ ପାନ ଟିକା ନେଇଛନ୍ତି। ସେହିପରି ୩ଲକ୍ଷ ୨୯ହଜାର ୩୪୭ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ପାନ ଟିକା ନେଇଥିବାବେଳେ ୨ଲକ୍ଷ ୭୮ହଜାର ୧୧୭ଜଣ ଦ୍ୱିତୀୟପାନ ଟିକା ନେଇଛନ୍ତି। ଅନ୍ୟପକ୍ଷରେ ୨ଲକ୍ଷ ୮୭ହଜାର ୫୫୪ଜଣ କରୋନା ଯୋଦ୍ଧା ପ୍ରଥମ ପାନ ନେଇଥିବାବେଳେ ୧ଲକ୍ଷ ୭୦ହଜାର ୨୧୩ ଦ୍ୱିତୀୟପାନ ଟିକା ନେଇଛନ୍ତି। ଏହାବାଦ୍‍ ୧୮ରୁ ୪୪ବର୍ଷ ବୟସ୍କଙ୍କ ମଧ୍ୟରେ ୭ଲକ୍ଷ ୨୫ହଜାର ୨୯୫ଜଣ ପ୍ରଥମ ପାନ ଟିକା ନେଇଥିବା ସ୍ୱାସ୍ଥ୍ୟବିଭାଗ ତଥ୍ୟରୁ ଜଣାଯାଇଛି।

Comments are closed.