କରୋନା ଅପଡେଟ – ସଚେତନତା ଜାରିକଲା ‘ହୁ’

ନୂଆଦିଲ୍ଲୀ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କରୋନା ଭୂତାଣୁର ମୁକାବିଲା ପାଇଁ ଆଉ କେତେକ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛି। ହାତରେ ରବର ଗ୍ଲୋବ ପିନ୍ଧି କରୋନା ସଂକ୍ରମଣକୁ ରୋକା ଯାଇ ପାରିବ ନାହିଁ। ନିୟମିତ ବ୍ୟବଧାନରେ ସାନିଟାଇଜରରେ ହାତ ଧୋଇବା ଦ୍ବାରା ସଂକ୍ରମଣକୁ ରୋକା ଯାଇ ପାରିବ। ଗ୍ଲୋବ ପିନ୍ଧିଲେ ମଧ୍ୟ ଯଦି ଏହା ନାକ ଓ ଆଖି ସଂସ୍ପର୍ଶରେ ଆସେ ତେଣୁ ଭୂତାଣୁ ସଂକ୍ରମଣ ହେବା ନିଶ୍ଚିତ। କରୋନା ସଂକ୍ରମିତ ରୋଗୀ ରାଗିବା, ଚିଡ଼ିଚିଡ଼ି ହେବା ଅଥବା ତାଙ୍କଠାରେ ଅବସାଦ ଦେଖା ଦେଇଥାଏ। ଏମାନଙ୍କ ସହ ବନ୍ଧୁତ୍ବପୂର୍ଣ୍ଣ କଥାବାର୍ତ୍ତା ହେବା ଓ ଏକକୀ ଭାବିବାକୁ ନଦେବା ଉଚିତ୍‌। ପରିବାର ମଧ୍ୟରେ ଥିଲେ ସମସ୍ତ ସଦସ୍ୟ ଉତ୍ତମ ଖାଦ୍ୟ ଖାଇବା ଓ ପରସ୍ପରକୁ ସହଯୋଗ କରିବା ଆବଶ୍ୟକ।

ଅବସାଦରୁ ମୁକ୍ତି ପାଇବା ପାଇଁ ମଦ ପାନ କିମ୍ବା ସିଗାରେଟ ଟାଣିବା କଥା ନୁହେଁ। ଏପରି ବିପଦ ସମୟରେ ନିଜର ଏକାଗ୍ରତା ବଜାୟ ରଖିବା ଜରୁରୀ। ଶିଶୁମାନଙ୍କ ଅବସାଦ ଭିନ୍ନ ପ୍ରକାର ହୋଇପାରେ। ସେମାନେ ଶଯ୍ୟାରେ ପଡ଼ି ରହିବାକୁ ଭଲ ପାଇପାରନ୍ତି। ଏପରି ପିଲାମାନଙ୍କୁ ଧମକଚମକ ନଦେଇ ପୂର୍ବଠାରୁ ଅଧିକ ଶ୍ରଦ୍ଧା କରିବା ତଥା ସେମାନଙ୍କ ମୁହଁରେ ହସ ଖେଳାଇବା ପାଇଁ ଯେକୌଣସି ଉଦ୍ୟମ କରିବା ଆବଶ୍ୟକ। ସେମାନେ କ’ଣ କହିବାକୁ ଚାହୁଁଛନ୍ତି ଭଲଭାବେ ଶୁଣିବା ଜରୁରୀ। ଭୂତାଣୁ ଆକ୍ରାନ୍ତ ପିଲାମାନଙ୍କୁ ପିତାମାତାଙ୍କଠାରୁ ଅଲଗା କରିବା ଉଚିତ୍‌ ନୁହେଁ। ଯଦି ପିଲାଟି ଡାକ୍ତରଖାନାରେ ଅଛି ତେବେ ନିୟମିତ ବ୍ୟବଧାନରେ ସେମାନଙ୍କ ପିତାମାତା ପିଲାଟିକୁ ଦେଖା କରିବା ଉଚିତ୍‌।

Comments are closed.