କାୟା ବିସ୍ତାର କରିଚାଲିଛି କରୋନା : ୧୮୮ ଦେଶ ସଂକ୍ରମିତ

ନୂଆଦିଲ୍ଲୀ : ଭୟଙ୍କର ରୂପ ନେଇ କାୟା ବିସ୍ତାର କରିଚାଲିଛି ମହାମାରୀ କରୋନା। ବ୍ୟାପକ ସଚେତନତା ଓ ସଂକ୍ରମଣ ନିରୋଧ କଟକଣା ସତ୍ତ୍ବେ ରବିବାର ସୁଦ୍ଧା ଏହି ମହାମାରୀ ବିଶ୍ବର ୧୮୮ଟି ଦେଶକୁ କବଳିତ କରିଛି। ସମଗ୍ର ବିଶ୍ବରେ ୩,୪୦,୮୪୩ ଲୋକ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବାବେଳେ ୧୪,୫୮୨ ଜଣଙ୍କ ମୃତ୍ୟୁ ଘଟିଲାଣି। ସବୁଠୁ ଜଟିଳ ହୋଇଛି ଇଟାଲୀର ପରିସ୍ଥିତି। କରୋନାର ଉତ୍ପତ୍ତିସ୍ଥଳ ଚୀନ୍‌ର ଅବସ୍ଥା ଧୀରେ ଧୀରେ ସୁଧୁରୁଥିବାବେଳେ ଇଟାଲୀରେ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ଏବେ ଚୀନ୍‌କୁ ଟପିଯାଇଛି। ରବିବାର ଗୋଟିଏ ଦିନରେ ଇଟାଲୀରେ ୬୫୧ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି।
ଅନ୍ୟପକ୍ଷରେ କରୋନା ଭୂତାଣୁ ସଂକ୍ରମଣରେ ରବିବାର ଭାରତରେ ଆଉ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ବର୍ତ୍ତମାନ ସୁଦ୍ଧା କରୋନା ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି ପାଇଛି। ରବିବାର ଚିକିତ୍ସା ସମୟରେ ଗୁଜୁରାଟ, ମହାରାଷ୍ଟ୍ର ଓ ବିହାରରେ ଜଣେ ଲେଖାଏଁ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଗୁଜରାଟରେ କରୋନା କାରଣରୁ ଏହା ପ୍ରଥମ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ସୁରତର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଜଣେ ୬୭ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। କରୋନାରେ ପୀଡିତ ଏହି ବ୍ୟକ୍ତି ଟ୍ରେନ୍ ଯୋଗେ ଦିଲ୍ଲୀ ଏବଂ ଜୟପୁରରୁ ସୁରତକୁ ଆସିଥିଲେ। ସେ ପୂର୍ବରୁ କିଡନୀ ଏବଂ ଆଜମା ରୋଗ ସହ ସଂଘର୍ଷ କରୁଥିଲା। ଏହା ସହ ରବିବାର ଦିନ କରୋନା ଭୂତାଣୁ ଯୋଗୁଁ ଦେଶରେ ତୃତୀୟ ମୃତ୍ୟୁ ଘଟିଛି।

ଏହାପୂର୍ବରୁ ରବିବାର ବିହାରର ପାଟନାରେ କରୋନା ସଂକ୍ରମିତ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ବିହାରରେ ଏହି ମହାମାରୀ ହେତୁ ଏହା ପ୍ରଥମ ମୃତ୍ୟୁ। ମୃତକଙ୍କ ବୟସ ୩୮ବର୍ଷ ବୋଲି କୁହାଯାଇଥିଲା।
ମହାରାଷ୍ଟ୍ରରେ କରୋନା ସଂକ୍ରମଣରେ ଦ୍ବିତୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ରୋଗୀଙ୍କ ବୟସ ୬୩ ବର୍ଷ ବୋଲି ଜଣାପଡ଼ିଛି। ବ୍ୟକ୍ତି ଜଣକ ମଧୁମେହ, ଉଚ୍ଚରକ୍ତଚାପ ଏବଂ ହୃଦ ରୋଗର ଶିକାର ଥିଲେ। ଏହାପୂର୍ବରୁ ମହାରାଷ୍ଟ୍ରରେ ମୃତ୍ୟୁବରଣ କରିଥିବା ରୋଗୀଙ୍କୁ ୫୬ ବର୍ଷ ହୋଇଥିଲା।
ମହାରାଷ୍ଟ୍ରରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ମହାରାଷ୍ଟ୍ରରେ ସଂକ୍ରମିତ କୋଭିଡ଼-୧୯ ସଂଖ୍ୟା ୭୪କୁ ବୃଦ୍ଧି ପାଇଛି। ସମଗ୍ର ଭାରତରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ୩୫୫ ରହିଛି। ଏଭଳି ପରିସ୍ଥିତିରେ ଭାରତରେ ମହାରାଷ୍ଟ୍ର ହେଉଛି ସବୁଠାରୁ ଅଧିକ କରୋନା ପ୍ରଭାବିତ ରାଜ୍ୟ।

Comments
Loading...