ସାମାଜିକ ଅପବାଦକୁ ଡରି ରୋଗ ଲୁଚାଅ ନାହିଁ : ବାଗ୍‌ଚୀ

-୧୧୧୩ ନମୁନାରୁ ପାଞ୍ଚଜଣ ସଂକ୍ରମିତ
-ସଂକ୍ରମିତଙ୍କୁ ଘରୁ ଗାଡ଼ିରେ ଅଣାଯିବ
-ଶିଶୁ ଓ କିଶୋରମାନଙ୍କ ପାଇଁ ‘ମୋ-ପ୍ରତିଭା’

ଭୁବନେଶ୍ୱର: ଡର ବା ଭୟ ମଣିଷ ପାଇଁ ଏକ ସ୍ବାଭାବିକ ପ୍ରକ୍ରିୟା। ଏହି ପରିପ୍ରେକ୍ଷୀରେ କରୋନା ମହାମାରୀକୁ ଡରି ଯଦି ଆମେ ରୋଗ ଲୁଚାଇବା ତେବେ ଏହା ଆମକୁ ଅଧିକ ଡରାଇବ। ସାମାଜିକ ନିନ୍ଦା ଓ ଅପବାଦକୁ ନ ଡରି କରୋନା ଲକ୍ଷଣ ଥିବା ବ୍ୟକ୍ତି ତୁରନ୍ତ ୧୦୪କୁ ଯୋଗାଯୋଗ କରି ସରକାରଙ୍କ ମାଗଣା ସ୍ବାସ୍ଥ୍ୟସେବାର ଫାଇଦା ଉଠାଇବାକୁ ରାଜ୍ୟ କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆହ୍ବାନ ଦେଇଛନ୍ତି।
ଶ୍ରୀ ବାଗ୍‌ଚୀ କହିଛନ୍ତି ଯେ ଓଡ଼ିଶାରେ ଇତିମଧ୍ୟରେ ୧୧୧୩ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା, ସେଥିରୁ ୫ଜଣ ସଂକ୍ରମିତ ଥିବା ବେ​‌ଳେ ଜଣେ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତକାଲି ସୁଦ୍ଧା ୯୦୦ ରକ୍ତ ନମୁନା ପରୀକ୍ଷା ହୋଇଥିବାବେଳେ ଆଜି ଆର୍‌ଏମ୍‌ଆର୍‌ସିରେ ୧୭୬, ଏମ୍ସରେ ୨୭ ଏବଂ ଏସ୍‌ସିବିରେ ୧୦ଟି (ମୋଟ ୨୧୩) ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ଆଜି ସମସ୍ତ ରିପୋର୍ଟ
ନେଗେଟିଭ୍‌ ଅଛି। ତେବେ ସବୁଠାରୁ ବଡ଼କଥା ହେଲା ଜଣେ ସଂକ୍ରମିତ ସାମାଜିକ ବାସନ୍ଦ ହେଉ କିମ୍ବା ଭୟ ଯୋଗୁଁ ସରକାରଙ୍କୁ ଅସହଯୋଗ କରୁଥିଲେ। ଏମିତିକି ୪୯ଥର ଯୋଗାଯୋଗ କରାଯିବା ପରେ ସେ ଚିହ୍ନଟ ହୋଇଛନ୍ତି। ଏଭଳି ରୋଗ ଲୁଚାଇଲେ କରୋନା ମହାମାରୀକୁ ରୋକିବା କଷ୍ଟସାଧ୍ୟ ହେବ। ତେବେ ପ୍ରଥମ ଓ ଦ୍ବିତୀୟ ସଂକ୍ରମିତଙ୍କ ସଂସ୍ପର୍ଶରେ ୫୫ଜଣ ବ୍ୟକ୍ତି ଆସିଥିବାବେଳେ ତୃତୀୟଙ୍କ ସଂସ୍ପର୍ଶରେ ୧୧୨, ୪ର୍ଥ ବ୍ୟକ୍ତିଙ୍କ ଦ୍ବାରା ୩୩ ଏବଂ ପଞ୍ଚମ ବ୍ୟକ୍ତିଙ୍କ ସଂସ୍ପର୍ଶରେ ୨୧ଜଣ ଆସିଛନ୍ତି। ନିଜାମୁଦ୍ଦିନ ଧାର୍ମିକ ସଭାରୁ ଫେରିଥିବା ୨୧ଜଣଙ୍କ ମଧ୍ୟରୁ ୧୭ଜଣଙ୍କ ରକ୍ତ ନମୁନା ନେଗେଟିଭ ରହିଛି। ଆଜି ପର୍ଯ୍ୟନ୍ତ ୧୫ହଜାର ୮୯୫ଜଣ ପଞ୍ଜିକୃତ ହୋଇଥିବାବେଳେ ୧୧,୫୨୯ଜଣ ବାହାର ରାଜ୍ୟର ଏବଂ ୪୩୬୬ଜଣ ବିଦେଶ ଫେରନ୍ତା ରହିଛନ୍ତି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ପାଇଁ ସରକାର ତିନିଟି ହସ୍ପିଟାଲ ସହିତ ବୁଝାମଣା କରିଥିଲେ। ସେଥିମଧ୍ୟରୁ ଆଜି କିମ୍ସ ଓ ଅଶ୍ବିନୀ ହସ୍ପିଟାଲରେ କରୋନା ରୋଗୀଙ୍କ ପାଇଁ ୬୫୦ ଶଯ୍ୟା ପ୍ରସ୍ତୁତ ହୋଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦ୍‌ଘାଟନ କରିଛନ୍ତି। ଜନସାଧାରଣ କରୋନାକୁ ନ ଡରି ସରକାରଙ୍କୁ ସହଯୋଗ କରିବାକୁ ଶ୍ରୀ ବାଗ୍‌ଚୀ କହିଥିଲେ। ତେବେ ଇତିମଧ୍ୟରେ କରୋନା ନିୟମ ଉଲ୍ଲଘଂନ କରିବା ଅଭିଯୋଗରେ ୨୨୯ଟି ମାମଲା କରାଯାଇଛି ଏବଂ ୩୪୨ଜଣଙ୍କୁ ଗିରଫ କରାଯାଇଛି। ଲକ୍‌ଡାଉନ ସମୟରେ ଶିଶୁ ଓ କିଶୋରମାନଙ୍କୁ ସୃଜନଶୀଳ କାର୍ଯ୍ୟରେ ନିୟୋଜିତ କରିବା ତଥା ସେମାନଙ୍କ ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ୟୁନିସେଫ୍‌ ସହଯୋଗରେ ସରକାରଙ୍କ ପକ୍ଷରୁ ‘ମୋ-ପ୍ରତିଭା’ ଅନ୍‌ଲାଇନ୍‌ ପ୍ରତିଯୋଗିତା ଆୟୋଜନ କରାଯାଇଛି। ଏଥିରେ ୫ରୁ ୧୮ବର୍ଷର ସମସ୍ତ ପିଲାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯିବ।
ଏହି ଅବସରରେ ଏନ୍‌ଏଚଏମ୍ ନିର୍ଦେଶିକା ଶାଳିନୀ ପଣ୍ଡିତ କହିଥିଲେ ଯେ ଯେକୌଣସି ବ୍ୟକ୍ତିଠାରେ କରୋନା ରୋଗର ଲକ୍ଷଣ ଦେଖାଦେଲେ ସେ ଭୟଭୀତ ନହୋଇ ୧୦୪କୁ କଲ୍ କଲେ ସବୁ ପ୍ରକାର ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ। ସଂପୃକ୍ତ ବ୍ୟକ୍ତିଙ୍କ ଘରୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ଅଣାଯାଇ ତାଙ୍କ ନମୁନା ପରୀକ୍ଷା କରାଯିବ। ଯଦି ସଂକ୍ରମିତ ହୋଇଥିବେ ତାଙ୍କୁ ସ୍ବତନ୍ତ୍ର କରୋନା ଚିକିତ୍ସାଳୟରେ ରଖାଯାଇ ସବୁ ପ୍ରକାର ସ୍ବାସ୍ଥ୍ୟସେବା ମାଗଣାରେ ଯୋଗାଇ ଦିଆଯିବ।
ରାଜ୍ୟ ସରକାରଙ୍କ ପକ୍ଷରୁ ପଞ୍ଚାୟତସ୍ତରରେ ବାହାର ରାଜ୍ୟରୁ ଫେରିଥିବା ଶ୍ରମିକଙ୍କ ପାଇଁ ୩୫୮ଟି ଶିବିର କରାଯାଇ ୨୪ହଜାର ୫୧୮ଜଣଙ୍କୁ ଥଇଥାନ କରାଯାଇ ଖାଦ୍ୟପେୟ ଯୋଗାଇ ଦିଆଯାଉଛି। ଏହାବାଦ୍ ୫୦୮୦ ପଞ୍ଚାୟତରେ ୨ଲକ୍ଷ ୭୯ହଜାର ୧୮୦ଜଣ ନିରାଶ୍ରୟ ଓ ଅସହାୟଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ଏହି ରନ୍ଧାଖାଦ୍ୟ ପ୍ରସ୍ତୁତିରେ ୫୮୯୮ ସ୍ବୟଂ ସହାୟକ ଗୋଷ୍ଠୀ ନିୟୋଜିତ ଅଛନ୍ତି। ସେହିପରି ୧୦୫ଟି ପୌରାଞ୍ଚଳରେ ୨୦ହଜାର ୫୯ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ କୁମାର ସିଂହ କହିଛନ୍ତି।

Comments are closed.